Latest Odisha News

BREAKING NEWS

ଭରତପୁର ପ୍ରାକୃତିକ ପରିବେଶରେ ଶୁଭାରମ୍ଭ ହେଲା ‘ଜଙ୍ଗଲ ସଫାରୀ’

ଭୁବନେଶ୍ୱର: ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଗୁରୁବାର ଦିନ ‘ଜଙ୍ଗଲ ସଫାରୀ’ ଗାଡ଼ି ଉଦଘାଟନ କରିଛନ୍ତି । ଏହି ‘ଜଙ୍ଗଲ ସଫାରୀ’ଟି ରାଜଧାନୀ ଉପକଣ୍ଠସ୍ଥ ଚନ୍ଦକା-ଡ଼ମପଡ଼ା ଅଭୟାରଣ୍ୟର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଅବସ୍ଥିତ ।

ଏହି ‘ଜଙ୍ଗଲ ସଫାରୀ’ ଉଦଘାଟନର ପ୍ରଥମ ଦିନରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀମାନେ ପରିବେଶ ସମ୍ପର୍କରେ ଅବଗତ ହେବା ସହିତ ଏକ ନେଚର୍ କ୍ୟାମ୍ପିଂ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।

ଭରତପୁର ଜଙ୍ଗଲର ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ପାଇଁ ଜଙ୍ଗଲ ସଫାରୀ ଗାଡ଼ିର ବ୍ୟବସ୍ଥା ସହିତ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମିତ ହୋଇଛି । ଏହି ଅଭୟାରଣ୍ୟର ଜୈବ ବିଭିଦତା ବିଷୟରେ ଏକ ସୁନ୍ଦର ପ୍ରାମାଣିକ ଚଳଚ୍ଚିତ୍ର ‘ଭରତପୁର ଫରେଷ୍ଟ – ଦ ଲଂଗ୍ସ୍ ଅଫ ଭୁବନେଶ୍ୱର’ ନିର୍ମାଣ କରାଯାଇଛି । ଏହିପରି ଜଙ୍ଗଲ ଏବଂ ପ୍ରାକୃତିକ ପରିବେଶ ଅନ୍ୟ କୌଣସି ରାଜ୍ୟର ରାଜଧାନୀ ସଂଲଗ୍ନରେ ଦୃଶ୍ୟମାନ ହୁଏନାହିଁ ।

ଏହି ଅବସରରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରଧାନ ମୁଖ୍ୟ ବନସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଏହି ଉଦଘାଟନ ଉତ୍ସବରେ ଉପସ୍ଥିତ ରହିଥିଲେ ।

ପାଞ୍ଚଗୋଟି ସଫାରୀଯାନ ପର୍ଯ୍ୟଟକମାନଙ୍କ ଲାଗି ନାଲକୋ ଓ ଏମସିଏଲର ସିଏସଆର ପାଣ୍ଠିରୁ ବ୍ୟବସ୍ଥା କରାଯାଇଛି । ସଫାରୀ ଗୁଡ଼ିକ ସକାଳ ୬ଟା ଠାରୁ ୧୦ ଘଟିକା ଏବଂ ଅପରାହ୍ନ ୪ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲାରହିବ ।

ପ୍ରତି ଗାଡ଼ିରେ ୮ଜଣ ପର୍ଯ୍ୟଟକ ବସିବା ପାଇଁ ବ୍ୟବସ୍ଥା ଅଛି । ଗାଡ଼ି ଚାଳକ ସହିତ ଇକୋ-ଗାଇଡ୍ ପର୍ଯ୍ୟଟକମାନଙ୍କୁ ନେଇ ଜଙ୍ଗଲରେ ଭ୍ରମଣ କରାଇବେ । ପ୍ରତି ଭ୍ରମଣ ଲାଗି ପର୍ଯ୍ୟଟକଙ୍କୁ ୨ ହଜାର ଟଙ୍କା ଲେଖାଏଁ ଦେବାକୁ ଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.