ନୂଆଦିଲ୍ଲୀ : ଆସନ୍ତା ଗୋଟିଏ ବର୍ଷ ମଧ୍ୟରେ ଦେଶରେ ଥିବା ସମସ୍ତ ଟୋଲ ଗେଟ୍ ଉଚ୍ଛେଦ ହେବ । ଜିପିଏସ୍ ବ୍ୟବସ୍ଥା ମାଧ୍ୟମରେ ଗାଡ଼ି ଗୁଡ଼ିକ ଠାରୁ ଆଦାୟ କରାଯିବ ଟୋଲ୍ ଫି । ଲୋକସଭାରେ ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ।
ପରିବହନ ମନ୍ତ୍ରୀ କହିଛନ୍ତି, ବର୍ଷକ ଭିତରେ ସାରା ଦେଶରେ ଏହି ଜିପିଏସ୍ ଇମେଜିଂ ବ୍ୟବସ୍ଥାରେ ଟୋଲ ଆଦାୟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ଏହାଦ୍ବାରା ରାଜପଥରେ ଲୋକମାନେ ଯେତିକି ଗାଡ଼ି ଚଳାଇବେ, ସେତିକି ପଇସା ଦେବେ । ଏଥିସହ ଆଗାମୀ ଦିନରେ ନୂଆ ଗାଡ଼ି କିଣିଲା ବେଳେ କମ୍ପାନୀ ଜିପିଏସ ଲଗାଇଦେବ । ସେହିପରି ପୁରୁଣା ଗାଡ଼ି ଗୁଡ଼ିକରେ ଜିପିଏସ ବ୍ୟବସ୍ଥା ନାହିଁ । ତେଣୁ ଟୋଲ୍ ପଇସା ଆଦାୟ କରିବା ପାଇଁ ସରକାର ମାଗଣାରେ ପୁରୁଣା ଗାଡ଼ି ଗୁଡ଼ିକରେ ଜିପିଏସ୍ ଲଗାଇବେ ବୋଲି ମନ୍ତ୍ରୀ କହିଛନ୍ତି ।
ଏହାପୂର୍ବରୁ ଟୋଲ୍ ଆଦାୟ ପାଇଁ ଫାସ୍ ଟ୍ୟାଗକୁ ବାଧ୍ୟତାଳମୂଳକ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୯୩ ପ୍ରତିଶତ ଗାଡି ଫାସଟ୍ୟାଗ ଲଗାଇଥିବା ବେଳେ, ବାକି ୭ ପ୍ରତିଶତ ଗାଡ଼ି ଫାସଟ୍ୟାଗ ଲଗାଇନାହାନ୍ତି । ଫାସଟ୍ୟାଗ ଲାଗୁ ହେବା ପରଠୁ ପ୍ରତିଦିନ ୧୦୦ କୋଟିରୁ ଅଧିକ ଟଙ୍କାର ଟୋଲ ଫି ଆଦାୟ ହେଉଛି ।
Comments are closed.