(ମହିଳା ଦିବସ ଅବସରରରେ ସ୍ୱତନ୍ତ୍ର ଆଲେଖ୍ୟ)
ଝାରସୁଗୁଡା: ଦିନେ ସୀତାଙ୍କୁ ଦେବାକୁ ପଡିଥିଲା ଅଗ୍ନିପରୀକ୍ଷା । ଅପମାନିତ ହେବାକୁ ପଡିଥିଲା ଦ୍ରୋପଦୀଙ୍କୁ । କୁନ୍ତିଙ୍କୁ ବି ନିଜ ରକ୍ତର ପୁଅ କର୍ଣ୍ଣଙ୍କ ପାଖରୁ ସହିବାକୁ ପଡିଥିଲା ଅଭିମାନ । ଏବେ ତ ବଦଳି ଯାଇଛି ସମୟ । ବଦଳି ଯାଇଛି ସଂସାର ଓ ସମାଜର ପରିଭାଷା । କଥା କଥାକେ ଭାଙ୍ଗି ଯାଉଛି ସଂସାର । ସୁସଜ୍ଜିତ ଘରେ ନିର୍ଯାତିତ ହେଉଛି ନାରୀ । ଲୁହକୁ ପିଇ କେତେବେଳେ ଅର୍ଦ୍ଧାଙ୍ଗିନୀ ଅଭାଗିନୀ ସାଜି ପଡି ରହୁଛି ତ କେତେବେଳେ ଅସହାୟ ହୋଇ ଚାଲି ଆସୁଛି ରାଜରାସ୍ତାକୁ ।
ଠିକ୍ ଏତିକି ବେଳେ ଆନନ୍ଦିନୀଙ୍କ ମନ ଆନ୍ଦୋଳିତ ହୋଇଯାଏ । ସାହାସର ସୌଦାଗର ପାଲଟି ସେ ଯୋଡ଼ିବାକୁ ଚେଷ୍ଟା କରନ୍ତି ଭାଙ୍ଗି ଯାଇଥିବା ସଂସାରକୁ । ଶକ୍ତି ଯୋଗାଡ଼ କରନ୍ତି ଭାଙ୍ଗି ପଡିଥିବା ଜଣେ ମହିଳାଙ୍କ ପାଖରେ ।
ଝାରସୁଗୁଡାର ଖୁବ୍ ପରିଚିତ ନାଁ ଆନନ୍ଦିନି ପାଢୀ । କଲେଜ ସମୟରୁ ହିଁ ଆନନ୍ଦିନି ୟୁନିସେଫରେ ସ୍ବେଚ୍ଛାସେବୀ ଭାବେ କାମ କରୁଥିଲେ । ପାଠପଢାରୁ ଟିକିଏ ଫୁରୁସତ ମିଳିଲେ ବିଭିନ୍ନ ବସ୍ତିରେ ପହଞ୍ଚି ଯାଉଥିଲେ । ପରେ ପରେ ସେ ପାଲଟିଥିଲେ ଟ୍ରେନର । ଅନେକ ସମୟରେ ଘରୋଇ ହିଂସାର ଶୀକାର ହେଉଥିବା ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ ଆନନ୍ଦିନୀ । ଶୁଣିଥିଲେ ସେମାନଙ୍କ ଅକୁହା କାହାଣୀ । ଏହାପରେ ଆରମ୍ଭ ହୋଇଥିଲା ଆନନ୍ଦିନୀଙ୍କ ଯାତ୍ରା ।
ମହିଳାଙ୍କ ସୁରକ୍ଷା ଯୋଗାଇ ଦେବାକୁ, ଅସଜଡ଼ା ଘରକୁ ସଜାଡିବାକୁ ଓ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଆଶ୍ରୟ ଦେବାକୁ ଖୋଜିଥିଲେ ବାଟ । ଏ ଲଢ଼େଇରେ ଜିତିବାକୁ କଣ ରହିଛି ଆଇନଗତ ଦିଗ? ନିୟମକାନୁନ ବହି ପଢା ସାଙ୍ଗକୁ ୧୯୯୨ ମସିହାରେ ପ୍ରତିଷ୍ଠା କଲେ ନିଜର ଏକ ଅନୁଷ୍ଠାନ । ଆଉ ସେହି ଦିନ ଠାରୁ ଆନନ୍ଦିନୀ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି ।…
