Latest Odisha News

BREAKING NEWS

ଗଳ୍ପ : ତଥାପି ତୁମେ

ପରମେଶ୍ବର ଓଝା   

ସକାଳୁ ଗାଧୋଇ ସାରି ଆଇନା ସାମ୍ନାରେ ଛିଡା ହୋଇ ସିନ୍ଥିରେ ସିନ୍ଦୂର ଲଗାଉଛି ତ ଠିକ୍ ଏହି ସମୟରେ  ଗୋଟେ ଅଜଣା ନମ୍ବରରୁ କଲ୍ ଆସିଲା , ପ୍ରାୟତଃ ଅଜଣା ନମ୍ବର ମୁଁ ରିସିଭ କରେନି । ତେଣୁ ତିନି ଥର ପରେ ଚାରିଥର ବେଳକୁ ମୁଁ କଲ୍ ଟି ରିସିଭ କରି ନୀରବ ରହିଲି । କିଛି ବାଜେ ଚରିତ୍ର ଲୋକଙ୍କର ଅଭ୍ୟାସ ଏମିତି ଝିଅ ପିଲାଙ୍କୁ ହଇରାଣ ହରକତ କରିବା , ଫୋନ୍ କରି ପ୍ରେମ ଗପ କରିବା ଅଶୋଭନୀୟ ଆଚରଣ ଦେଖାଇବା ତେଣୁ….. । ସେପଟରୁ ଆବାଜ ଆସିଲା ଜଣେ ପୁରୁଷ ଲୋକର । ତାଙ୍କ ସ୍ଵର ଶୁଣି ମୁଁ ରଙ୍ଗ୍ ନମ୍ବର କହି କଲ୍ ଟି କାଟିବାକୁ ଯାଉଛି କିନ୍ତୁ ସେତିକି ବେଳେ ହଠାତ୍ ସେ କହିଦେଲେ ଏମିତି ଏକ ନାଁ ଟିଏ ଯୋଉଟା ଶୁଣି କି ମୋ ତଣ୍ଟି ଅଠା ଅଠା  ହୋଇଗଲା ।
ନୀରବ ତ ଥିଲି ଏବେ ଜଡ ପାଲଟି ଗଲି ।

– ” ଆରେ ଚିହ୍ନି ପାରୁନୁ କି ? ମୁଁ ତୋ ମନୁ ଦାଦା କହୁଛି ।
କ’ଣ କେଇଟା ଦିନ ଭିତରେ ମତେ ଭୁଲିଗଲୁଣି ପୂରା ?
ମୁଁ ଆସୁଛି ତୋ ପାଖକୁ ଗୋଟେ କାମ ଅଛି । ଯାଇ ପହଞ୍ଚିବି କହିଲୁ ରମଜାନ ଛକରୁ କୋଉପଟେ ଯିବି ? ଆରେ ଶୁଣୁଛୁ ନା ନାଇଁ ……? ”

କଥା ମୋ ପାଟିକୁ ଆସିବାକୁ ବହୁତ ସମୟ ଲାଗିଗଲା

–  ”  ଆମ ଗାଁ ମନୁଦାଦା ? ମନୁ ଦାଦା ପ୍ରଣାମ ।
ତମେ ରମଜାନ ଛକରୁ କିଛି ବାଟ ଚାଲି ଆସିଲେ ବାଁ ପଟେ ଗୋଟେ ରାସ୍ତା ଅଛି  ସେଇ ରାସ୍ତାରେ ଗୋଟେ ଅଟୋ ଧରିବ ମଣି ଛକ କହିବ ସେ ପହଞ୍ଚେଇ ଦେବ ଦଶ ଟଙ୍କା ଦେବ ତାକୁ । ସେଠି ଓହ୍ଲେଇ ଶିବ ମନ୍ଦିର ପଛପଟ ରାସ୍ତାରେ ଅଳ୍ପ ବାଟ ଆସିବ ବାଁ ପଟରେ ଦେଖିବ ଆନନ୍ଦ ନିବାସ ଲେଖାଅଛି । ସେଇଟା ଆମ ଘର । ”

