Latest Odisha News

BREAKING NEWS

ଆତଙ୍କବାଦୀଙ୍କୁ କଡ୍ଡା ଜବାବ ଦିଆଯିବ: ମୋଦୀ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ସମଗ୍ର ଦେଶରେ ହଲଚଲ୍ ସୃଷ୍ଟି ହୋଇଛି । ଏହି ଘଟଣାର ପ୍ରତିଶୋଧ ଅପେକ୍ଷାରେ ରହିଛନ୍ତି ଦେଶବାସୀ । ଏହି ଘଟଣାର କଡ଼ା ଭାଷାରେ ତୀବ୍ର ନିନ୍ଦା କରିବା ସହିତ ଭାରତ ମାଟିରୁ ଆତଙ୍କବାଦର ସମ୍ପୂର୍ଣ୍ଣ ବିଲୋପ ଲାଗି ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଉତ୍ତରପ୍ରଦେଶର ଝାନସୀଠାରେ ଅନୁଷ୍ଠିତ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଉଦବୋଧନ ଦେଇ ମୋଦୀ ପାକିସ୍ତାନ ପ୍ରରୋଚିତ ଆତଙ୍କବାଦୀଙ୍କ ଏପରି ଘୃଣ୍ୟ କାର୍ଯ୍ୟକୁ କଡ଼ା ଭାଷାରେ ନିନ୍ଦା କରିବା ସହିତ ପ୍ରାଣବଳୀ ଦେଇଥିବା ସହିଦଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

ମୋଦୀ ତାଙ୍କ ଉଦବୋଧନରେ କହିଛନ୍ତି, ପାକିସ୍ତାନ ଭୁଲ୍ ରାସ୍ତାରେ ଯାଉଛି । ଆତଙ୍କବାଦ ସମାପ୍ତ କରିବାକୁ ଦୃଢ ପଦକ୍ଷେପ ନିଆଯିବ । ଦୋଷୀକୁ ନିଶ୍ଚିତ ଦଣ୍ଡ ଭୋଗିବାକୁ ପଡ଼ିବ ଏବଂ ବହୁମୂଲ୍ୟ ଦେବାକୁ ପଡ଼ିବ । ସମଗ୍ର ଦେଶ ଏହି ପରିସ୍ଥିତିକୁ ମୁକାବିଲା କରୁଛି ।

ସବୁଠାରୁ ବଡ଼କଥା ହେଲା, ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାଦ ବିରୋଧରେ ଖୋଲାଖୋଲି ଚ୍ୟାଲେଞ୍ଜ୍ ଦେଇଛନ୍ତି । ସେ କହିଛନ୍ତି, ଆତଙ୍କବାଦୀ ବହୁତ ବଡ଼ ଭୁଲ୍ କରିଦେଲେ ଏବଂ ସେ ସେନାକୁ ଏହାର ଉଚିତ୍ ଦେବା ଲାଗି ନିଜସ୍ୱ ନିଷ୍ପତ୍ତି ନେବାକୁ ଅନୁମତି ଦେଇସାରିଛନ୍ତି ।

ଗୁରୁବାର ଦିନ ଶ୍ରୀନଗର ରାଜପଥର ପୁଲୱାମାଠାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ଘଟଣା ପରେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସୁରକ୍ଷା ସମ୍ପର୍କୀତ ଏକ କ୍ୟାବିନେଟ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

କେନ୍ଦ୍ର କ୍ୟାବିନେଟର ଅଧିକାଂଶ ମନ୍ତ୍ରୀମାନଙ୍କ ଉପସ୍ଥ୍ିତିରେ ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନଠାରୁ ମୋଷ୍ଟ ଫେବର୍ଡ଼ ନ୍ୟାସନ ମାନ୍ୟତା ପୁଣିଥରେ ଫେରାଇ ନିଆଯାଇଛି । ଏହାଫଳରେ ଭାରତ ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ପ୍ରଭାବିତ ହେବ । ଭାରତ ପକ୍ଷରୁ ପାକିସ୍ତାନକୁ ଦିଆଯାଉଥିବା ସମସ୍ତ ସୁଯୋଗ ପ୍ରତ୍ୟାହାର କରିନିଆଯିବ ।

ପାକିସ୍ତାନକୁ ଆନ୍ତର୍ଜାତିକ ସ୍ତରରେ ଏକଘରିକିଆ କରିବାକୁ ଏବଂ ଏହାକୁ ଏକ ଆତଙ୍କବାଦୀ ଦେଶ ଭାବେ ଘୋଷଣା କରିବାକୁ ବଡ଼ ବଡ଼ ଦେଶ ମାନଙ୍କ ସହିତ ଆଲୋଚନା କରି ଚାପ ସୃଷ୍ଟି କରିବ । ଏହି ବୈଠକରେ ମିଳିତ ଜାତିସଂଘରେ ୧୯୮୬ ମସିହାରେ ପ୍ରଣୟନ କରାଯାଇଥିବା ଆତଙ୍କବାଦ ସମ୍ପର୍କୀତ ଉକ୍ତିକୁ ବଦଳାଇବା ଲାଗି ପ୍ରସ୍ତାବ ଦିଆଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇତି ମଧ୍ୟରେ ନୂଆଦିଲ୍ଲୀଠାରେ ସମସ୍ତ ସହିଦ ଯବାନଙ୍କ ମରଶରୀରର ଅନ୍ତିମ ଦର୍ଶନ କରିବା ସହିତ ସେ ତାଙ୍କର ଶେଷ ସମ୍ମାନ ପ୍ରଦର୍ଶନ କରିଛନ୍ତି । ସମସ୍ତ ସହିଦ ଯବାନଙ୍କ ମରଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଜ୍ଞାପନ କରାଯିବା ସହିତ ନିଜ ବାସସ୍ଥାନକୁ ପଠାଇ ଦିଆଯିବା ଲାଗି ସ୍ୱତନ୍ତ୍ର ବିମାନର ପ୍ରସ୍ତୁତି ହୋଇଛି ।

Leave A Reply

Your email address will not be published.