Latest Odisha News

BREAKING NEWS

କେବଳ ସେବାୟତ ଟାଣିବେ ରଥ

ପୁରୀ : ପୂର୍ବବର୍ଷ ଭଳି ଏଥର ବି କୋଭିଡ କଟକଣାରେ ହେବ ରଥଟଣା । ଦକ୍ଷିଣ ମୋଡ଼ ମଧ୍ୟ ଗତ ବର୍ଷ ଭଳି ହେବ । ଗତବର୍ଷ ଭଳି ଚଳିତ ବର୍ଷ କେବଳ ସେବାୟତମାନେ ହିଁ ଟାଣିବେ ତିନି ରଥ । ତେବେ ରଥଟଣା ବେଳେ ସେବାୟତମାନଙ୍କୁ ମୋବାଇଲ ଓ କ୍ୟାମେରା ବ୍ୟବହାର କରିବାକୁ ବାରଣ କରାଯାଇଛି । ରଥଯାତ୍ରାକୁ ନେଇ ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଗତବର୍ଷ ଭଳି ୧୪୪ ଧାରା ଓ କୋଭିଡ କଟକଣା ମଧ୍ୟରେ ଶ୍ରୀଜିଉଙ୍କ ସମସ୍ତ ନୀତି ସମ୍ପାଦନ କରାଯିବ । କମ ସଂଖ୍ୟକ ସେବାୟତଙ୍କୁ ରଥ ଉପରେ ବସିବାକୁ ଅନୁମତି ଦିଆଯିବ । ତେବେ ମହାପ୍ରଭୁଙ୍କ ସମ୍ମୁଖରେ କେହି ଛିଡା ହୋଇପାରିବେ ନାହିଁ । ଗଣମାଧ୍ୟମ ଜରିଆରେ ଭକ୍ତମାନେ କିଭଳି ସୁନ୍ଦର ଭାବେ ଦର୍ଶନ କରିବେ ତାଉପରେ ଗୁରୁତ୍ବ ଦେଇଛି ପ୍ରଶାସନ । ରଥ ଉପରେ କୌଣସି ସେବାୟତ ଫଟୋ କିମ୍ବା ସେଲ୍ଫି ନେବା ଉପରେ ମଧ୍ୟ ପ୍ରଶାସନ କଟକଣା ଲଗାଇଛି ।

ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତଙ୍କର କରାଯିବ କୋଭିଡ ଟେଷ୍ଟ । ୬ ହଜାର ଲିଟର ସାନିଟାଇଜର, ମାସ୍କ ଓ ସେବାୟତଙ୍କ ପାଇଁ ଗାମୁଛା ବ୍ୟବସ୍ଥା କରାଯାଇଛି । ସେବାୟତଙ୍କ ବସିବା ପାଇଁ ସିଂହଦ୍ବାର ଓ ଗୁଣ୍ଡିଚା ମନ୍ଦିର ନିକଟରେ ବ୍ୟବସ୍ଥା କରାଯିବ । ସ୍ବାସ୍ଥ୍ୟ ସମସ୍ୟା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ । ସେହିପରି ଗୁଣ୍ଡିଚା ମନ୍ଦିର ନିକଟରେ ତିନି ରଥ ପହଞ୍ଚିବା ପରେ ସେବାୟତଙ୍କୁ ଛାଡ଼ିବା ପାଇଁ ୧୫ଟି ବଡ଼ ଗାଡି ଓ ୧୦ଟି ଛୋଟ ଗାଡିର ବ୍ୟବସ୍ଥା କରାଯିବ ।

Leave A Reply

Your email address will not be published.