Latest Odisha News

BREAKING NEWS

ଭୋର୍ ୪ଟା ୪୫ରେ ୨ଜଣ ଓଡ଼ିଆ ସହିଦଙ୍କ ପାର୍ଥିବ ଶରୀର ଓଡ଼ିଶାରେ ପହଞ୍ଚିବ

ଭୁବନେଶ୍ୱର: ଜୈଶ-ଇ-ମହମ୍ମଦର ଆତଙ୍କବାଦୀଙ୍କ ବର୍ବୋରଚିତ ଆକ୍ରମଣରେ ଦେଶ ମାତୃକା ଲାଗି ପ୍ରାଣବଳୀ ଦେଇଥିବା ଦୁଇ ଜଣ ଓଡ଼ିଆ ସହିଦଙ୍କ ପାର୍ଥିବ ଶରୀର ଭୋର୍ ୪ଟା ୪୫ ମିନିଟ ସମୟରେ ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବ ।

ଜମ୍ମୁ ଓ କାଶ୍ମୀରର ପୁଲୱାମାଠାରେ ସହିଦ ହୋଇଥିବା ସମସ୍ତ ବୀର ଯବାନଙ୍କୁ ଅନ୍ତିମ ଦର୍ଶନ କରିବା ସହିତ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରାତି ପ୍ରାୟ ୨ଟା ୩୦ ମିନିଟରେ ଏକ ଇଣ୍ଡିଗୋ ବିମାନରେ ନୂଆଦିଲ୍ଲୀ ବିମାନବନ୍ଦରରେ ସମ୍ମାନ ପ୍ରଦର୍ଶନ ପରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ପଠାଇ ଦିଆଯିବ ବୋଲି ସିଆରପିଏଫ ଡ଼ିଆଇଜି ଏସ କେ ଟିଗା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସହିଦଙ୍କ ପାର୍ଥିବ ଶରୀର ଭୋର୍ ୪ଟା ୪୫ ମିନିଟରେ ପହଞ୍ଚିଲା ପରେ ଦୁଇଜଣ ସିଆରପିଏଫ ଡ଼ିଆଇଜିଙ୍କ ତତ୍ୱାବଧାନରେ ସେମାନଙ୍କ ଗ୍ରାମକୁ ଅନ୍ତିମ ସଂସ୍କାର ଲାଗି ନିଆଯିବ ।

ପୁଲୱାମା ଆତଙ୍କୀ ଆକ୍ରମଣରେ ଯେଉଁ ୪୨ ଜଣ ସହିଦ ହୋଇଛନ୍ତି ସେମାନଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ବୀର ଯବାନ ପ୍ରସନ୍ନ କୁମାର ସାହୁ ଏବଂ ମନୋଜ କୁମାର ବେହେରା ଅଛନ୍ତି । ଜଗତସିଂହପୁର ଜିଲ୍ଲା ନାଉଗାଁରେ ପ୍ରସନ୍ନଙ୍କ ଘର ହୋଇଥିବା ବେଳେ ସହିଦ ମନୋଜଙ୍କ ଘର କଟକ ଜିଲ୍ଲା ନିଆଳିରେ ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶ ମାତୃକା ଲାଗି ପ୍ରାଣ ବିସର୍ଜନ କରିଥିବା ୨ଜଣ ସହିଦଙ୍କ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ନିଜେ ଫୋନ କରି ସମବେଦନା ଜଣାଇବା ସହିତ ସାନ୍ତ୍ୱନା ପ୍ରଦାନ କରିଛନ୍ତି ।

ପୂର୍ବରୁ ସହିଦଙ୍କ ପରିବାରବର୍ଗଙ୍କ ଲାଗି ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।

Leave A Reply

Your email address will not be published.