Latest Odisha News

ଶ୍ରୀମନ୍ଦିର ସେବାରେ ଦେଉଳ ପୁରୋହିତ

ଦେବୀ ପ୍ରସନ୍ନ ନନ୍ଦ

ଦେଉଳ ପୁରୋହିତ – କର୍ମାଙ୍ଗୀ ଅନୁଯାୟୀ – ସକଳ ଆଢଡିଆ ପଣେ ପରମ ପ୍ରୋହିତ ନିଯୋଗ । ସେ ପୁଷ୍ୟାଭିଷେକ, ଘୃତାଭିଷେକ, ଜଳବିଜେ, ପୁରୁଷସୂକ୍ତଗାନ, ପ୍ରତ୍ୟହ ରୋଷହୋମ, ବିଜେ , ମଙ୍ଗଳାରୋପଣ ସମୟରେ ମହାପ୍ରଭୁଙ୍କ ବାଡ଼ରେ ପୁରୁଷସୂକ୍ତ, ଗୁୁରୁବାର ମାଜଣାରେ ଶ୍ରୀସୂକ୍ତ, ସହସ୍ର କୁମ୍ଭାଭିଷେକରେ କୁମ୍ଭାଧିବାସ, ପୁଷ୍ୟାଭିଷେକ, ଯାଗକର୍ମକୁ ଶ୍ରୋତ୍ରିୟ ବ୍ରାହ୍ମଣ ଯୋଗାଣ, ରଥ, କାରୁଶାଳା, ଚାପପିଣ୍ଡି, ବନଯାଗ ଆଦି ସମସ୍ତ ପ୍ରତିଷ୍ଠା, ନିତ୍ୟ ସ୍ୱସ୍ତ୍ୟୟନ ପାଠ ଆଦି ଏହାଙ୍କର କାର୍ଯ୍ୟ ଥିଲା । କର୍ମାଙ୍ଗୀ ପ୍ରଣୟନ ବେଳେ ବଡ଼ ଭାଗାରି, କୁଅଁର ଭାଗାରି ଏହିଭଳି ଦୁଇ ଭାଗାରି ଥିଲେ । ସମୟକ୍ରମେ ଏହାଙ୍କର କେତେକ କାର୍ଯ୍ୟ ପୂଜାପଣ୍ଡାଙ୍କ ହାତକୁ ଚାଲିଯାଇଛି ।

ସମ୍ପ୍ରତି ଅକ୍ଷୟ ତୃତୀୟା ଦିନ ରଥ ଅନୁକୂଳ, ରଥଯାତ୍ରା ଦିନ ରଥପ୍ରତିଷ୍ଠା, ବାମନ ଜନ୍ମନୀତିରେ ପବିତ୍ରାଧିବାସ, ଶାରଦୀୟ ଷୋଳ ପୂଜାରେ ବିମଳାଙ୍କ ପୀଠରେ ପ୍ରଚାରକ କାର୍ଯ୍ୟ, ପୁଷ୍ୟାଭିଷେକ ଓ ବନଯାଗରେ ଯୋଗଦାନ ଆଦି କାର୍ଯ୍ୟ କରନ୍ତି । ସେ ମୁକ୍ତିମଣ୍ଡପର ଅଧିକାରୀ(ସ୍ୱତ୍ୱଲିପି) । ଶାଢ଼ୀବନ୍ଧା ବ୍ୟବସ୍ଥା ନାହିଁ ।

ଶ୍ରୀମନ୍ଦିର ସେବା ବ୍ୟବସ୍ଥାରେ ଦେଉଳ ପୁରୋହିତଙ୍କ ସ୍ଥାନ ସ୍ୱତନ୍ତ୍ର । ରାଜଗୁରୁଙ୍କ ପରେ ତାଙ୍କ ସ୍ଥାନ । ବ୍ରାହ୍ମଣ ସମାଜକୁ ସେ ପ୍ରତିନିଧିତ୍ୱ କରନ୍ତି । ସତ୍ତ୍ଵଲିପି ମତେ ଭୋଗବର୍ଦ୍ଧନ ପୀଠାଧିଶ୍ୱର ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ମୁକ୍ତିମଣ୍ଡପର ନାୟକ । ସେହିଭଳି ଦେଉଳ ପୁରୋହିତ ମଣ୍ଡପର ଅଧିକାରୀ । ଏକଦା ତାଙ୍କ ଦ୍ୱାରା ମଣ୍ଡପ ପରିଚାଳିତ ହେଉଥିଲା । ସମ୍ପ୍ରତି ମଣ୍ଡପରେ କୌଣସି ବିଷୟରେ ଦ୍ୱନ୍ଦ୍ୱ ଉପୁଜିଲେ ଏହାଙ୍କର ପରାମର୍ଶ ପ୍ରଶାସନ ଦ୍ୱାରା ଲୋଡ଼ାଯାଇଥାଏ ।