ଥରଥର କଣ୍ଠରେ  ବହୁତ କଷ୍ଟରେ ଏତିକି କହି ଫୋନ୍ ରଖିଲି ।

ଭାସି ଆସିଲା ଦଲକାଏ ପବନ ପରି ମିଠା ବାସ୍ନା ମନୁଦାଦା ଆଉ ମୋର ସ୍ମୃତି ସବୁ ମନ ଅଗଣାରେ ।

ସେଇଟା ପ୍ରେମ କି ଭଲପାଇବା ଅବା ଆକର୍ଷଣ ଥିଲା ମୁଁ ଜାଣିନି । କିନ୍ତୁ ହୋଇ ଯାଇଥିଲା କିଛି ଗୋଟେ । ମୁଁ ସପ୍ତମରେ ପଢୁଥିବା ବେଳେ ମନୁ ଦାଦା ସହ ମୁଁ ପରିଚିତ  । ମୁଁ ତାଙ୍କ ପାଖକୁ ଟିୟୁସନ ହେବାକୁ ଯାଏ । ପରିଚିତ କହିଲେ ଆଗରୁ ତାଙ୍କୁ ମୁଁ ଗାଁ ରେ ଦେଖିଛି ଅନେକ ଥର କିନ୍ତୁ ଅତି ନିକଟରୁ ଟିୟୁସନ  ପରେ ପରେ ହିଁ ଜାଣିଲି ।

ମନୁ ଦାଦା ମୋଠୁ ବୟସରେ ଦଶ ବର୍ଷ ବଡ । ମୁଁ  ତାଙ୍କୁ ଦାଦା ବୋଲି ଡାକେ । ଥରେ ସାର୍ ଡାକିଥିଲି ଯେ ମୋ କାନ ମୋଡ଼ି କହିଲେ ସାର୍ କ’ଣ ମୋତେ ତୁ ଦାଦା ହିଁ ଡାକିବୁ ସବୁବେଳେ ହେଲା ? ମୁଁ ମୁଣ୍ଡ ଟୁଙ୍ଗାରି ହଉ କହିଥିଲି । ମନୁ ଦାଦାଙ୍କ ଗୋରା ତକ୍ ତକ୍ ଚେହେରା , ବଳିଷ୍ଠ ବାହୁ ,  ଷ୍ଟାଇଲରେ  କୁଣ୍ଡେଇଥିବା ଚୁଟି , ଇସ୍ତ୍ରୀ ଦିଆ ସାର୍ଟ ପ୍ୟାଣ୍ଟ୍ ଆଉ ବେଲ୍ଟରେ ଲାଗିଥିବା କଫି କଲର୍ ମନୋଗ୍ରାଫ ଓ ସେଥିରେ ଲେଖାଥିବା ଇଂଲିଶରେ ସାଇନ୍ ଆଉ ସାର୍ଟ ପକେଟରେ ସବୁବେଳେ ମାରୁଥିବା ଗୋଟେ ପାଞ୍ଚ ଟଙ୍କିଆ ସେଲୋ ଗ୍ରିପର କଲମ ତାଙ୍କ ବ୍ୟକ୍ତିତ୍ଵକୁ ସମ୍ମାନ ଦେବା ପରି ବାଟା କମ୍ପାନୀର ଗୋଟେ ଚମଡା ଚପଲ । ମୋତେ ସବୁ ଭଲ ଲାଗେ । କିନ୍ତୁ ସବୁଠୁ ମୁଁ ଅଧିକ ଭୟ କରେ ତାଙ୍କ ଆଖି ଦୁଇଟିକୁ । ମୁଁ ଆଜି ପର୍ଯ୍ୟନ୍ତ ତାଙ୍କ ଦୁଇ ଆଖି ରେ ମୋ ଆଖି ମିଶେଇ ପାରିନି । କୌଣସି ପାଠ ଯଦି ମୁଁ କରିନଥିବି ସେ ମୋତେ ବାଡାନ୍ତିନି । କେବଳ ପଲକ ନ ପକେଇ ମୋତେ ଚାହିଁ ଦିଅନ୍ତି କିଛି ସମୟ ‌ । ବାସ୍ ମୁଁ ବୁଝି ଯାଏ କିଛି ଗୋଟେ ଭୁଲ୍ ହୋଇ ଯାଇଛି ମୋ ଦ୍ବାରା । ଆଉ ସେ ଭୁଲ୍ ଟି ଯାହା ବି ହେଉଥାଉ ମୁଁ ଜାଣିଲା ପରେ ତା ପରଦିନ ଯେମିତି ହେଲେ ତାକୁ ସୁଧାରି କି ଆସିଥିବି । କାହିଁକି ନା ମୁଁ ଚାହେଁନା ମନୁଦାଦାଙ୍କ ଏମିତି ଚାହାଣୀର ତାଙ୍କ ନାପସନ୍ଦର ମୁଁ ପାତ୍ର ହୁଏ ବୋଲି । ମନୁ ଦାଦା ମୋ ଉପରେ ରାଗିଲେ ଅଶାନ୍ତି ହେଲେ ମୁଁ ଜମା ସହି ପାରେନି ।

