Latest Odisha News

BREAKING NEWS

ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ: ୧୯ରୁ ଉଚ୍ଚଶିକ୍ଷାନୁଷ୍ଠାନ ବନ୍ଦ, ହଷ୍ଟେଲ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡିଚାଲିଛି । ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଗୋଟିଏ ପରେ ଗୋଟିଏ କଟକଣା ଜାରି କରାଯାଉଛି ।  ସୋମବାରଠାରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ କ୍ଲାସ ଓ ପରୀକ୍ଷା ସ୍ଥଗିତ ରଖିବାକୁ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ସୂଚନା ଅନୁସାରେ, ସୋମବାରଠାରୁ ରାଜ୍ୟର କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ କ୍ଲାସ ହେବନାହିଁ । ତା ସହିତ ପିଲାମାନେ ଅଫଲାଇନରେ ମଧ୍ୟ ପରୀକ୍ଷା ଦେବେନାହିଁ । ଏପ୍ରିଲ ୧୯ରୁ ସମସ୍ତ ଥିଓରୀ ଓ ପ୍ରାକ୍ଟିକାଲ କ୍ଲାସ ବନ୍ଦ ରହିବା ସହ ସମସ୍ତ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ପରବର୍ତ୍ତୀ ସମୟରେ କରୋନା ସଂକ୍ରମଣ ପ୍ରଭାବ ହ୍ରାସ ହେଲେ ନୂଆ ପରୀକ୍ଷା ସୂଚୀ ପ୍ରକାଶ ପାଇବ ।
ଏହି ନିର୍ଦ୍ଦେଶନାମା ଅନୁଯାୟୀ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ସରକାରୀ, ବେସରକାରୀ, ଘରୋଇ ଓ ଅନୁଦାନ ତଥା ଅଣ-ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ଅବଗତ କରାଯାଇଛି ।
ଏହାସହ ଆସନ୍ତା ୧୯ ତାରିଖ ସୁଦ୍ଧା ସମସ୍ତ ହଷ୍ଟେଲ ବନ୍ଦ କରିବାକୁ କୁହାଯାଇଛି । ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୁପକ୍ଷ ଅଧା କର୍ମଚାରୀଙ୍କୁ ନେଇ କାମ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ଜଣାଇଦେଇଛି ।
ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକୁ ୫୦ ପ୍ରତିଶତ କର୍ମଚାରୀ ଆସିବେ । ସମ୍ପୃକ୍ତ ଅନୁଷ୍ଠାନ ମୁଖ୍ୟ କର୍ମଚାରୀଙ୍କ ସହ ପରାମର୍ଶ କରି ରୋଟେସନ ଭିତ୍ତିରେ କର୍ମଚାରୀଙ୍କୁ ଶିକ୍ଷାନୁଷ୍ଠାନକୁ ଆସିବାକୁ ଅନୁମତି ଦେବେ । ଅଧ୍ୟାପକ/ଅଧ୍ୟାପିକାମାନେ ନିଜ ଘରୁ କିମ୍ବା କଲେଜରୁ ଅନଲାଇନ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷାଦାନ କରିବେ ଓ କୋର୍ସ ସମାପ୍ତ କରିବେ ।
ଯେଉଁ ଉଚ୍ଚଶିକ୍ଷାନୁଷ୍ଠାନ ସ୍ୱାସ୍ଥ୍ୟ ତଥା ମେଡିକାଲ ସମ୍ବନ୍ଧୀୟ ଶିକ୍ଷାଦାନ କରୁଥିବେ, ସେମାନଙ୍କ ପାଇଁ ଏହି ନିର୍ଦ୍ଦେଶାବଳୀ ଲାଗୁ ହେବ ନାହିଁ । ସେଭଳି ଶିକ୍ଷାନୁଷ୍ଠାନ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଲଗା ନିର୍ଦ୍ଦେଶାବଳୀ ଜାରି କରିବେ ।
Leave A Reply

Your email address will not be published.