Latest Odisha News

BREAKING NEWS

ସିନେମା ହଲରେ ୩ ଜଣ ଯୁବତୀଙ୍କୁ ବେଲ୍ଟରେ ପିଟି ଗିରଫ ହେଲେ ଯୁବକ

ଭୁବନେଶ୍ୱର: ରାଜଧାନୀ ଖାରବେଳ ନଗର ଥାନା ଅନ୍ତର୍ଗତ କେଶରୀ ସିନେମା ହଲ ପାର୍କିଂ ସ୍ଥାନରେ ସୋମବାର ଦିନ ୩ ଜଣ ଝିଅଙ୍କୁ ନିଜ ବେଲ୍ଟରେ ନିସ୍ତୁକ ଭାବେ ପିଟିଥିବାର ଅଭିଯୋଗ ହୋଇଛି ।

ଅଭିଯୁକ୍ତ ଜଣକ ଡୁମଡୁମା ଅଞ୍ଚଳର ସୁଜନ ଦାସ (୨୨) ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ୩ଜଣ ଯୁବତୀ କେଶରୀ ସିନେମା ହଲରେ ‘ମଣିକର୍ଣ୍ଣିକା’ ସିନେମା ଦେଖି ଫେରୁଥିବା ବେଳେ ଏହି ଘଟଣା ଘଟିଛି ।

ଯୁବକ ଜଣକ ତାଙ୍କ ମୋଟରସାଇକେଲଟିକୁ ପାର୍କିଂ ସ୍ଥଳରୁ ବାହାର କରୁଥିବା ବେଳେ ଜଣେ ଯୁବତୀଙ୍କ ଗାଡ଼ିରେ ବାଜିଥିଲା । ଏହି ସମୟରେ ଅନ୍ୟ ୨ଜଣ ଯୁବତୀ ମଧ୍ୟ ସାଙ୍ଗରେ ରହିଥିଲେ ।

ଏହି ଘଟଣାକୁ ନେଇ ସେଠାରେ ଖୁବ୍ ବଚସା ହେବାପରେ ଯୁବକ ଜଣକ ଉତକ୍ଷିପ୍ତ ହୋଇ ନିଜ ବେଲ୍ଟ କାଢି ଯୁବତୀମାନଙ୍କୁ ପିଟିଥିଲେ ।

ଖାରବେଳ ନଗର ପୋଲିସ ଉକ୍ତ ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିବା ବେଳେ ମଙ୍ଗଳବାର ଦିନ କୋର୍ଟକୁ ଚାଲାଣ କରିବ ।

ଏଠାରେ ଉଲ୍ଲେଖ ଯୋଗ୍ୟ, କିଛିଦିନ ପୂର୍ବରୁ, ରାଜଧାନୀର ମହାରାଜା ସିନେମା ହଲରେ ଜଣେ ମହିଳାଙ୍କୁ ଉକ୍ରଳ ବିଶ୍ୱବିଦ୍ୟାଳୟର କିଛି ଛାତ୍ର ଅଶାଳୀନ ମନ୍ତବ୍ୟ ପ୍ରଦାନ କରିବା ନେଇ ଏକ ଦୈନିକ ଖବରକାଗଜର ଜଣେ ସାମ୍ବାଦିକ ପ୍ରତିରୋଧ କରିଥିଲେ । ମାତ୍ର ଉକ୍ରଳ ବିଶ୍ୱବିଦ୍ୟାଳୟର ଏହି ସମ୍ପୃକ୍ତ ଛାତ୍ରମାନେ ସାମ୍ବାଦିକ ଜଣକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏହି ଘଟଣାରେ ଆହତ ସାମ୍ବାଦିକ କପିଳେନ୍ଦ୍ର ପ୍ରଧାନ ଆହତ ହୋଇ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡ଼ାକ୍ତରଖାନାରୁ ଡ଼ିସଚାର୍ଜ କରାଯାଇଥିଲା ।

ଏହି ଘଟଣାରେ ସମ୍ପୃକ୍ତ ଛାତ୍ରମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ରାଜଧାନୀର ବିଭିନ୍ନ ସମ୍ବାଦପତ୍ରର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକମାନେ ଡ଼ିଜିପି ଆର ପି ଶର୍ମାଙ୍କୁ ଭେଟିଥିଲେ । ପରେ ଏହି ଘଟଣାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.