ସିମ୍ ବନ୍ଦ ହୋଇଯିବ କହି ଆକାଉଣ୍ଟରୁ ନେଇଗଲେ ୧ ଲକ୍ଷ ୨୫ ହଜାର ଟଙ୍କା
ଅନୁଗୋଳ: ମାତିଛନ୍ତି ସାଇବର ଠକ । କେୱାଇସିରେ ତ୍ରୁଟି ଯୋଗୁଁ ସିମ୍ ବ୍ଳକ୍ ହୋଇଯିବ କହି ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ନେଇଗଲେ । ଅନୁଗୋଳ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଣେ କର୍ମଚାରୀ ସାଇବର ଠକଙ୍କ ଲୁଟର ଶିକାର ହୋଇଛନ୍ତି । ୪ଟି ପର୍ଯ୍ୟାୟରେ ତାଙ୍କ ଆକାଉଣ୍ଟରୁ ନେଇ ଯାଇଛନ୍ତି ୧ ଲକ୍ଷ ୨୫ ହଜାର ଟଙ୍କା ।
ଠକାମୀର ଶିକାର ହୋଇଥିବା ବ୍ୟକ୍ତିଙ୍କ ମୋବାଇଲକୁ ସିମ୍ ବ୍ଲକ୍ ହୋଇଯିବା ନେଇ ଗୋଟିଏ ମେସେଜ୍ ଆସିଥିଲା । ପରେ ପରେ ଟିମ୍ ସପୋର୍ଟ ନାମକ ଏକ ଆପ ଇନଷ୍ଟାଲ ପାଇଁ ଆଉ ଏକ ମେସେଜ୍ ଆସିଥିଲା । ଆପକୁ ଇନଷ୍ଟଲ କଲେ ସିମ୍ ବ୍ଲକ ଜନିତ ସମସ୍ୟା ସହଜରେ ଦୂର ହୋଇଯିବ ବୋଲି ମେସେଜରେ ଉଲ୍ଲେଖଥିଲା ।
ସାଇବର ଠକଙ୍କ ଏହି କାରସାଦି ସଂପୃକ୍ତ ବ୍ୟକ୍ତି ବୁଝି ପାରି ନଥିଲେ । ଟିମ୍ ସପୋର୍ଟ ଆପ୍ ଇନଷ୍ଟଲ କରିବା ମାତ୍ରେ ତାଙ୍କ ମୋବାଇଲକୁ ହ୍ୟାକ୍ କରି ନେଇଥିଲେ ସାଇବର ଠକ । ୪ଟି ପର୍ଯ୍ୟାୟରେ ପ୍ରାୟ ୧ ଲକ୍ଷ ୨୫ ହଜାର ଟଙ୍କା ଲୁଟି ନେଲେ । ପ୍ରଥମେ ୪୯ ହଜାର ୯୯୯, ତାପରେ ଦୁଇ ଥର ୨୫ ହଜାର ଟଙ୍କା ଲେଖାଏ ଓ ଶେଷରେ ୨୪ ହଜାର ୯୯୯ ଟଙ୍କା ଉଠାଇ ନେଇଥିଲେ । ଠକାମୀର ଶିକାର ହୋଇଥିବା ଜାଣିବା ପରେ ପୋଲିସର ଅଭିଯୋଗ ହୋଇଛି । ଖୋଳତାଡ କରୁଛି ପୋଲିସ ।
Comments are closed.