ଦିନେ ଗୋଟେ ବଡ ହରଣ ଟିଏ ଦେଇଥିଲେ ମୋତେ , ରାତି ଏଗାର ହୋଇଗଲା କରି ପାରିଲିନି , ମାନେ ବୁଝି ପାରିଲିନି ।  ବୋଉ କହିଲା ଶୋଇପଡ଼ ସକାଳୁ ଉଠି ପଢ଼ିବୁ । କିନ୍ତୁ ମୁଁ ଲମ୍ପ ଆଲୁଅରେ ବହି ଏମ୍.ବି.ଡି ସବୁ ଦେଖି ବୁଝି ରାତି ଗୋଟାଏରେ ଯାଇ ସେ ହରଣ କସିଲି ତାପରେ ଯାଇ ଶୋଇଲି ।  କାହିଁକି ନା ମୁଁ ଜାଣେ ମୁଁ ଯେତେ ଚେଷ୍ଟା କଲେ ବି ସକାଳୁ ଉଠି ପାରେନି ବହି ଧରିବାର ଦଶ ପନ୍ଦର ମିନିଟ୍ ପରେ ଘୁମେଇ ପଡେ । ତାପରଦିନ ଟିୟୁସନରେ ମୋ ଫୁଲିଲା ନାଲି ପଡ଼ିଯାଇଥିବା ଦୁଇ ଆଖି ଦେଖି ଯେବେ ପଚାରିଲେ
– କାଲି କେତେ ରାତିରେ ଶୋଇଥିଲୁ କି ?

ମୁଁ ସବୁ ସତ କଥା  କହି ଦେଇଥିଲି । କାହିଁକି କେଜାଣି ମୁଁ କିଛି କଥା ତୁମଠି ଲୁଚେଇ ପାରେନି । ତମେ ପ୍ରଥମ ଥର ପାଇଁ  ସେଦିନ ମୋ ହାତକୁ ଦଶ ପନ୍ଦର ମିନିଟ୍  ଯାଏଁ ଧରିଥିଲ ଆଉ କହିଥିଲ ଯୋଉ ପାଠ ନ ଆସିବ ଭଲକି ବୁଝି ନେବୁ ହେଲେ ଡେରି ଯାଏଁ ରାତି ଅନିଦ୍ରା ହୋଇ ଏମିତି ପାଠ କରିବୁନି । ଭଲ ନୁହେଁ ଦେହ ଖରାପ ହେବ ଶୁଣ୍ ରାତିରେ ଜଳଦି ଶୋଇବୁ ସକାଳୁ ଶିଘ୍ର ଉଠିକି ପାଠ ପଢ଼ିବୁ । ସେଦିନ ତମ କଥା ମାନି ମୁଁ ରାତି ନଅଟା ଭିତରେ ଶୋଇ ପଡ଼ିଥିଲି ଆଉ ଭୋର ପାଞ୍ଚ ଟାରୁ ଉଠି ପଡିଥିଲି । ହେଲେ ସେଦିନ ରାତିରେ ମନୁଦାଦା ତୁମେ ମୋ ସ୍ବପ୍ନରେ ଆସିଥିଲ । ସେମିତି ମୋ ହାତ ଧରି ଘଣ୍ଟା ଘଣ୍ଟା ଢେର୍ କଥା ହେଲ ଗଲାବେଳେ କହିଗଲ ମନଦୁଃଖ କରନି ମୁଁ ପୁଣି ଆସିବି । ସେଦିନ ଠାରୁ  ତୁମେ ମୋ ସ୍ବପ୍ନ ରେ ସବୁଦିନ ଆସିବାକୁ ଲାଗିଲ ।
ଦିନେ ଝୁମି ଅପାକୁ ପଚାରି ଦେଲି – ଅପା ମନୁଦାଦା ମୋ ସ୍ବପ୍ନ ରେ ସବୁବେଳେ କାହିଁକି ଆସୁଛନ୍ତି ?

