ଥିଏଟର ସହିତ ୨୫ ବର୍ଷର ଅନ୍ତରଙ୍ଗ ଜଡିତ ହେବା ପରେ ମଧ୍ୟ ଜଣେ ସଫଳ ଅଭିନେତ୍ରୀ ତଥା ପ୍ରତିଭାଶାଳୀ ନିର୍ଦ୍ଦେଶକ ଭାବେ ଭାରତ ତଥା ବିଦେଶରେ କାମ କରିଆସୁଥିବା ସୁଜାତା ପ୍ରିୟମ୍ବଦା ନିଜକୁ “ପୂର୍ଣ୍ଣକାଳୀନ ଥିଏଟର କର୍ମୀ” ଭାବରେ ପରିଚୟ ଦେବାକୁ ପସନ୍ଦ କରନ୍ତି | ରାଉରକେଲା ଜନ୍ମିତ ଓ ଭୁବନେଶ୍ୱରରେ ରହୁଥିବା ସୁଜାତା ଓଡିଶାର ହାତଗଣତି ମହିଳା ଥିଏଟର ନିର୍ଦ୍ଦେଶକଙ୍କ ମଧ୍ୟରେ ତାଙ୍କର ଏକ ସ୍ଵତନ୍ତ୍ର ପରିଚୟ ରହିଛି। ସମାଜ ପାଇଁ କିଛି କରିବାର ଝୁଙ୍କ ହିଁ ତାଙ୍କୁ ନୃତ୍ୟ, ସଂଗୀତ, ଥିଏଟର, ଟେଲିଭିଜନ ଓ ସିନେମାରେ ସମ୍ଭାବନା ଖୋଜିବା ପାଇଁ ପ୍ରେରିତ କରିଥିଲା। କିନ୍ତୁ ଶେଷରେ ସେ ଅନୁଭବ କରିଥିଲେ ଯେ ଥିଏଟର ହିଁ ତାଙ୍କର ପ୍ରକୃତ ପସନ୍ଦ।
ମଞ୍ଚ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ସୁଜାତା ପ୍ରିୟମ୍ବଦାଙ୍କ ସ୍ୱତନ୍ତ୍ର ସାକ୍ଷାତକାର ନେଇଛନ୍ତି ବରିଷ୍ଠ ସାମ୍ବାଦିକ ଶ୍ୟାମହରି ଚକ୍ର ।
ପ୍ର-ଯୁବା ବୟସରେ କ୍ୟାରିୟରକୁ ନେଇ ଆପଣଙ୍କ ଯୋଜନା କ’ଣ ଥିଲା?
– ଭଲ ଚାକିରି କରିବାକୁ ଇଛା ରଖୁଥିବା ସହପାଠୀଙ୍କ ପରି ମୁଁ ନିର୍ଦ୍ଦିଷ୍ଟ ଭାବେ କୌଣସି ବୃତ୍ତିରେ ରହିବାକୁ ସ୍ଵପ୍ନ ଦେଖି ନ ଥିଲି। ମୁଁ ପ୍ରାଥମିକ ସ୍କୁଲରେ ପଢୁଥିବା ବେଳେ ମଦର ଟେରେସାଙ୍କ ଜୀବନୀ ପଢ଼ିବାକୁ ସୁଯୋଗ ପାଇଥିଲି। ସେ କିପରି ଟଙ୍କା ନ ଥାଇ ମଧ୍ୟ କିପରି ସମାଜ ସେବା ଆରମ୍ଭ କରିଥିଲେ; ତାହା ମତେ ବହୁତ ପ୍ରେରଣା ଦେଇଥିଲା। ତାଙ୍କ ପରି କିଛି କରିବା ପାଇଁ ମୋ ମନ ଭିତରେ ଗୋପନରେ ଇଛାଟିଏ ଥିଲା। ମୁଁ ଯେତେବେଳେ ବଡ଼ ହେଲି; କଲେଜକୁ ଗଲି ସେତେବେଳେ ସେଠାରେ ମୁଁ ମୋର ସାଙ୍ଗ ଓ ଶୁଭେଚ୍ଛୁମାନଙ୍କୁ ମୋର ସମାଜସେବା ଇଛା ସମ୍ପର୍କରେ ଜଣାଇଥିଲି। ସେମାନଙ୍କ ମଧ୍ୟରୁ ଅନେକ ମୋତେ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ ସମାଜସେବା ପାଇଁ ଜଣେ ଧନୀ ଓ ପ୍ରସିଦ୍ଧ ହେବା ଦରକାର। ଯେହେତୁ ମୁଁ ଧନୀ ପରିବାରରୁ ଆସି ନ ଥିଲି ତେଣୁ ପ୍ରସିଦ୍ଧ ହେବା ପାଇଁ ଚେଷ୍ଟା କରିଥିଲି। ସେତେବେଳକୁ ମୁଁ ନାଚ, ଗୀତ, ଅଭିନୟ ଓ ମଞ୍ଚ ପରିଚାଳନାରେ ପ୍ରବେଶ କରିସାରିଥିଲି। ଓଡ଼ିଆ ଚଳଚ୍ଚିତ୍ରର ଆଦର୍ଶ ମା ବୋଲି କୁହାଯାଉଥିବା ସୁଜାତା ଆନନ୍ଦ, ଅନୀତା ଦାସଙ୍କର ମୁଁ ବଡ଼ ପ୍ରଶଂସକ ଥିଲି। ମୁଁ ସେତେବେଳେ ଭାବିଥିଲି ସିନେମାକୁ ଯିବି ଓ ପ୍ରସିଦ୍ଧି ଅର୍ଜନ କରିବି।
ପ୍ର-ଆପଣ ସିନେମାରେ କ୍ୟାରିୟର ପାଇଁ ଚେଷ୍ଟା କରିଛନ୍ତି କି?
-ହଁ, ମୁଁ କଲି। ଏବଂ ମୁଁ କାଷ୍ଟିଂ କାଉଚର ସାମ୍ନା କରିବା ପରେ ନିରାଶ ହୋଇଥିଲି | ମୋତେ କୁହାଯାଇଥିଲା ଯେ ମୁଁ ସୁନ୍ଦର ନୁହେଁ, ତେଣୁ ସିନେମା ପାଇଁ ଏତେ ଉପଯୁକ୍ତ ନୁହେଁ | ଚଳଚ୍ଚିତ୍ରରେ କାମ କରିବାକୁ ହେଲେ ମତେ ଅଙ୍ଗପ୍ରଦର୍ଶନ କରିବାକୁ ପଡ଼ିବ ବୋଲି କୁହାଯାଇଥିଲା। ମତେ ଲାଗିଲା, ମୁଁ ଫିଲ୍ମ ପାଇଁ ଫିଟ୍ ନୁହେଁ। ତେଣୁ ମୁଁ ଥିଏଟରକୁ ଫେରିବାକୁ ଇଛାକଲି। ସେତେବେଳେ ମୋ ପାଖରେ ରାଉରକେଲାର ଥିଏଟର ଅଭିଜ୍ଞତା ଥିଲା।
ପ୍ର-ସଂଗୀତ, ନୃତ୍ୟ କିମ୍ବା ରେଡିଓ ଓ ଟେଲିଭିଜନରେ ଆଙ୍କରିଂ ଅପେକ୍ଷା ଥିଏଟରକୁ କାହିଁକି ପସନ୍ଦ କଲେ?
