Latest Odisha News

BREAKING NEWS

ଜିତେନ୍ଦ୍ର ପଟ୍ଟନାୟକଙ୍କ ପୁସ୍ତକ ‘ଡଙ୍ଗରାନ କୁଆଁ’, ଲୋକାର୍ପିତ କଲେ ରାଜ୍ୟପାଳ

ଭୁବନେଶ୍ୱର: ଜିତେନ୍ଦ୍ର ପଟ୍ଟନାୟକଙ୍କ ଆଦିବାସୀ ପୁସ୍ତକ ‘ଡଙ୍ଗରାନ କୁଆଁ’ ଲୋକାର୍ପିତ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ପୁସ୍ତକକୁ ଲୋକାର୍ପିତ କରିଛନ୍ତି I ନିୟମଗିରି ପାର୍ବତ୍ୟାଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ଜୀବନ ସଂସ୍କୃତି ଓ ସଂଘର୍ଷ ଉପରେ ଏହି ଗବେଷଣାତ୍ମକ ପୁସ୍ତକ ଲେଖାଯାଇଛି । ବିଶିଷ୍ଟ ଗବେଷକ ତଥା ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକ ଏହାର ଲେଖକ I  
ମହାମହିମ ରାଜ୍ୟପାଳ ପ୍ରଫେସର ଲାଲ ଆଦିମ ଡଙ୍ଗରିଆ ଜନଜାତିଙ୍କ ଉପରେ ଏହା ଏକ ଉପାଦେୟ ଓ ବିରଳ ଗବେଷଣାତ୍ମକ ପୁସ୍ତକ ବୋଲି କହିଛନ୍ତି । ସେ କହିଛନ୍ତି,  ଜିତେନ୍ଦ୍ର ବାବୁ ନିୟମଗିରିର ଦୁର୍ଗମ ଅଞ୍ଚଳ ଯାଇ ଯେଉଁ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ତାହା ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିବ I ତାଙ୍କୁ ମୋର ଆଶୀର୍ବାଦ I ତେଣୁ ବିଭିନ୍ନ ଜନଜାତିଙ୍କ ଉପରେ ସେ ଏଭଳି ଗବେଷଣା ଜାରି ରଖନ୍ତୁ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ I  
“ଡଙ୍ଗରାନ କୁଆଁ’ର ଅର୍ଥ ହେଉଛି ‘ବଣର ମଣିଷ’ ବା ଜଙ୍ଗଲୀ ମଣିଷ I ୨୪୨ ପୃଷ୍ଠା ସମ୍ବଳିତ ଏହି ପୁସ୍ତକଟିରେ ମୋଟ ୬ଟି ମୁଖ୍ୟ ବିଭାଗ ଥିଲା ବେଳେ ୧୬ଟି ଉପବିଭାଗ ରହିଛି I ଏଥିରେ ମୁଖ୍ୟତଃ ଡଙ୍ଗରିଆଙ୍କ ଜୀବନ ଓ ସଂସ୍କୃତି, ଜୀବନ ଓ ଜୀବିକା, ଡଙ୍ଗରିଆଙ୍କ ଲୁହ, କାଠ ଗଡାରେ ନିୟମଗିରି ଏବଂ ସମସ୍ୟା ଓ ସମାଧାନ ଉପରେ ଫୋକସ କରାଯାଇଛି I

ପୁସ୍ତକରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ‘ପ୍ରଥମ ଅର୍ଘ୍ୟ’ ଅର୍ପଣ କରିଥିଲା ବେଳେ ବିଶିଷ୍ଟ ଲେଖକ, ଗବେଷକ, ଅନୁବାଦକ ଅସିତ କୁମାର ମହାନ୍ତି ମୁଖବନ୍ଧ ଲେଖିଛନ୍ତି I ଏହି ପୁସ୍ତକଟି ପାଠକ ଓ ଗବେଷକଙ୍କ ମହଲରେ ଖୁବ ଆଦୃତ ହେବ ବୋଲି ଆଶା କରାଯାଉଛି I  

ସୂଚନାଯୋଗ୍ୟ, ଗବେଷକ ଜିତେନ୍ଦ୍ର ପଟ୍ଟନାୟକ ପୂର୍ବରୁ ଆଉ ଏକ ଗୋଂଡ ଜନଜାତିଙ୍କ ଜୀବନ ଓ ସଂସ୍କୃତି ଉପରେ ବିରଳ ଗବେଷଣାତ୍ମକ ପୁସ୍ତକ “ଡ଼ଙ୍ଗର ଉହାଡେ ଜହ୍ନ” ରଚନା କରି ବେଶ ଚର୍ଚିତ ହୋଇଥିଲେ I ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ I ରାଜ୍ୟରେ ପ୍ରାୟ ସବୁ ସରକାରୀ ପାଠାଗାରରେ ଏହା ଉପଲବ୍ଧ I ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ମଧ୍ୟ ତାହା ଅର୍ପଣ ହୋଇଥିଲା I
Leave A Reply

Your email address will not be published.