Latest Odisha News

ବିଜେପି ଅଧ୍ୟକ୍ଷ ଅମିତ ଶାହ ସ୍ୱାଇନ୍ ଫ୍ଲୁରେ ପୀଡ଼ିତ, ଓଡ଼ିଶା ଗସ୍ତ ସ୍ଥଗିତ

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବୁଧବାର ଦିନ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହେବା ଫଳରେ ଅସୁସ୍ଥତା ଯୋଗୁଁ ତାଙ୍କୁ ଚିକିତ୍ସା ନିମନ୍ତେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ଅମିତ ଶାହଙ୍କ ଅସୁସ୍ଥତା ଯୋଗୁଁ ବିଜେପିର ଓଡ଼ିଶା ଶାଖା ପକ୍ଷରୁ ତାଙ୍କର ଆଗାମୀ ଓଡ଼ିଶା ଗସ୍ତ ସ୍ଥଗିତ ରହିଥିବା ସୂଚନା ମିଳିଛି ।

ବିଜେପିର ଏହି ବରିଷ୍ଠ ନେତା ଅମିତ ଶାହ ନିଜର ଟ୍ୱିଟ୍ଟର ପୋଷ୍ଟରେ ଏହା ପ୍ରକାଶ କରିଛନ୍ତି: “ମୁଁ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି, ଏବଂ ଏଥିଲାଗି ମୁଁ ଚିକିତ୍ସାଧୀନ ରହିଛି । ଭଗବାନଙ୍କର ଆଶୀର୍ବାଦ ତଥା ଆପଣମାନଙ୍କର ଆରୋଗ୍ୟ କାମନା ଯୋଗୁଁ ମୁଁ ଯଥାଶିଘ୍ର ସୁସ୍ଥତା ହାସଲ କରିବି ବୋଲି ଆଶା ।”

ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଓଡ଼ିଶା ଶାଖାର ବିଜେପି ଉପ-ସଭାପତି ସମୀର ମହାନ୍ତି କହିଛନ୍ତି, “ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ୱାଇନ୍ ଫ୍ଲୁରେ ପୀଡ଼ିତ । ସେ ଏସମ୍ପର୍କରେ ମଧ୍ୟ ଟ୍ୱିଟ୍ଟ୍ କରି ଉଲ୍ଲେଖ କରିଛନ୍ତି । ତାଙ୍କର ଏହି ଅସୁସ୍ଥତା ଯୋଗୁଁ ଆସନ୍ତା ୧୮ ତାରିଖ ଦିନ ସାଲେପୁର ଗସ୍ତ ସୂଚୀ ସ୍ଥଗିତ ରହିଛି । ତାଙ୍କର ଆଗାମୀ ଓଡ଼ିଶା ଗସ୍ତ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହେଲେ ଆମେ ଆପଣମାନଙ୍କୁ ଅବଗତ କରାଇବୁ ।”

ମିଳିଥିବା ସୂତ୍ରର ସୂଚନାନୁଯାୟୀ, ଅମିତ ଶାହ ତାଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଏବଂ ଛାତିରେ ଯନ୍ତ୍ରଣା ଯୋଗୁଁ ରାତି ପ୍ରାୟ ୯ଟା ସମୟରେ ପ୍ରିମିୟର୍ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ ।

Leave A Reply

Your email address will not be published.