ସେ ମୋ କାନକୁ ଧରି କହିଥିଲେ – ବେଶି ଫାଜିଲ୍ ହେଲୁଣି ପାଠ ପଢ଼ାରେ ମନ ଦେ ।  ତୁ ମନୁଦାଦା କୁ ଏକଥା କହିଛୁ କି ?

–  ” ନା କହିନି  , କାଳେ କ’ଣ ଭାବିବେ ରାଗିବେ ସେଥିପାଇଁ କହିନି ।”

ମୁଁ ବହୁତ ସମୟ ଭାବେ ପାଠ ପଢା ସ୍କୁଲରେ ବିଲକୁଲ ନହୋଇ ସବୁ ବେଳେ ଏଇ ମନୁଦାଦା ପାଖରେ ଟିୟୁସନରେ ହୁଅନ୍ତା କି । ମୋତେ ସ୍କୁଲ୍ ଟା ଜମା ବୋରିଙ୍ଗ୍ ଲାଗନ୍ତାନି ।  ଦିନେ ପାଞ୍ଚ ଟା ବେଳେ ଟିୟୁସନ ବାହାରିଛି ତ ବୋଉ ମନା କରି କହିଲା – ଆଜି ଟିୟୁସନ ଯାଆନା ମନୁଆର ଦେହ ଖରାପ ତାକୁ ଜର ହେଇଛି ତା ଦେହ ଭଲ ହେଲେ ଯାଇ ଟିୟୁସନ କରିବ । ତମକୁ ଜ୍ବର ହେଇଛି ଜାଣି ମୁଁ ସେଦିନ ଖାଇ ପାରିଲିନି ଆଉ ରାତିରେ ନିଦ ବି ବିଲକୁଲ ହେଲାନି । କେମିତି ରାତି ପାହିବ ମୁଁ ତମକୁ ଯାଇ ଦେଖିବି ମୋ ମନ ଡହଳ ବିକଳ ହେଲା । ସକାଳୁ କାଉ କା କରିଛି କି ନାଇଁ ତମ ପାଖକୁ ଦୌଡ଼ିଲି ବୋଉକୁ ମିଛ କହିଲି ମୁଁ ଯାଉଛି ସୁମିଠୁ ପାଠ ବୁଝିବାକୁ । ବୋଉ ଖାଲି ଏତିକି କହିଥିଲା
–  ” ପାଠ ପାଇଁ ଏତେ ଚଞ୍ଚଳୀ କେବେ ଠାରୁ ହେଲୁଣୁ ବା ? ”

ଯାଇ ପହଞ୍ଚିଲି ତମଘରେ ତମେ ଶୋଇଥିଲ ଗୋଟେ ମାଟିଆ  ରଙ୍ଗର ପତଳା ଚାଦର ଘୋଡି ହୋଇ  । ମୋର ମନ କଣ ହେଲା କେଜାଣି ରିମା ସାନଉ  ( ମନୁଦାଦା ବୋଉ ) କୁ ପଚାରିଦେଲି – ମନୁଦାଦା ମୁଣ୍ଡରେ ପାଣି ପଟି ପକେଇ ଦେବି ? ରିମାସାନଉ ମୋତେ କୁଣ୍ଢେଇ ପକେଇ କହିଲେ – ତତେ ଆସେ ?  – ହଁ ବୋଉ କୁ ଜର ହେଲେ ମୁଁ ପା ପକେଇ ଦିଏ ପାଣି ପଟି ।