-ମୋର ମା ହିଁ ମୋତେ ଛୋଟବେଳୁ ରାଉରକେଲାର ଇସ୍ପାତ୍ କଳା ପରିଷଦରେ ସଙ୍ଗୀତ ଶିକ୍ଷା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ସେତେବେଳେ ମୋତେ ନୃତ୍ୟ ହିଁ ଅଧିକ ଆକର୍ଷିତ କରିଥିଲା | ତେଣୁ ମୁଁ ଗୀତ ବଦଳରେ ଓଡ଼ିଶୀ ଶିଖିବା ଆରମ୍ଭ କଲି | ଯେତେବେଳେ ମୁଁ କଲେଜ ଗଲି, ମୁଁ ନାଟକରେ ଅଭିନୟ ଆରମ୍ଭ କରିଥିଲି ଯାହାକୁ ଆମେ ବାର୍ଷିକ ଉତ୍ସବ ସମୟରେ ମଞ୍ଚସ୍ଥ କରୁଥିଲୁ। ମୁଁ ନାଚିବା ଅପେକ୍ଷା ଅଧିକ ଅଭିନୟ କରିବାକୁ ଲାଗିଲି ଏବଂ ଥିଏଟର ଏବଂ ସିନେମାକୁ କ୍ୟାରିୟର କରିବା କଥା ଭାବୁଥିଲି। ମୋର ସ୍ନାତକୋତ୍ତର ପରେ ମୁଁ ଅଲ ଇଣ୍ଡିଆ ରେଡିଓ ଏବଂ ଏକ ସ୍ଥାନୀୟ କେବୁଲ ଟେଲିଭିଜନ ଚ୍ୟାନେଲ ପାଇଁ କାର୍ଯ୍ୟକ୍ରମ ଆଙ୍କରିଂ କରୁଥିଲି | କିନ୍ତୁ ଅଭିନୟ ମୋତେ ଅଧିକ ଭଲ ଲାଗୁଥିଲା।
ପ୍ର-ଥିଏଟରକୁ ବୃତ୍ତି ଭାବରେ ଗ୍ରହଣ କରିବାକୁ ଆପଣ କିପରି ପ୍ରସ୍ତୁତ ହେଲେ?
-୧୯୯୨ରେ ରଙ୍ଗମଞ୍ଚ ଥିଏଟର ଗ୍ରୁପ୍ ସହିତ ଅଭିନେତ୍ରୀ ଭାବରେ ରାଉରକେଲାରେ ଥିଏଟର ଆରମ୍ଭ କରିଥିଲି। ସେତେବେଳେ ମୋର ବୟସ ମାତ୍ର ୨୦ ଥିଲା | ନବାଗତା ଅଭିନେତ୍ରୀ ଭାବରେ କିଛି ଥିଏଟର ପ୍ରତିଯୋଗିତାରେ ପୁରସ୍କାର ପାଇବା ଆରମ୍ଭ କରିଥିଲି। ଏହା ହିଁ ମୋତେ ଥିଏଟରକୁ କ୍ୟାରିଅର କରିବା ପାଇଁ ପ୍ରେରିତ କରିଥିଲା। ଦୁଇ ବର୍ଷ ପରେ, ଭୁବନେଶ୍ୱରର ଜଣାଶୁଣା ଥିଏଟର ସଂଗଠନ ନାଟ୍ୟ ଚେତନା ପକ୍ଷରୁ ଆୟୋଜିତ ମହିଳା ଥିଏଟର ନିର୍ଦ୍ଦେଶକ ଓ ଲେଖକ କର୍ମଶାଳା ପାଇଁ ଆବେଦନ କରିଥିଲି। ଏଥିରେ ଯୋଗଦେବା ଉଭୟ ମୋ ଜୀବନ ଓ କ୍ୟାରିଅର ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ମୋଡ଼ ଥିଲା।
କର୍ମଶାଳା ଆପଣଙ୍କୁ କିପରି ଲାଭ ଦେଲା ?
