ଟୋକିଓ ଅଲିମ୍ପିକ୍ସ: ବ୍ୟାଡମିଂଟନରେ ସିନ୍ଧୁଙ୍କ ଉପରେ ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଭାରତର ଦୁଇ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଏବଂ କିଦାମ୍ବି ଶ୍ରୀକାନ୍ତ ଏଥର ଟୋକିଓ ଅଲିମ୍ପିକ୍ସ ଯାଇପାରିବେ ନାହିଁ । ସେମାନେ ଶେଷ ଯୋଗ୍ୟତା ପର୍ଯ୍ୟାୟରେ ଅଂଶଗ୍ରହଣ କରିପାରି ନ ଥିଲେ । ଏଥର ୪ଜଣ ଖେଳାଳି ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି । ସେମାନେ ହେଲେ ମହିଳା ସିଙ୍ଗଲ୍ସରେ ପିଭି ସିନ୍ଧୁ, ପୁରୁଷ ସିଙ୍ଗଲ୍ସରେ ବିସାଇ ପ୍ରଣୀଥ ଏବଂ ପୁରୁଷ ଡବଲ୍ସରେ ସାତ୍ୱିକ ସାଇରାଜ ରେଡ୍ଡୀ-ଚିରାଗ ଶେଟ୍ଟି । ଯଦି ବାସ୍ତବିକତା ଏବଂ ଅଭିଜ୍ଞତା ବିଚାରକୁ ନିଆଯାଏ ତାହାହେଲେ ସିନ୍ଧୁଙ୍କ ଠାରୁ ଭାରତ କେବଳ ପଦକ ଆଶା କରିପାରିବ । ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଥିଲେ । ଅପରପକ୍ଷରେ ପ୍ରଣୀଥ ବିଶ୍ୱର ବଡ ବଡ ଖେଳାଳି ଲି ଚୋଙ୍ଗ ୱେଇ, ଲି ଜୁନହୁଇଙ୍କୁ ହରାଇବା ଦକ୍ଷତା ପ୍ରମାଣିତ କରିପାରିଛନ୍ତି । ସେହିପରି ବିଶ୍ୱର ୧୦ ନମ୍ବର ଡବଲ୍ସ ଯୋଡି ସାତ୍ୱିକ-ଚିରାଗ କଣ କମାଲ କରୁଛନ୍ତି ତାହା ସମୟ କହିବ । ସୂଚନାଯୋଗ୍ୟ, ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାଇନାଙ୍କ ଅନୁପସ୍ଥିତି ଭାରତର ଗୋଟିଏ ପଦକ ସମ୍ଭାବନା କମ କରିଦେଇଛି ।