ଆଜି ଯାହା ବି ସେ କରିଛନ୍ତି ସବୁ ନିଜ ପ୍ରଚେଷ୍ଟାରେ କରିଚାଲିଛନ୍ତି । ଆରମ୍ଭରୁ ଏ ନେଇ କିଏ ତାଙ୍କୁ ଆର୍ଥିକ ସହାୟତା କରିବ ସେ ନେଇ କିଛି ସ୍ଥିର ନ ଥିଲା । କେବଳ ଆନନ୍ଦିନୀଙ୍କ ଉଦ୍ୟମ ଜାରି ରହିଥିଲା । ସମ୍ବଳ କହିଲେ ୟୁନିସେଫ୍ ରେ ସେ ପାଇଥିବା ତାଲିମ । ଏହାକୁ ହିଁ ସେ ପାଥେୟ କରି ଆଗେଇ ଚାଲିଥିଲେ । ନିଜ ମନୋବଳ ଓ ପରିଶ୍ରମରେ ପ୍ରଥମ ୧୦ ବର୍ଷ କାମ ଚାଲିଲା । ଏହା ପରେ ମିଳିଲା ସରକାରୀ ସହାୟତା । ମହିଳା ଓ ଶିଶୁମାନଙ୍କ ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ସହାୟତା ମିଳୁଛି । ବର୍ତ୍ତମାନ ଆନନ୍ଦିନୀ ଦୁଇଟି ଅସହାୟ କେନ୍ଦ୍ର, ଫ୍ୟାମିଲି କାଉନସେଲିଂ ସେଣ୍ଟର, ଓାନଷ୍ଟପ ସେଣ୍ଟର କରି ସ୍ବାସ୍ଥ୍ୟ, ଆଇନ ସହାୟତା ଦେବା ସହ ଅସହାୟ ମହିଳାଙ୍କୁ ଥଇଥାନ ପାଇଁ କାମ କରୁଛନ୍ତି ।…
ମାଆମାନଙ୍କ ସହ ଛୁଆମାନେ ଥିବାରୁ ସେମାନଙ୍କ ଅଧିକାର ନେଇ ସେ କାମ କରୁଛନ୍ତି । ସେମାନଙ୍କୁ ବିଭିନ୍ନ ସ୍ଥାନରେ ଉଦ୍ଧାର କରି ସେମାନଙ୍କୁ CWCରେ ହାଜର କରି ଥଇଥାନ କରାଯାଉଛି । ଏଥିସହ ଘରୋଇ ହିଂସା, କର୍ମ କ୍ଷେତ୍ରରେ ଯୌନ ନିର୍ଯାତନା, ଶିଶୁମାନଙ୍କ ପ୍ରତି ହେଉଥିବା ନିର୍ଯାତନା ନେଇ ଲୋକମାନଙ୍କୁ ସଚେତନ କରଉଛନ୍ତି ।
ଆନନ୍ଦିନୀଙ୍କୁ ସହାୟତା କରିବା ପାଇଁ ୫୦ ଜଣ କର୍ମଚାରୀ ଓ ୩୦ ଜଣ ସ୍ବେଚ୍ଛାସେବୀ ରହିଛନ୍ତି । ଆଉ ଆନନ୍ଦିନୀଙ୍କ ଏହି ଉଦ୍ୟମ ଅନେକ ମହିଳାଙ୍କୁ ସହାୟତା ଯୋଗାଇ ଦେଉଛି ।
ଆନନ୍ଦିନୀଙ୍କ ଏହି କାମ ପାଇଁ ତାଙ୍କୁ ମିଳିତ ଜାତି ସଘଂ, କେନ୍ଦ୍ର ତଥା ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁୁ ମିଳିଛି ଅନେକ ସମ୍ମାନ ।
Comments are closed.