ନୂଆଦିଲ୍ଲୀ : ସାରା ଦେଶରେ ଏବେ ଚିନ୍ତା ବଢାଇଛି ମହାମାରୀ କରୋନା । ପ୍ରତିଦିନ ଲକ୍ଷାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ, ଅନେକ ଲୋକଙ୍କ ଜୀବନ ବି ଗଲାଣି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଆଜି କେନ୍ଦ୍ର ସରକାର ମାସ୍କ ପିନ୍ଧିବା ଉପରେ ପୁଣି ଗୁରୁତ୍ୱ ଦେଇଛନ୍ତି । ଏବେ ଘରେ ରହିଲେ ବି ମାସ୍କ ପିନ୍ଧିବାକୁ କହିଛନ୍ତି କେନ୍ଦ୍ର ସରକାର । ମହାମାରୀ କରୋନାର ଦ୍ବିତୀୟ ଲହରରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ନିହାତି ଜରୁରୀ ବୋଲି କେନ୍ଦ୍ର ସରକାର ଆଜି ସ୍ପଷ୍ଟ ଭାବେ କହିଛନ୍ତି । ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗ ସଦସ୍ୟ ଭି.କେ ପଲ୍ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଲୋକମାନେ ନିଜ ନିଜର ଘରେ ରହିଲେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ ।
ସାରା ଦେଶରେ କରୋନା ସଂକ୍ରମଣ ଏକ ଭୟଙ୍କର ସ୍ଥିତିରେ ରହିଛି । ତେଣୁ ଏଭଳି ସ୍ଥିତିରେ ଅଯଥାରେ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ବାହାର ଲୋକଙ୍କୁ ନିଜ ଘରକୁ ଡାକନ୍ତୁ ନାହିଁ । ଯଦି ପରିବାରରେ କେହି କୋଭିଡ ପଜିଟିଭ ଅଛନ୍ତି, ତା’ହେଲେ ସଂପୃକ୍ତ ବ୍ୟକ୍ତି ଘରେ ରହିଲେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ । ତେବେ କରୋନାର ଦ୍ବିତୀୟ ଲହରକୁ ନେଇ ଆତଙ୍କିତ ନହୋଇ ଜାରି ହୋଇଥିବା ଗାଇଡଲାଇନକୁ ମାନିବାକୁ ପରାମର୍ଶ ଦିଆଯାଇଛି । ଏହାସହ ସାମାଜିକ ଦୂରତା ସାଙ୍ଗକୁ ହାତକୁ ବାରମ୍ବାର ଧୋଇବାକୁ ମଧ୍ୟ କୁହାଯାଇଛି । କରୋନା ପାଇଁ ଜାରି ହୋଇଥିବା ଗାଇଡଲାଇନକୁ ଯଦି ଆମେ ମାନିବା, ତାହେଲେ ଏହି ମହାମାରୀକୁ ଆମେ ହରାଇ ପାରିବା ବୋଲି ପରାମର୍ଶ ଦିଆଯାଇଛି ।
Comments are closed.