ସେବାର ବିବରଣୀ –

ଅକ୍ଷୟତୃତୀୟା –
ଏହି ଦିନ ବଡ଼ ଦାଣ୍ଡର ରଥଖଳାରେ କୋଠସୁଆଁସିଆଙ୍କ ଦ୍ୱାରା ନିର୍ମିତ ଏକ ଛାମୁଣ୍ଡିଆ ତଳେ ଅନୁକୂଳ ନିମନ୍ତେ ତିନିଗୋଟି କାଠଗଡ଼ ରଖାଯାଏ । ସେମାନେ ଏକ ହୋମଶାଳା ମଧ୍ୟ ନିର୍ମାଣ କରିଥାଆନ୍ତି । ସେଠାରେ ଦେଉଳ ପୁରୋହିତ ଅନ୍ୟ ବରଣ ହୋଇଥିବା ବ୍ରାହ୍ମଣଙ୍କ ସହ ହୋମ ବିଧି ସଂପାଦନ କରନ୍ତି । ବାହାର ଚନ୍ଦନ ପଟୁଆର ଅନୁକୂଳ ହୋଇଥିବା ସ୍ଥାନ ଆଗରେ ଅଟକେ । ତିନିଜଣ ପୂଜାପଣ୍ଡା ତିନିଗୋଟି ଆଜ୍ଞାମାଳ ନେଇ ଆସିଥାନ୍ତି । ଏହି ସମୟ ମଧ୍ୟରେ ତିନି ବାଡ଼ର ବିଶ୍ୱକର୍ମାଙ୍କୁ ପୁଷ୍ପ ଚନ୍ଦନ ନାରିକେଳ ପ୍ରଦାନ କରି ରଥ ନିର୍ମାଣ ଉଦ୍ଦେଶ୍ୟରେ ଦେଉଳ ପୁରୋହିତ ବରଣ କଲା ପରେ କମାର ସେବକଙ୍କ ଦ୍ୱାରା ନିର୍ମିତ ଓ କାଳିକାମନ୍ତ୍ରରେ ଅଭିମନ୍ତ୍ରିତ ତିନୋଟି କୁରାଢ଼ୀରେ ଅନୁକୂଳ ସଂପନ୍ନ ହୁଏ ।

ରଥ ପ୍ରତିଷ୍ଠା –
ଶ୍ରୀଗୁଣ୍ଡିଚା ପୂର୍ବଦିନ ଆନନ୍ଦ ବଜାରରେ ଥିବା ଚାହାଁଣି ମଣ୍ଡପର ତଳେ ଦେଉଳ ପୁରୋହିତଙ୍କ ଦ୍ୱାରା ଅଙ୍କୁରାରୋପଣ କରାଯାଇଥାଏ । ଶ୍ରୀଗୁଣ୍ଡିଚା ଦିନ ସକାଳୁ ସେଠାରେ ତିନି ରଥ ପାଇଁ ତିନିଜଣ ପୁରୋହିତ ପ୍ରତିଷ୍ଠା ହୋମ କରିଥାନ୍ତି । ତା’ପରେ ଛତି, କାହାଳୀ ଓ ଘଣ୍ଟ ସହିତ ରଥ ନିକଟକୁ ଯାଇ ଧ୍ୱଜ ମୂର୍ତ୍ତି ଓ ଆୟୁଧମାନ ରଥ ପିଣ୍ଡି ଉପରେ ରଖିବା ପରେ ଆମ୍ବଡାଳ ସାହାଯ୍ୟରେ ପବିତ୍ର ଜଳ ସିଞ୍ଚନ କରି ପ୍ରତିଷ୍ଠା କରିଥାଆନ୍ତି । ଏହି ସମୟରେ ଅନ୍ୟମାନେ ବେଦପାଠ କରୁଥାଆନ୍ତି ।

