Latest Odisha News

BREAKING NEWS

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ମହାଦୀପ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଥିବା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରରେ ମହାଦୀପ ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଛି ।

ମିଳିଥିବା ସୂଚନାନୁସାରେ ମନ୍ଦିର ନୀତି ଅନୁଯାୟୀ ରାତ୍ର ୧୦ ଘଟିକା ସମୟରେ ମହାଦୀପ ଉଠିବାର ଧାର୍ଯ୍ୟ ହୋଇଥିଲା । ମାତ୍ର ଏବର୍ଷ ନିର୍ଦ୍ଧାରିତ ସମୟର ପ୍ରାୟ ଅଧଘଣ୍ଟା ପୂର୍ବରୁ ମହାଦୀପ ଉଠିଛି ଏବଂ ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ପବିତ୍ର ମହାଦୀପ ଉଠିବାର ଦୃଶ୍ୟ ଦର୍ଶନ କରି ନିଜକୁ ଧନ୍ୟ ମନେକରିଛନ୍ତି ।

ପୂର୍ବବର୍ଷ ଗୁଡ଼ିକ ଅପେକ୍ଷା ଏଥର ନୀତିକାନ୍ତି ଯଥେଷ୍ଟ ପୂର୍ବରୁ ହୋଇଥିବା ତଥା ଏଥର ସବୁଠାରୁ ଶୃଙ୍ଖଳିତ ଭାବେ ପାରମ୍ପରିକ ନୀତି ଅନୁଷ୍ଠିତ ହୋଇଥିବା ଯୋଗୁଁ ମହାପ୍ରଭୁଙ୍କ ମନ୍ଦିର ଉପରେ ଅଧଘଣ୍ଟା ପୂର୍ବରୁ ମହାଦୀପ ଉଠିପାରିଛି । ଏହି ସମୟରେ ‘ଓଁ ନମଃ ଶିବାୟ’ ଧ୍ୱନୀରେ ସମଗ୍ର ମନ୍ଦିର ପରିସର ପ୍ରକମ୍ପିତ ହୋଇ ଉଠିଛି। ହଜାର ହଜାର ଭକ୍ତ ମହାଦୀପକୁ ଦର୍ଶନ କରିଛନ୍ତି। ଶିବରାତ୍ରୀ ଅବସରରେ ଭକ୍ତମାନେ ପଞ୍ଚେନ୍ଦ୍ରିୟକୁ ସଂଯୋଗ କରି କେବଳ ଶିବ ନାମକୁ ଧ୍ୟାନରେ ରଖିଥିଲେ । ମହାଦୀପ କେତେ ବେଳେ ଉଠିବ ତାହା ଉପରେ ସମସ୍ତଙ୍କର ଧ୍ୟାନ ଥିଲା। ଭକ୍ତିପୂତ ସହିତ ହଜାର ସଂଖ୍ୟକ ଭକ୍ତ ଉପବାସ ରହି ମନ୍ଦିରରେ ଦୀପ ପ୍ରଜ୍ଜ୍ଵଳନ କରି ଜାଗର ପାଳିଛନ୍ତି। ଏହା ଅତ୍ୟନ୍ତ ଶୁଭ ଲକ୍ଷଣ ବୋଲି ଉପସ୍ଥିତ ଭକ୍ତମାନେ ଆଲୋଚନା କରୁଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଶା ରାଜ୍ୟର ସବୁଠାରୁ ଅଧିକ ପ୍ରସିଦ୍ଧି ଲାଭ କରିଥିବା ତଥା ପୁରାତନ ଶୈବପୀଠ ରୂପେ ରାଜଧାନୀ ଭୁବନେଶ୍ୱରରେ ଥିବା ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରିଗଣିତ ହୋଇଥାଏ । ସୋମବାର ଭୋର ୩ଟା ୩୦ ମିନିଟରୁ ସକାଳ ୧୦ ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଲାଗି ସାହାଣ ମେଲା ହେବା ସହିତ ୧୧ ଟା ୩୦ରୁ ୨ଟା ପର୍ଯ୍ୟନ୍ତ ଦ୍ୱାରପାଳ ପୂଜା ଏବଂ ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇଥିଲା । ସେହିପରି ଦିବା ୨ଟା ସମୟରେ ସକାଳ ଧୂପ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସମାପନ ହୋଇଛି ।

ସନ୍ଧ୍ୟା ୭ଟା ସମୟରେ ସନ୍ଧ୍ୟା ଆଳତୀ ଏବଂ ଟେରାଫିଟା ନୀତି ଅନୁଷ୍ଠିତ ହୋଇଥିଲା । ରାତ୍ର ୮ଟା ୧୦ ମିନିଟରେ ସନ୍ଧ୍ୟା ଧୂପ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସୂଚାରୁରୁପେ ଅନୁଷ୍ଠିତ ହୋଇଥିଲା ।

ଆଜି ଯଥାଶିଘ୍ର ନୀତି ସମାପ୍ତ ହେବାପରେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଉପରକୁ ଠିକ୍ ରାତି ୯ଟ ୨୦ ମିନିଟ ସମୟରେ ବହୁ ପ୍ରତିକ୍ଷୀତ ମହାଦୀପ ଉଠିଥିଲା । ଉପସ୍ଥିତ ଲକ୍ଷ ଲକ୍ଷ ଭକ୍ତମାନେ ମହାଦୀପ ଦର୍ଶନ କରି ମହାଜାଗର ଉପବାସ ବ୍ରତ ସମ୍ପୂର୍ଣ୍ଣ କରିଥିଲେ । ତେବେ ହରିହର ଭେଟ ଭୋର୍ ୩ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ହସ୍ତଗତ ହୋଇଛି ।

Leave A Reply

Your email address will not be published.