Latest Odisha News

ଘର କିଣିବାକୁ ଘରଣୀଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ବର: କିଛି ଦିନ ତଳେ ମାତ୍ର ଦୁଇ ବର୍ଷ ପୂରିଥିଲା ରାଜଧାନୀ ଉପକଣ୍ଠ ବାଲିଅନ୍ତାର ସୁଚିସ୍ମିତାଙ୍କ ବାହାଘରକୁ । ଏବେ ସେ ଥିଲେ ମାତ୍ର ୫ ମାସର ଗର୍ଭବତୀ । କିନ୍ତୁ ଗତକାଲି ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ବାପଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ ତାଙ୍କୁ ହତ୍ୟା କରିଛନ୍ତି । ଘର କିଣିବା ପାଇଁ ବାପଘରୁ ଟଙ୍କା ଆଣିବାକୁ ସୁଚିସ୍ମିତାଙ୍କୁ ଚାପ ଦିଆଯାଉଥିବା ଜଣାପଡିଛି ।

ସୂଚନା ଯୋଗ୍ୟ ଯେ, ୨୦୧୯ ଡିସେମ୍ବରରେ ସୁଚିତ୍ମିତାଙ୍କର ଯାଜପୁରର ସୁବୀର କୁମାର ମୁଦୁଲିଙ୍କ ସହ ବିବାହ ହୋଇଥିଲେ । ଉଭୟେ ସମାନ କମ୍ପାନୀରେ କାମ କରୁଥିଲେ । ବିବାହ ପରେ ଦୁହେଁ ପାହାଳରେ ରହୁଥିଲେ । ତେବେ ଘର କିଣିବା ପାଇଁ ବାପାଙ୍କ ପାଖରୁ ଟଙ୍କା ଆଣିବାକୁ ସୁବୀର ବାରମ୍ବାର ସୁଚିସ୍ମିତାଙ୍କୁ ବାଧ୍ୟ କରିଆସୁଥିଲେ । ଏଥି ପାଇଁ ତାଙ୍କୁ ନିର୍ଯାତନା ମଧ୍ୟ ଦିଆଯାଉଥିଲା ।

ଗତକାଲି ରାତିରେ ସୁଚିସ୍ମିତା ବାପାଙ୍କ ପାଖକୁ କଲ କରି କହିଥିଲେ ଯେ ବାପା ମୁଁ ଆଉ ବଞ୍ଚିବିନି । ଏହାର ଅଳ୍ପ ସମୟ ପରେ ଜ୍ୱାଇଁ ସୁବୀର ଶ୍ୱଶୁରଙ୍କୁ ଜଣାଇଥିଲେ ଯେ ସୁଚିସ୍ମିତା ନିଜକୁ ଏକ ରୁମରେ ବନ୍ଦ କରି ରଖିଛନ୍ତି । ଏ କଥା ଶୁଣି ବାପା ମାଆ ଝିଅ ଘରକୁ ତୁରନ୍ତ ଆସିଥିଲେ । କିନ୍ତୁ ସେଠାରେ ଝିଅର ମୃତଦେହ ଦେଖିବାକୁ ପାଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ପରେ ସୁବୀରଙ୍କୁ ଅଟକ ରଖିଛି ପୋଲିସ ।

Leave A Reply

Your email address will not be published.