ତମେ ଶୋଇଥିଲ ତମକୁ ଡାକିଲିନି  ପାଣି କପଡା ଭିଜେଇ  ପଟି ମୁଣ୍ଡ ରେ ପକେଇଲି । ପାଣି ପଟି ପକଉ ପକଉ କେତେ ବେଳେ ମୋ ଆଖିର ଲୁହ ତମ ଗାଲରେ ପଡ଼ି ଯାଇଛି ମୁଁ ଜାଣିନି ।  ତମେ କେମିତି ଜାଣିଲ କେଜାଣି ମୁଁ ବୋଲି ? ସେମିତି ଆଖି ବନ୍ଦ କରିଥାଅ କହିଲ – ଆଲୋ ହୁଣ୍ଡିଟା କାନ୍ଦୁଛୁ କ’ଣ ପାଇଁ  ? ମୋର କଣ ହୋଇଛି କି ? ଏ ଜର ଟିକେ ହୋଇଛି ଆପେ ଭଲ ହୋଇ ଯିବନି ? ମନଦୁଃଖ କରନି ଦୁଇ ତିନି ଦିନ ପରେ ଆସିବୁ ଟିୟୁସନକୁ । ମନ ଦେଇ ପାଠ ପଢୁଥିବୁ । ଦଉଡି ଡିଆଁ ,  କିତିକିତି , ଲୁଚକାଳି   ଖେଳିବୁନୁ  ନହେଲେ ପାଠ ପଛେଇ ଯିବ ଯେ ।

ମୋତେ ତିନି ଦିନ କାଳ ଫୁଲ, ମଧୁ, ବେବୀ, ମାମୀ , ରାଜା , ମଣ୍ଟୁ , ପାପୁ କେତେ ଆସି ଡାକିଛନ୍ତି ଖେଳିବାକୁ ହେଲେ ମୁଁ ତିନିଦିନ ପାଇଁ ପଦାକୁ ଗୋଡ଼ କାଢିନଥିଲି ସ୍କୁଲ ପରେ । ଖାଲି ବହି ଖାତା ଆଉ ମୁଁ । ସନ୍ଧ୍ୟା ବେଳେ ବୋଉ ସଂଜ ଦେଲାବେଳେ ମୁଁ ବି ଚଉଁରା ପାଖରେ ମୁଣ୍ଡିଆ ମାରିଆସେ ତୁମେ ଜଳଦି ସୁସ୍ଥ ହୋଇଯିବା ପାଇଁ ଶୁଭମନାସେ  ।

ଯାହା ହେଉ ତୁମେ ତିନି ଦିନ ପରେ ମାମୀ ହାତରେ ଖବର ପଠାଇଲ ମୁଁ ଟିୟୁସନ ଯିବା ପାଇଁ  ।  ମୋ ଦେହରେ ଜୀବନ ପଶିଲା । ମୁଁ ଅଧ ଘଣ୍ଟା ପୂର୍ବରୁ ଯାଇ ତମ ଘରେ ପହଞ୍ଚିଗଲି । ତମେ ସେତେବେଳେ ଘର ଝାଡୁକରି ବିଛଣା ପତ୍ର ସଜାଡୁ ଥିଲ । ତୁମେ ନିଜ କାମ ସବୁ  ନିଜେ କରିବାକୁ ଅଧିକ ପସନ୍ଦ କରୁଥିଲ  , ତୁମର ସେଇ ଗୁଣଟା ମୋତେ ଅଧିକ ଭଲ ଲାଗେ । ମୋତେ ଚଟ ବଢେଇ କହିଲ , ” ବସ୍ ।
ମୁଁ ବ୍ୟାଗ୍ ରୁ ବହି ସବୁ ବାହାର କରୁ କରୁ ବହୁତ ସାହସ କରି ପଚାରିଲି ,” ମନୁ ଦାଦା ତମ ଜର ଭଲ ହୋଇଯାଇଛି ?”

ତମେ କହିଲ -” ନା ଅଳ୍ପ ଟିକେ ଅଛି ଭଲ ହୋଇଯିବ ।”

ସେତେବେଳେ ତମ ଦେହକୁ ନେଇ ମୁଁ ଟିକେ ଅନ୍ୟମନସ୍କ ରହୁଥିଲି । ତମେ ମୋତେ ତାଗିଦା କରି କହିଥିଲ ପାଠ ପଢ଼ାରେ ମନ ଦେ ବେଶି ଦୁଷ୍ଟ ହଅନି । ଧିରେ ଧିରେ ତମ ଜ୍ବର ଭଲ ହେବା ସହିତ ମୁଁ ପାଠ ମନସ୍କ ହେଲି ।

