Latest Odisha News

BREAKING NEWS

ନୂଆ ଜୀବନ ପାଇଲା ଗର୍ଭବତୀ ନାଗ ସାପ

ଭୁବନେଶ୍ୱର: ସାପ ପାଟିରେ ଲଗାଯାଇଥିଲା ରାସାୟନିକ ଅଠା । ଦୀର୍ଘ ୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଖୋଲାଯାଇଥିଲା ସାପ ପାଟି । ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ରାଜଧାନୀ ଭୁବନେଶ୍ୱର ।

ଗତକାଲି ରଥ ରୋଡ ବ୍ୟାଙ୍କ କଲୋନୀ ନିକଟସ୍ଥ ଗୋବିନ୍ଦେଶ୍ୱର ରୋଡରେ ଥିବା ତାରିଣୀ ମନ୍ଦିର ନିକଟରେ ଜଣେ ବ୍ୟକ୍ତି ଏକ ନାଗ ସାପକୁ ପକାଇ ଚାଲିଯାଇଥିଲେ । ଏହି ଘଟଣା ମନରେ ସନ୍ଦେହ ସୃଷ୍ଟି କରିବାରୁ ଉପସ୍ଥିତ ଲୋକେ ସ୍ନେକ ହେଲ୍ପ ଲାଇନ୍‌କୁ ଖବର ଦେଇଥିଲେ । ଖବର ପାଇ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ଅରୁଣ କୁମାର ବରାଳ ସାପଟିକୁ ଉଦ୍ଧାର କରି ନିଜ କାର୍ଯ୍ୟାଳୟକୁ ନେଇଯାଇଥିଲେ । ସେଠାରେ ସାପ ପାଟିରେ ଅଠା ଲାଗିଥିବା ଦେଖି ସ୍ନେକ୍ ହେଲ୍ପ ଲାଇନ୍ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ସାପର ପାଟିକୁ ଖୋଲିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ।

ଆଜି ସକାଳେ ଓୟୁଏଟି ସ୍ଥିତ ଭେଟେରନାରୀ କଲେଜକୁ ସାପଟିକୁ ଅଣାଯାଇଥିଲା । ସାପଟି ନିସ୍ତେଜ ହୋଇ ପଡିରହିଥବାରୁ ସର୍ଜରୀ ବିଭାଗର ମୁଖ୍ୟ ତଥା ପ୍ରଫେସର ଇନ୍ଦ୍ରମଣି ନାଥ ପ୍ରଥମେ ଏକ୍ସରେ କରିଥିଲେ । ସାପଟି ଗର୍ଭବତୀ ଥବା ଜାଣିପାରି ପାଟିରେ ଲାଗିଥିବା ଅଠାକୁ ଛଡାଇବା ଲାଗି ରାସାୟନିକ ତରଳ ପଦାର୍ଥ ବଦଳରେ ଲେମ୍ବୁ ରସ ବ୍ୟବହାର କରାଯାଇଥିଲା । ନଖ ଉଷୁଣ ପାଣିରେ ଲେମ୍ବୁ ରସ୍ ମିଶ୍ରଣ କରାଯାଇ ଶେଷରେ ଦୀର୍ଘ ଏକ ଘଣ୍ଟା ପରେ ସାପର ପାଟି ଧୀରେଧୀରେ ଖୋଲିବାକୁ ଲାଗିଥିଲା ।

ଏହି ବିପଦପୂର୍ଣ୍ଣ କାମକୁ ସଫଳ କରିଦେଖାଇଥିଲେ ହେଲ୍ପ ଲାଇନ୍ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଦାସ ଓ ସିଲ୍କ ସଲୋନୀ । ପ୍ରଫେସର ଇନ୍ଦ୍ରମଣୀଙ୍କ ଅନୁଯାୟୀ ସାପ ପାଟିକୁ ବନ୍ଦ କରିବାକୁ କେହି ଜାଣିଶୁଣି ଫେବି କ୍ୱିକ୍ କିମ୍ବା ଅନ୍ୟ ରାସାୟନିକ ଅଠା ବ୍ୟବହାର କରିଥିଲେ । ଅନ୍ୟପଟେ ଶୁଭେନ୍ଦୁ ମଲ୍ଲିକ ଏହି ଘଟଣାକୁ ନିନ୍ଦା କରିବା ସହ ଧାର୍ମିକ ଅନୁଷ୍ଠାନରେ ବ୍ୟବହାର କରିବା ପାଇଁ ସାପ ପାଟିରେ ଅଠା ଲଗାଯାଇଥିବା ପ୍ରକାଶ କରିଥିଲେ । ପ୍ରାଥମିକ ଚିିକିତ୍ସା ପରେ ସାପଟି ଅବଜରଭେସନ୍‌ରେ ଥିବାବେଳେ ଗୋଟିଏ ଦିନରେ ତାକୁ ବନ୍ୟ ଆବାସ ସ୍ଥଳୀରେ ଛଡାଯିବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.