-ମୋ ଗୁରୁ ତଥା ନାଟ୍ୟ ଚେତନାର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ଏହି କର୍ମଶାଳାର ପରିକଳ୍ପନା କରିଥିଲେ। ତାଙ୍କର ଉଦ୍ଦେଶ୍ୟ ଥିଲା ଝିଅମାନଙ୍କୁ ଥିଏଟର ଦିଗକୁ ଯିବାକୁ ଉତ୍ସାହିତ କରିବା। ସେ କର୍ମଶାଳା ପାଇଁ ଆମ ଓଡିଶାର ୧୫ ଜଣଙ୍କୁ ବାଛିଥିଲେ। ଥିଏଟର ବ୍ୟତୀତ ଆମେ କଣ୍ଢେଇ ନାଚ, ନାଟକ ପାଇଁ ପୋଷ୍ଟର ଡିଜାଇନିଂ ଓ ନାଟକ ଲିଖନ ଶିଖିଥିଲୁ। କିନ୍ତୁ ଏହି କର୍ମଶାଳା ଆମ ପାଇଁ ଅଧିକ ଗୁରୁତ୍ଵପୂର୍ଣ୍ଣ ଏଥିପାଇଁ ଥିଲା ଯେ, ଏହା ମୋ ଭଳି କମ ବୟସ୍କ ଝିଅମାନଙ୍କୁ ଥିଏଟର ଆନ୍ଦୋଳନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ ପ୍ରେରିତ କରୁଥିଲା। ଆମେ ନିର୍ଦେଶକ ଭାବେ ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବା ପରେ କେବଳ ମହିଳା ନିର୍ଦ୍ଦେଶକଙ୍କ ପାଇଁ ଏକ ସ୍ଵତନ୍ତ୍ର ଥିଏଟର ଫେଷ୍ଟିଭାଲ କରିବା ପାଇଁ ସୁବୋଧ ଭାଇ ସେତେବେଳେ ପ୍ରତିଶ୍ରୁତି ଦେଇଥିଲେ ।
ପ୍ର-ମହିଳା ଥିଏଟର ଫେଷ୍ଟିଭାଲ ବାସ୍ତବ ରୂପ ନେଇଥିଲା କି?
-ନା ହୋଇପାରିଲା ନାହିଁ। କାରଣ କର୍ମଶାଳାରେ ଭାଗ ନେଇଥିବା ଅଧିକାଂଶ ଭିନ୍ନ ଭିନ୍ନ କାରଣ ପାଇଁ ଥିଏଟର ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ସେମାନଙ୍କ ପାଇଁ ସବୁଠାରୁ ବଡ଼ କାରଣ ଥିଲା ବିବାହ। ବିବାହ ହିଁ ସେମାନଙ୍କ ସ୍ଵାଧୀନତା ଛଡ଼ାଇ ନେଇଥିଲା ଓ ଥିଏଟର ଜାରି ରଖିବାକୁ ବାରଣ କରିଥିଲା। ହେଲେ ମୁଁ ଥିଏଟର ଜାରି ରଖିବା ପାଇଁ ସ୍ଥିର କରିଥିଲି। ଦରକାର ପଡ଼ିଲେ ବିବାହ ନ କରିବାକୁ ପ୍ରସ୍ତୁତ ହୋଇଥିଲି।
ପ୍ର-ସେଥିପାଇଁ ଆପଣ ବିବାହ କଲେନାହିଁ?