ପବିତ୍ରାଧିବାସ –
ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଦିନ ବାମନ ଜନ୍ମ ନୀତି ନିମନ୍ତେ ପୂର୍ବଦିନ ଅର୍ଥାତ୍ ଏକାଦଶୀ ଦିନ ଅନନ୍ତ ମନ୍ଦିରରେ ପବିତ୍ରାଧିବାସ ସମ୍ପନ୍ନ କରିଥାନ୍ତି ।

ଶାରଦୀୟ ଷୋ’ଳ ପୂଜା –
ଶ୍ରୀମନ୍ଦିରରେ ପୀଠାଧିଶ୍ୱରୀ ମା ବିମଳାଙ୍କ ନିକଟରେ ଶାରଦୀୟ ଦୁର୍ଗା ପୂଜା ନିମନ୍ତେ ଶ୍ରୋତ୍ରିୟ ବ୍ରାହ୍ମଣ ଚୟନ କମିଟିର ଅନ୍ୟତମ ସଦସ୍ୟ ଭାବେ କାର୍ଯ୍ୟ କରିଥାନ୍ତି । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି କମିଟିରେ ରାଜଗୁରୁ, ମୁକ୍ତିମଣ୍ଡପର ସମ୍ପାଦକ, ଗୋବର୍ଦ୍ଧନ ପୀଠର ପ୍ରତିନିଧି ମଧ୍ୟ ସଦସ୍ୟ ରହିଥାନ୍ତି । ଏହି ପାର୍ବଣ ଅବସରରେ ଦେଉଳ ପୁରୋହିତ, ପ୍ରଚାରକ ନଚେତ୍‌ ତତ୍ତ୍ୱାବଧାରକ ଭାବେ କାର୍ଯ୍ୟ କରିଥାନ୍ତି ।

ପୁଷ୍ୟାଭିଷେକ –
ପୌଷ ପୂର୍ଣ୍ଣମୀ ପୂର୍ବଦିନ ଅଙ୍କୁରାରୋପଣ, ଭୋଗମଣ୍ଡପରେ ଜଳାଧିବାସ ଓ ପୋଖରିଆରେ ଦର୍ପଣାଧିବାସ କରନ୍ତି । ପୂର୍ଣ୍ଣମୀ
ଦିନ ସକାଳ ଧୂପ ପରେ ପୋଖରିଆରେ ପାଣିପଡ଼ି ଗରାବଡ଼ୁ ସେବକଙ୍କ ଦ୍ୱାରା ପଟୁଆରରେ ଅଭିଷେକ ଜଳ ଅଣାଯାଇ ଭିତରେ ଚାରି ବାଡ଼ରେ ରଖାଯାଏ । ପୁରୋହିତ ପଞ୍ଚୋପଚାରରେ ପୂଜା ବଢ଼ାଇ ଜଳ ସଂସ୍କାର କରି ଉଠନ୍ତି । ବେଦପାଠ ମଧ୍ୟରେ ଗରାବଡ଼ୁମାନେ ଜଳଲାଗି କରନ୍ତି । ଅଭିଷେକ ସଂପନ୍ନ ହୁଏ ।

ନବକଳେବର –
ନବକଳେବର ସମୟରେ ଦେଉଳ ପୁରୋହିତ ବନଯାଗରେ ଦିଅନ୍ତି । ସମୟକ୍ରମେ କିଛି ସେବା ଏମାନଙ୍କ ହାତରୁ ଚାଲିଯାଇଛି । ପ୍ରତ୍ୟହ ରୋଷହୋମ ଓ ସୂର୍ଯ୍ୟପୂଜା ଇତ୍ୟାଦି ଏବେ ପୂଜାପଣ୍ଡାମାନଙ୍କ ଦ୍ୱାରା
କରାଯାଉଅଛି । ସଂପ୍ରତି ମହାମହୋପାଧ୍ୟାୟ ଦାମୋଦର ଶାସ୍ତ୍ରୀ ଓ ପଣ୍ଡିତ ହରିହର ମହାପାତ୍ରଙ୍କ ବଂଶଧରମାନେ ଏହି ସେବା ନିର୍ବାହ କରୁଛନ୍ତି ।

କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯

Comments are closed.