Latest Odisha News

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି, ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଭେଙ୍କିୟା 

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରତି ଏମ. ଭେଙ୍କିୟା ନାଇଡୁ । ଏପ୍ରିଲ ୨ ଅର୍ଥାତ ଆସନ୍ତାକାଲି ସେ ଓଡ଼ିଶାରେ ପହଞ୍ଚିବେ । ଏହି ଗସ୍ତ ଅବସରରେ ଉପରାଷ୍ଟ୍ରତି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ ତଥା ସମାବର୍ତ୍ତନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । 

ଏହାଛଡ଼ା କଟକ ସ୍ଥିତ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ ସମାରୋହରେ ମଧ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଉପରାଷ୍ଟ୍ରତି ଭେଙ୍କିୟା ନାଇଡୁ । ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉଭୟ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଉପରାଷ୍ଟ୍ରତି ଆସନ୍ତାକାଲି ପୂର୍ବାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ସେହିଦିନ ଅପରାହ୍ଣ ସାଢ଼େ ୫ଟାରେ କଟକ ଯିବେ । ସେଠାରେ ବିଜୁ ପଟ୍ଟନାୟକ ଛକ ଠାରେ ଥିବା ସାରଳା ଭବନ ପରିସରରେ ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ ଏବଂ ସାରଳା ସାହିତ୍ୟ ସଂସଦର ୪୦ତମ ବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଉପରାଷ୍ଟ୍ରତି ଭେଙ୍କିୟା ନାଇଡୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହାପରେ ଏପ୍ରିଲ ୩ ତାରିଖ, ଶନିବାର ପୂର୍ବାହ୍ନ ସାଢ଼େ ୧୦ଟାରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହେବାକୁ ଥିବା ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଉପରାଷ୍ଟ୍ରତି । ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଧ୍ୟକ୍ଷତା କରିବେ ।

ଏହି ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା, ଭାବା ଆଟମିକ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡ. ବିଜୟ କୁମାର ସାହୁ, ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ ପ୍ରମୁଖଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରିବେ ଉପରାଷ୍ଟ୍ରପତି । 

ଏହାସହ ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ୪୧ ଜଣଙ୍କୁ ପିଏଚଡି ଓ ୯୦ ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ । ସେହିପରି ୨୦୧୮-୧୯ ଶିକ୍ଷା ବର୍ଷ ପାଇଁ ୧୩୦ ଜଣଙ୍କୁ ପିଏଚଡି/ଡିଲିଟ୍ ଏବଂ ୯୦ ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ । ସେହିଦିନ ଅପରାହ୍ଣରେ ଉପରାଷ୍ଟ୍ରପତି ଦିଲ୍ଲୀ ଅଭିମୁଖେ ପ୍ରସ୍ଥାନ କରିବେ ।

Leave A Reply

Your email address will not be published.