-ମୋତେ କରିବାକୁ ପଡିଲା, ଯେହେତୁ ମୁଁ ଥିଏଟରକୁ ମୋ କ୍ୟାରିଅର କରିବା ପାଇଁ ସ୍ଥିର କରିଥିଲି। କିନ୍ତୁ ଏହା ପ୍ରକୃତରେ ସହଜ ନଥିଲା। ଯେତେବେଳେ ମୁଁ ଜଣେ ମଞ୍ଚ ଅଭିନେତ୍ରୀ ହେବାକୁ ସ୍ଥିର କଲି, ମୋ ମା ମୋ ସହିତ ଚାରି ବର୍ଷ କଥା ହେବା ବନ୍ଦ କରିଦେଲେ। କ୍ୟାରିୟର ଭାବରେ ସେ ସଙ୍ଗୀତ ସପକ୍ଷରେ ଥିଲେ। ସେ ଭୟ କରୁଥିଲେ ଯେ ଯଦି ମୁଁ ଅଭିନୟରେ ପ୍ରବେଶ କରେ ତେବେ ଆମ ରକ୍ଷଣଶୀଳ ସମାଜରେ ମୋ ପାଇଁ ଭଲ ବର ଖୋଜିବା କଷ୍ଟକର ହେବ | ମୁଁ ମୋ ଜୀବନର ଲକ୍ଷ୍ୟ ଜାଣିଥିଲି, ତେଣୁ ନାଟ୍ୟ ଚେତନା ସହ ଫୁଲ୍ ଟାଇମର୍ ଭାବରେ ଭୁବନେଶ୍ୱରକୁ ଯିବାକୁ ସ୍ଥିର କଲି | ସେବେଠାରୁ ୨୧ ବର୍ଷ ବିତିଗଲାଣି ଏବଂ ମୁଁ ଆଉ ପଛକୁ ଚାହିଁ ନାହିଁ |
ପ୍ର-କର୍ମଶାଳାର ଜଣେ ପ୍ରଶିକ୍ଷାର୍ଥୀଠାରୁ ଆରମ୍ଭ କରି ବିଶ୍ଵ ଭ୍ରମଣ କରୁଥିବା ଥିଏଟର ଗ୍ରୁପ୍ ‘ନାଟ୍ୟ ଚେତନା’ର ମୁଖ୍ୟ ଅଭିନେତ୍ରୀ। ଦୁଇ ଦଶନ୍ଧିର ଏ ଅଭିଜ୍ଞତାକୁ ନେଇ କଣ କହିବେ।
-ମୋ ଜୀବନ ଏବଂ ବୃତ୍ତିର ସମ୍ପୂର୍ଣ୍ଣ ରୂପାନ୍ତରଣ ହୋଇଛି। ମୁଁ ନାଟ୍ୟ ଚେତନାରେ ଯୋଗଦେବା ମାତ୍ରେ, ଟ୍ରୁପ୍ ସଦସ୍ୟ ଭାବରେ ଫ୍ରାନ୍ସ, ବେଲଜିୟମ, ନେଦରଲ୍ୟାଣ୍ଡ ଏବଂ ଇଟାଲୀ ଭ୍ରମଣ କରି ଅନ୍ତର୍ଜାତୀୟ ଥିଏଟରରେ ସମ୍ମାନ ପାଇଲି। ମୋର ଗୁରୁ ତଥା ନିର୍ଦ୍ଦେଶକ ସୁବୋଧ ସାରଙ୍କ ବ୍ୟତୀତ ଫ୍ରାନ୍ସର ପାର୍ଟିକ ନାଭାଟି ଓ ଭାରତର ପ୍ରସିଦ୍ଧ ବି.ଭି. କରାନ୍ଥଙ୍କ ଅଧୀନରେ କାମ କରିବାର ଅପୂର୍ବ ସୁଯୋଗ ପାଇଲି। ହଂକଂରେ ଡ୍ରାମା ୱାର୍ଲ୍ଡ କଂଗ୍ରେସ, ଇଣ୍ଡୋଫ୍ରେଞ୍ଚ୍- ‘ ଥିଏଟର ଡୁ-ଫିଲ’, ବେଲଜିୟମର ‘ଥିଏଟର ଡୁ କମ୍ୟୁନିଟି’ ଏବଂ ବ୍ରିଟେନର ବେଲଫାଷ୍ଟ ଭଳି ଅନ୍ତର୍ଜାତୀୟ ମହୋତ୍ସବ ଓ କାର୍ଯ୍ୟକ୍ରମରେ ଯୋଗଦାନ ମୋ ଦୃଷ୍ଟିଭଙ୍ଗୀକୁ ଅଧିକ ବିକଶିତ କରିଥିଲା।