ସପ୍ତମ ରେ ମୁଁ ଚାରିଶହ ପଚାଶ ମାର୍କ ରେ ପାସ୍ କରିଥିଲି । ଘରେ ସମସ୍ତେ ବହୁତ ଖୁସି ଥିଲେ ତମକୁ ବି ଘରକୁ ଡକାଇ ବହୁତ ପ୍ରଶଂସା କରିଥିଲେ । ନାନା ରକମ ଖାଇବା ବନେଇ ତମକୁ ଦିନେ ଡାକିଥିଲେ ଖାଇବାକୁ କୋଉଠି ବାହାରକୁ ଖାଇବାକୁ ଯାଉନଥିବା ତମେ କିନ୍ତୁ ଆସିଥିଲ ଆମ ଘରକୁ ।  କାରଣ ମୁଁ କହିକି ଆସିଥିଲି ତା ପୂର୍ବ ଦିନ ,  ମନୁ ଦାଦା ତମେ ଯଦି ଆମ ଘରକୁ ନ ଯିବ ମୁଁ ଆଉ ତମକୁ ମନୁଦାଦା ଡାକିବିନି ସାର୍ ଡାକିବି  ।  ମୋତେ ବହୁତ ଖୁସି ଲାଗିଲା ତମେ ଆସିଥିଲ ବୋଲି  । ମୋତେ ଡାକି ତମ ସାଙ୍ଗରେ ଖୁଆଇ ଥିଲ ସେଦିନ , କାହିଁକି ସେଦିନ ପ୍ରଥମ ଆଉ ଶେଷ ଥର ତମ ସାଥିରେ ଖାଇବା ବେଳେ ମୁଁ ଲାଜେଇ ଯାଇଥିଲି ଅନେକ , ଖାଇବା ତଣ୍ଟିରେ ଲାଗୁଥିଲା ଥରକୁ ଥର ।

ଅଷ୍ଟମ ନବମ ବେଳକୁ ତୁମ ପ୍ରତି ଆକର୍ଷଣ ଟିକେ ଅଧିକ ବଢ଼ି ଯାଇଥିଲା  । ଅନେକ ଶାଳିନତା ଶିଖି ଯାଇଥିଲି ତମଠୁ ଶିକ୍ଷା ଭିତରେ । ସାଙ୍ଗ ମାନେ ଫେଁ ଫେଁ ହୋଇ ହସୁଥିବା ବେଳେ ମୁଁ ଦାନ୍ତ ଚାପି ହସୁଥିଲି । ପାଠ ପଢା ବ୍ୟତୀତ ଘର କରଣା କାମରେ ବି ମନ ଦେଉଥିଲି । ତମେ ଥରେ ତମ ମାମୁ ଝିଅକୁ କହିଥିଲ ରାଗିକି ,  ଲିପଷ୍ଟିକ ମୋର ପସନ୍ଦ ନୁହେଁ ଲିପଷ୍ଟିକ ଲଗେଇ ମୋ ସାମ୍ନାକୁ ଆସିବୁନି । ତମ ମାମୁ ଝିଅ ଲିପଷ୍ଟିକ ଛାଡ଼ିଲା କି ନାହିଁ ମୁଁ ଜାଣିନି , ହେଲେ ମୁଁ ଲିପଷ୍ଟିକ ଲଗାଇବା ଛାଡି ଦେଇଛି କେବଳ ଯାହା ହାଲକା କ୍ରିମ ପାଉଡର ମାଖେ ଲିପଷ୍ଟିକ କିନ୍ତୁ ଜମା ଛୁଏଁନି । କିନ୍ତୁ ମୁଁ ଟିୟୁସନ ଯିବା ସମୟରେ ନିଜକୁ କାଇଁ କେଜାଣି ଭଲକି ସଜାଏ । ବାଡି ନଳକୂଅ ପାଖରେ ଲକ୍ସ ମାରିକି ଭଲକି ଗୋଡ଼ ହାତ ମୁହଁ ଧୁଏ , ଫେୟାରଲଭଲି  କ୍ରିମ ପଣ୍ଡସ ପାଉଡର ହାତରେ ହାଲକା ମିଶ୍ରଣ କରି ମୁହଁ ରେ ଲଗାଏ , ଦୁଇ ଓଠରେ ଟିକେ ଜିଭ ବୁଲେଇ ଆଣି ପରସ୍ପର ଚାପି ଦେଇ ତାପରେ ବାହାରି ଆସେ ଟିୟୁସନ କୁ ।

