Latest Odisha News

BREAKING NEWS

ମୁକୁଲ ରୟଙ୍କ ପରେ ଆଉ କିଛି ବିଜେପି ନେତା ଟିଏମସିରେ ହେବେ ସାମିଲ

କୋଲକାତା : ସରଗରମ ହେଉଛି ପଶ୍ଚିମବଙ୍ଗ ରାଜନୀତି । ବିଜେପି ଛାଡ଼ି ମୁକୁଲ ରୟ ଟିଏମସିରେ ସାମିଲ ହେବା ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ମୁକୁଲ ରୟଙ୍କ ପରେ ଏବେ ବିଜେପିର ଆଉ କିଛି ନେତା ଟିଏମସିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।

ନିକଟରେ ଉତ୍ତର ଚବିଶି ପ୍ରଗଣାରେ ଏକ ବୈଠକ ଡାକିଥିଲେ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ । କିନ୍ତୁ ଏହି ବୈଠକରେ ଯୋଗ ଦେଇନଥିଲେ ବିଜେପି ଛାଡ଼ିବାକୁ ୩ ବିଧାୟକ । ଏମାନେ ମୁକୁଲ ରୟଙ୍କୁ ପ୍ରଶଂସା କରିବା ସହ ବୈଠକରେ ସାମିଲ ହୋଇନଥିଲେ । ମୁକୁଲ ରୟଙ୍କ ଅତି ନିକଟତର ତଥା ନୋଆପରା ବିଜେପି ବିଧାୟକ ସୁନୀଲ ସିଂହ କହିଛନ୍ତି, ମୁକୁଲ ରୟ ଜଣେ ବଡ଼ ନେତା । ସେ ଟିଏମସିରେ ଯୋଗଦେବା ପାଇଁ ବିଜେପି ଛାଡ଼ିଛନ୍ତି । ଯାହାକି ବିଜେପି ଉପରେ ପ୍ରଭାବ ପକାଇବ ବୋଲି କହିଛନ୍ତି ସୁନୀଲ ସିଂହ । ଏହାସହ ସେ କହିଛନ୍ତି ଯେ, ୨୦୦୯ରେ କଂଗ୍ରେସ ଛାଡ଼ିବା ପରେ ମୁଁ ମୁକୁଲ ରୟଙ୍କ ସହ ଟିଏମସିରେ ସାମିଲ ହୋଇଥିଲି । ତେବେ ଖୁବଶୀଘ୍ର ଆପଣମାନେ ମୋ ରାଜନୀତିକ ଭବିଷ୍ୟତ ବିଷୟରେ ଜାଣିପାରିବେ ବୋଲି ପରୋକ୍ଷରେ କହିଛନ୍ତି ସୁନୀଲ ସିଂହ ।

ଏତିକିରେ ଥମିନି ପଶ୍ଚିମବଙ୍ଗ ରାଜନୀତି । ପୂର୍ବତନ ମନ୍ତ୍ରୀ ରାଜୀବ ବାନାର୍ଜୀ ମଧ୍ୟ ଟିଏମସିରେ ଯୋଗ ଦେବା ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । ରାଜୀବ ବାନାର୍ଜୀ ଟିଏମସି ନେତା କୃଣାଳ ଘୋଷଙ୍କୁ ସାକ୍ଷାତ କରିଥିବା ଜଣାପଡିଛି । ଏଥିରୁ ସ୍ପଷ୍ଟ ଯେ, ପଶ୍ଚିମବଙ୍ଗରେ ବିଜେପି କ୍ୟାମ୍ପ ଛାଡି ଅନେକ ନେତା ଏବେ ଟିଏମସିରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛନ୍ତି ।

Leave A Reply

Your email address will not be published.