Latest Odisha News

BREAKING NEWS

(ଦେଖନ୍ତୁ ଭିଡିଓ) ନିଆଁରୁ ଶିମିଳିପାଳକୁ ବଞ୍ଚାଇବାକୁ ରମଣଙ୍କ ରାପ୍      

କୋରାପୁଟ: ଜଳୁଛି ଶିମିଳିପାଳ, କାନ୍ଦୁଛନ୍ତି ଗଛଲତା ଓ ଜୀବଜନ୍ତୁ । ସମସ୍ତଙ୍କ ମନରେ ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ଉଦବେଗ୍ ରହିଛି । ଆଉ ଶିମିଳିପାଳକୁ ନେଇ ମନରେ ଥିବା କୋହକୁ ରାପ୍ ସଙ୍ଗୀତରେ ସଜାଇଛନ୍ତି କୋରାପୁଟର ରକି ଆରକେ ଭାବେ ଜଣାଶୁଣା ଥିବା ରମଣ କୁମାର ।

ବିଗତଦିନରେ ବହୁଚର୍ଚ୍ଚିତ କୋରାପୁଟର କୋଟିଆକୁ ନେଇ ରମଣ ପ୍ରସ୍ତୁତ କରିଥିଲେ ରାପ୍ । ଯାହା ବେଶ୍ ଲୋକପ୍ରିୟ ହୋଇ ପାରିଥିଲା । ଏବେ ରମଣ ଜଳୁଥିବା ଶିମିଳିପାଳକୁ ବଞ୍ଚାଇବା ଉଦ୍ଦେଶ୍ୟରେ ରାପ୍ ପ୍ରସ୍ତୁତ କରିଛନ୍ତି । #SaveSimilipal ମାଧ୍ୟମରେ ରମଣ ସଚେତନତା ବାର୍ତ୍ତା ଦେବା ସହ ନିଆଁକୁ ଆୟତ୍ତ ଲାଗି ଅନୁରୋଧ କରିଛନ୍ତି ।

ଶିମିଳିପାଳରେ ନିଆଁ ଲାଗିଥିବା ଖବର ଟିଭିରୁ ଦେଖିବା ପରେ ତାଙ୍କ ହୃଦୟ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲା । ପ୍ରକୃତିକୁ ଭଲ ପାଉଥିବା ରମଣଙ୍କ କଲମ ଲେଖିଥିଲା ରାପ୍ । ଜଙ୍ଗଲରେ ଥିବା ପଶୁପକ୍ଷୀଙ୍କ ସହ ଗଛ ଲତାଙ୍କୁ ରକ୍ଷା ଲାଗି ଭଗବାନ ବର୍ଷା କରାନ୍ତୁ ବୋଲି ସେ କାମନା କରିଛନ୍ତି ଭିଡିଓରେ । ୨ ମିନିଟ୍ ୪୨ ସେକେଣ୍ଡର ଭିଡିଓରେ ରମଣ ଜଳୁଥିବା ଶିମିଳିପାଳ ଏବଂ ନିଆଁ ଲାଗିବା ପୂର୍ବର ଶିମିଳିପାଳକୁ ଦେଖାଇଛନ୍ତି ।

Rapper Raman Kumar Spreads Message To Save Nature Through ‘Similipal Is Burning’ Number

ରମଣଙ୍କ ରାପ୍ #SaveSimilipal ରିଲିଜ୍ ପରେ ବେଶ୍ ଭାଇରାଲ୍ ହୋଇଛି । ରମଣ ଅନେକ ଗୁଡ଼ିଏ ରାପ୍ ସଙ୍ଗ ଓଡ଼ିଆ, କୋରାପୁଟିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ କରିଛନ୍ତି । ଯେଉଁଥିରେ ରମଣ ନିଜେ ଗୀତ ଗାଇବା ସହ ଅଭିନୟ କରିଛନ୍ତି । ନିକଟରେ ଚର୍ଚ୍ଚିତ କୋଟିଆ ସୀମା ବିବାଦକୁ ନେଇ ରମଣ ରାପ୍ ସଙ୍ଗ ପ୍ରସ୍ତୁତ କରିଥିଲେ । କୋରାପୁଟ ସେମିଳିଗୁଡ଼ା ନନ୍ଦପୁର ରୋଡରେ ବିଜୟଚନ୍ଦ୍ର ଅକୁଡୁ ଓ ଭାନୁମତିଙ୍କ ପୁଅ ହେଉଛନ୍ତି ରମଣ ।

ସେମିଳିଗୁଡ଼ାର ଏକ ଘରୋଇ କଲେଜରେ ଇଞ୍ଜିନିୟରିଂ ପାଠ ଶେଷ କରିଛନ୍ତି ରମଣ । ଇଞ୍ଜିନିୟରିଂ ପଢ଼ିଥିବା ରମଣ ସାମାଜିକ ପ୍ରସଙ୍ଗ ସହ ତାଙ୍କ ରାପ୍ ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହୋଇ ରହିବାକୁ ଚାହିଁଥାନ୍ତି । ନିଜର ବ୍ୟବସାୟ କରିବା ସହ ଲୋକଙ୍କ ସହ ଯୋଡ଼ିହେବା ଭଳି ଚାକିରି ଲାଗି ସେ ପ୍ରୟାସ ଜାରି ରଖିଛନ୍ତି ।

ଓଡ଼ିଶାର କଳା, ସଂସ୍କୃତି ସହ କୋରାପୁଟର କଥାକୁ ନେଇ ରମଣ ରାପ୍ ପ୍ରସ୍ତୁତ କରିଛନ୍ତି । କରୋନା ଯୋଦ୍ଧାଙ୍କୁ ନେଇ ବି ରାପ୍ କରିଛନ୍ତି ରମଣ । ବିଗତ ୨ ବର୍ଷ ହେଲା ରମଣ ରାପ୍ ସଙ୍ଗ ପ୍ରସ୍ତୁତ କରୁଥିବା ବେଳେ ୪ରୁ ୫ ବର୍ଷ ତଳୁ ଲେଖାଲେଖି ଆରମ୍ଭ କରିଥିଲେ ।

Comments are closed.