ସ୍କୁଲରୁ ଫେରିଲା ବେଳେ ରାଧୁ ସାହୁ ପୁଅ ଆଉ ତା ଲଫଙ୍ଗା ସାଙ୍ଗ ମାନେ ମୋତେ ବାଟ ସାରା ହଇରାଣ କରନ୍ତି  । ସେଦିନ ବି ମୋ ସାଙ୍ଗରେ ଲାଗୁଥିଲେ । ତୁମେ ବୋଧେ ବଜାର ଯାଇଥିଲ ସାଇକେଲ ରୁ ଓହ୍ଲେଇ ପଡି ସମସ୍ତ ଙ୍କୁ ଗୋଟେ ଗୋଟେ ଚାପଡା ମାରିଥିଲ ଆଉ ସଂଧ୍ୟାରେ ତାଙ୍କ ଘରକୁ ଯାଇ ବାପା ଙ୍କ ଆଗରେ କଥା ପକାଇବ ବୋଲି ଧମକ ଦେଇଥିଲ  ‌।   ସେମାନଙ୍କ ଘରେ ତୁମେ କଣ କହିଲ ନ କହିଲ ମୁଁ ଜାଣିନି ହେଲେ ସେଦିନ ଠାରୁ ସେମାନେ ମୋ ପିଛା ଛାଡ଼ି ଦେଇଥିଲେ  ।

ଓଡ଼ିଆ ଫିଲ୍ମୀରେ ନାୟକ ସିଦ୍ଧାର୍ଥ ନାୟିକା ରଚନାକୁ ଗୁଣ୍ଡା ମାନଙ୍କ କବଳରୁ ବଞ୍ଚେଇ ବାର ଦୃଶ୍ୟ ବାରମ୍ବାର ମନେ ପଡ଼ୁଥିଲା ମୋର ଆଉ ମୁଁ ଖୁସିରେ କୁରୁଳି ଯାଉଥିଲି । ତୁମେ ମୋ ହିରୋ ବନି ଯାଇଥିଲ । ଫିଲ୍ମ ଦେଖୁଥିବା ବେଳେ ମୋ ମନକୁ ଆସେ ସେ ହିରୋ ହିରୋଇନ୍ ମାନଙ୍କ ପରି ଆମର ସେମିତି କିଛି ଦୃଶ୍ୟ ହୁଅନ୍ତା ନି ? ତମେ ଆଉ ମୁଁ ସାଙ୍ଗ ହୋଇ ପାର୍କ ରେ ହାତ ଧରା ଧରି ହୋଇ ବୁଲନ୍ତେ ସାଙ୍ଗ ହୋଇ  ଫିଲ୍ମୀ ଯାଆନ୍ତେ  । ଗାଡ଼ି ପଛରେ ବସେଇ ତୁମେ ମୋତେ ବୁଲେଇ ନିଅନ୍ତ ଲମ୍ବା ରାସ୍ତା ରେ ଆଉ ମୁଁ ତୁମ ପଛରୁ ଭିଡ଼ି ଧରି ବସିଥାନ୍ତି ଆଉ ତୁମେ ମୋର ଗୋଟିଏ ହାତକୁ ଧରି ତୁମ ମନ ପସନ୍ଦ ର ଗୀତ ଗାଆନ୍ତ । ସବୁବେଳେ ଯୋଉ ଗୀତ ଗୁଣୁ ଗୁଣାଅ   ଯୋଉଟାକି ମୋର ବି ବହୁତ ପସନ୍ଦ ।
ମହାରାଜା ଫିଲ୍ମୀ ର  ” ଜବ୍ ତୁମ୍  ଆ ଜାତେ ହୋ ସାମ୍ ନେ….  ଜବ୍ ତୁମ୍ ଆ ଜାଣେ ହୋ ସାମ୍ ନେ …  ”

ହେଲେ ସେମିତି କେବେ ବି ହୁଏନି କି ହେଲାନି ବି ଶେଷ ପର୍ଯ୍ୟନ୍ତ ତୁମେ ତୁମ ଜାଗାରେ ରହିଲ ମୁଁ ମୋ ଜାଗାରେ ।

