Latest Odisha News

BREAKING NEWS

ପୁଲୱାମା ଆକ୍ରମଣ ଲାଗି ଓଡ଼ିଶା ଗସ୍ତ ବାତିଲ୍ କଲେ ଅମିତ ଶାହ

ଭୁବନେଶ୍ୱର: ଜମ୍ମୁ ଓ କାଶ୍ମୀରର ପୁଲୱାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଶୁକ୍ରବାର ଦିନ ଓଡ଼ିଶା ଗସ୍ତକୁ ବାତିଲ୍ କରିଦେଇଛନ୍ତି । ଶୁକ୍ରବାର ଦିନ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥାଆନ୍ତେ ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ତାଙ୍କର ଏହି ୩ୟ ଓଡ଼ିଶା ଗସ୍ତରେ ସମ୍ବଲପୁର ଆସି ସମ୍ବଲପୁରଠାରେ ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀର ବୁଥସ୍ତରୀୟ ବୈଠକ ଏବଂ କାର୍ଯ୍ୟକ୍ରମରେ ଯୋଗ ଦେଇଥାଆନ୍ତେ । ଓଡ଼ିଶାର ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଯଥା – ଢେଙ୍କାନାଳ, ବରଗଡ଼, ସୁନ୍ଦରଗଡ଼ ଏବଂ ସମ୍ବଲପୁରର ବୁଥସ୍ତରୀୟ ବରିଷ୍ଠ ନେତା, ସଭାପତି, ସମ୍ପାଦକ ତଥା ମଣ୍ଡଳ ପ୍ରଭାରୀ ଏବଂ ଓଡ଼ିଶା ରାଜ୍ୟ କର୍ମକର୍ତ୍ତାମାନଙ୍କ ସହିତ ବୈଠକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ରଣନୀତି ପ୍ରସ୍ତୁତ ସମ୍ପର୍କରେ ବିଶଦ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କର ।

ଗୁରୁବାର ଦିନ ଅମିତ ଶାହ ପୁଲୱାମାଠାରେ ଜୈଶ-ଇ-ମହମ୍ମଦ ଦ୍ୱାରା ଘଟିତ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୪୪ ଜଣ ଯବାନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଏହି ଘଟଣାର ଦୃଢ ନିନ୍ଦା କରିଛନ୍ତି । ସେ କହିଛନ୍ତି, “ଏହା ଏକ ସମ୍ପୂର୍ଣ୍ଣ କାପୁରୁଷୋଚିତ କାର୍ଯ୍ୟ ଏବଂ ଆତଙ୍କବାଦ ସହିତ ଯେଉଁମାନେ ସଂଶ୍ଳିଷ୍ଟ ସେମାନଙ୍କୁ ସୁରକ୍ଷାବଳ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରିବେ,” ବୋଲି ସେ କହିଛନ୍ତି ।

ଅମିତ ଶାହ ଏହି ଘଟଣାରେ ସହିଦ ହୋଇଥିବା ସମସ୍ତ ଯବାନଙ୍କ ପ୍ରତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଗୁରୁବାର ଦିନ ସନ୍ଧ୍ୟାବେଳେ ଜମ୍ମୁ ଓ କାଶ୍ମୀର ପୁଲୱାମା ନିକଟସ୍ଥ ଶ୍ରୀନଗର-ଜମ୍ମୁ ରାଜପଥରେ ବିସ୍ଫୋରକପୂର୍ଣ୍ଣ ଆତ୍ମଘାତୀ ଆତଙ୍କବାଦୀଙ୍କ ଦ୍ୱାରା ବିସ୍ଫୋରଣ ଘଟିବା ଫଳରେ ୪୪ ଜଣ ସିଆରପିଏଫ ଯବାନଙ୍କ ପ୍ରାଣହାନୀ ଘଟିଥିଲା । ଦେଶ ଲାଗି ପ୍ରାଣବଳୀ ଦେଇଥିବା ଏହି ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ସୁରକ୍ଷାକର୍ମୀ ରହିଛନ୍ତି । ଏହି ଦୁଇଜଣ ଓଡ଼ିଆ ବୀର ଯବାନ ହେଲେ ମନୋଜ କୁମାର ବେହେରା ଏବଂ ପ୍ରସନ୍ନ କୁମାର ସାହୁ ।

Leave A Reply

Your email address will not be published.