ଥିଏଟରକୁ ନେଇ ‘ନାଟ୍ୟଚେତନାର’ ଆଭିମୁଖ୍ୟ ଆଦୌ ପାରମ୍ପରିକ ନ ଥିଲା। ଏହା ଲୋକଙ୍କ ଥିଏଟର ଥିଲା ଓ ପରିବର୍ତ୍ତନର ଥିଏଟର ଥିଲା। ଏଥିରେ କାମ କରୁଥିବା ଅଭିନେତାମାନେ ସାଧାରଣତଃ ଗାଁର ବିଭିନ୍ନ ସମ୍ପ୍ରଦାୟର। ଏହି କାର୍ଯ୍ୟକ୍ରମର ଅଂଶ ଭାବେ ତୃଣମୂଳସ୍ତରର ଲୋକଙ୍କ ସହ କାମ କରିବାର ସୁଯୋଗ ମତେ ସାମାଜିକ ବାସ୍ତବତା ସମ୍ପର୍କରେ ଶିକ୍ଷା ଦେଇଥିଲା । ନାଟ୍ୟ ଚେତନା ସହ ୨ ଦଶନ୍ଧି ଭିତରେ ଗାଁରୁ ଆରମ୍ଭ କରି ବିଶ୍ଵସ୍ତରରେ ଶିକ୍ଷାଲାଭ କରିବା ସୁଯୋଗ ଦେଇଛି। ଯଦି ଆଜି ମୁଁ ମହିଳା ନିର୍ଦ୍ଦେଶକ ଭାବେ ସମ୍ମାନ ପାଇଛି ତେବେ ତାହା ନାଟ୍ୟଚେତନାରୁ ମିଳିଥିବା ଶିକ୍ଷା, ଉତ୍ସାହ, ପ୍ରେରଣା ଓ ମାର୍ଗଦର୍ଶନ ପାଇଁ ସମ୍ଭବ ହୋଇଛି। ଏହାଠୁ ଅଧିକ ମୁଁ ଆଶା ବି କରିପାରି ନ ଥାନ୍ତି।
ପ୍ର-ଜୀବନ ଏବଂ କ୍ୟାରିୟର ଆରମ୍ଭରେ, ମଦର ଟେରେସାଙ୍କ ପରି ସମାଜସେବା ପାଇଁ ସ୍ଵପ୍ନ ଦେଖିଥିଲେ। ଆପଣ ଏହା କରିପାରିଛନ୍ତି କି?
-ଥିଏଟର ମୋର ସାମାଜିକ ସେବାର ମାଧ୍ୟମ।ଜଣେ ଅଭିନେତା ଏବଂ ଥିଏଟର ନିର୍ଦ୍ଦେଶକ ଭାବରେ ଦୁର୍ବଳ ଓ ସମାଜର ଶେଷ ବର୍ଗର ଲୋକଙ୍କୁ ସମାଜର ବାସ୍ତବତା ସମ୍ପର୍କରେ ସଚେତନ କରୁଛି। ଆମ ଥିଏଟର କେବଳ ମନୋରଞ୍ଜନ ପାଇଁ ନୁହଁ। ବରଂ ଶିକ୍ଷା ଓ ପରିବର୍ତ୍ତନର ମାଧ୍ୟମ। ଜଣେ ମହିଳା ଭାବରେ, ମହିଳାଙ୍କ ସଶକ୍ତିକରଣ ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ | ମୁଁ ଯେଉଁ ଚରିତ୍ରଗୁଡ଼ିକ ଚିତ୍ରିତ କରେ ଏବଂ ମୁଁ ନିର୍ଦ୍ଦେଶିତ ନାଟକଗୁଡ଼ିକ ସାମାଜିକ ପରିବର୍ତ୍ତନ ପାଇଁ ଉଦ୍ଦିଷ୍ଟ।
Comments are closed.