ଦଶମ ପରୀକ୍ଷା ପାଖେଇ ପାଖେଇ ଆସୁଥାଏ ଦିନେ ତେତିଶ କୋଟି ଦେବତାଙ୍କୁ ଡ଼ାକି ଫିଲ୍ମରେ ଦେଖିଥିବା ଦୃଶ୍ୟ ପରି ମାମି ବାଡିରୁ ଗୋଲାପ ଫୁଲଟେ ଲୁଚେଇ ଆଣି ତମକୁ ଭଲପାଏ  ବୋଲି କହିବି ଭାବିଲି । ନେଇଥିଲି ବି ସେଦିନ ବହିରେ ଫୁଲକୁ ଲୁଚେଇ । ହେଲେ ମୁଁ କିଛି କହିବା ପୂର୍ବରୁ ତମେ ଫୁଲ ଟାକୁ ପ୍ରଥମେ ଦେଖି ଦେଇଥିଲ ଆଉ ହଠାତ୍ ପଚାରିଥିଲ , ” ଗୋଲାପ ଫୁଲ ! କାହା ପାଇଁ ?

– ” ତମ ପାଇଁ ” ,  ହଠାତ୍ ମୋ ପାଟିରୁ ଏତକ ବାହାରି ଯାଇଥିଲା ଆଉ ମୋ ତଣ୍ଟି ଅଠା ଅଠା ହୋଇ ଯାଇଥିଲା ।  ସାଙ୍ଗେ ସାଙ୍ଗେ ଉଠି ଯାଇଥିଲି ପାଣି ପିଇବାକୁ । ସେଦିନ ଗୋଟେ ଗ୍ଲାସ ପାଣି ପିଇବାକୁ ମୋତେ ପାଞ୍ଚ  ମିନିଟ୍ ଲାଗି ଯାଇଥିଲା କାହିଁକି ଏମିତି ହେଲା କେଜାଣି ? ବୋଧେ ପରେ ତମକୁ ସାମ୍ନା କରିବା  ଭୟରେ ।

ତା ପରଠୁ କେବେବି କିଛି ସାହସ କରିନି କହିବାକୁ । ମୋ ଭଲପାଇବା କୁ ତମେ ସ୍ବୀକୃତି ଦେଲ କି ସ୍ନେହ ଭାବିଲ ମୁଁ ଜାଣେନା ତଥାପି ସବୁବେଳେ ଭାବୁଥାଏ ମୁଁ ଦେଇଥିବା ଗୋଲାପ ଫୁଲ ତୁମେ ସାଇତିକି ରଖିଛ ନା ଫୋପାଡି ଦେଇଛ ?

କଲିଂ ବେଲ୍ ବାଜିଲା । ମୋ ପ୍ରିୟ ମନୁ ଦାଦା ତମେ ବୋଧେ ଆସିଗଲ । ମୁଁ କେମିତି ତମକୁ ସ୍ବାଗତ କରିବି  ସେଇଟା ଭାବିକି ଦ୍ବନ୍ଦରେ ପଡ଼ିଲି ।

ମଥାରେ ଓଢ଼ଣା ସଜାଡି ଦେଇ ଶାଢ଼ୀ କୁଞ୍ଚ ବ୍ଲାଉଜ  କାନି ସବୁ ସାଇଜ କରି ଆଇନା ରେ ଥରେ ମୁହଁ ଦେଖି ଦେଲି ପିନ୍ଧି ଥିବା ବିନ୍ଦି କାଢି ଦେଇ ନୂଆ ବିନ୍ଦି ଲଗେଇଦେଲି  । ଓଠରେ ଲାଗିଥିବା ହାଲକା ଲିପଷ୍ଟିକ କୁ ପୋଛି ଦେଇ ଗଲି କବାଟ ଖୋଲିବାକୁ । ଏତେ ବର୍ଷ ପରେ ବି ଦଶମ ଶ୍ରେଣୀ ପିଲା ପରି ମୋ ଛାତି ଧକ୍ ଧକ୍ ହେଉଥାଏ ତମକୁ ସାମ୍ନା କରିବା ଭୟରେ ।

 

ଷାଠିଏବାଟି
ମ‌ହାକାଳପଡା
କେନ୍ଦ୍ରାପଡ଼ା -୭୫୪୨୨୪
ମୋ- ୬୩୫୫୧ ୩୩୩୦୧

Leave A Reply

Your email address will not be published.