Latest Odisha News

କରୋନା କାଳରେ ବ୍ୟବସାୟ ମାନ୍ଦା

ରାୟଗଡା:  କରୋନା କାଳରେ ବ୍ୟବସାୟ ମାନ୍ଦା,ଉତ୍ପାଦନ ତୁଳନାରେ ବିକ୍ରି କମ୍ ହାତରେ ମୁଣ୍ଡ ଦେଇବସିଛନ୍ତି ବ୍ୟବସାୟୀ । ଶିଳ୍ପ ସମୃଦ୍ଦ ରାୟଗଡା ଜିଲ୍ଲାରେ ମଧ୍ୟ ଏହାର ବେଶ୍ ପ୍ରଭାବ ଦେଖିବାକୁ ମିଳିଲା । ଜିଲ୍ଲାରେ ଉତ୍କଳ ଆଲୁମିନା କାରଖାନା,ଜେକେ କାଗଜ କଳ ଓ ଇମ୍ଫା ପରି ଅନେକ ବୃହତ ଶିଳ୍ପ ରହିଥିଲା ବେଳେ ଗତ ୨୦୨୦ ମସିହା ଏପ୍ରିଲ୍ ମାସ ଠାରୁ ବର୍ତ୍ତମାନ ଯାଏଁ ସେତେଟା ଉତ୍ପାଦନ ହୋଇପାରିଲା ନାହିଁ । ଟ୍ରେନ୍ ଚଳାଚଳରେ ଗୁରୁତ୍ବର ସମସ୍ୟା ଯୋଗୁଁ କଞ୍ଚାମାଲ ବାହାର ରାଜ୍ୟକୁ ଆଉ ଯାଇପାରିଲା ନାହିଁ । ସୀମିତ କର୍ମଚାରୀଙ୍କୁ ନେଇ କାରଖାନା କର୍ତ୍ତୃପକ୍ଷ କମ୍ପାନୀ ଚଲାଇବାକୁ ବାଧ୍ୟ ହେଲେ । ରାୟଗଡା ଜିଲ୍ଲାରୁ ଉତ୍ପାଦନ ହେଉଥିବା ଆଲୁମିନିୟମ୍,ଫେରୋ ମାଙ୍ଗାନିଜ ଓ କାଗଜ ଉତ୍ପାଦନରେ ବ୍ୟାପକ ପ୍ରଭାବ ପଡିଥିଲା ।

ସମଗ୍ର ଦେଶରେ ପର୍ଯ୍ୟାୟକ୍ରମେ ତାଲା ବନ୍ଦ ଯୋଗୁଁ ରେଲପଥ ଓ ସଡକ ପଥରେ ଆଉ କଞ୍ଚାମାଲ୍ ଯିବାଆସିବା କରିପାରିଲା ନାହିଁ । ଫଳରେ କମ୍ ସଂଖ୍ୟକ କଞ୍ଚାମାଲ୍ ଉତ୍ପାଦନ କରିବାକୁ ସକ୍ଷମ ହେଲେ ଜିଲ୍ଲାର ତିନୋଟି ବଡ କାରଖାନା । ଗତବର୍ଷ କରୋନା କାଳରେ ଉତ୍କଳ ଆଲୁମିନା କାରଖାନା ଓ ଜେକେ କାଗଜ କୁ ସଂକ୍ରମଣ ଜାତ ହେବା ଆଶଙ୍କା କରି ଅଧିକ ସଂକ୍ରମିତ ମାସରେ କାରଖାନାକୁ ତାଲା ବନ୍ଦ କରିଦିଆଗଲା । ଫଳରେ ହଜାର ହଜାର ଶ୍ରମିକ ନିଜ ଦାନା ହରାଇଥିବା ସହ ଲୋକଙ୍କ ଜୀବନ ଏକପ୍ରକାର ଦୁର୍ବିସହ ହୋଇପଡିଥିଲା ।

ସେହିପରି ମହାମାରୀ କରୋନା ଯୋଗୁଁ କ୍ଷୁଦ୍ର ଓ ଅଣୁ ଶିଳ୍ପ ସଂସ୍ଥା ମାନଙ୍କୁ ମଧ୍ୟ ଅନେକ କ୍ଷତି ସହିବାକୁ ପଡିଛି । ଗଛିତ ଥିବା ସୀମିତ କଞ୍ଚାମାଲରେ ବିଭିନ୍ନ ସାମଗ୍ରୀ ଉତ୍ପାଦନ ହୋଇଥିବା ବେଳେ ତାଲାବନ୍ଦ ଯୋଗୁଁ ପରିବହନ ବ୍ୟବସ୍ଥା ଠପ୍ ହୋଇଯିବାରୁ ମାସ ମାସ ଧରି ସାଗମ୍ରୀ ପଡିରହିଲା । ମାସ ମାସ ଧରି ଷ୍ଟିଲ୍,କୋପର୍,ଖାଦ୍ୟ ପ୍ରକ୍ରିଆକରଣ ଶିଳ୍ପ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଗଲା । ଫଳରେ ଜିଲ୍ଲାରେ ବିଭିନ୍ନ ଶିଳ୍ପ ସଂସ୍ଥାରେ କାର୍ଯ୍ୟରତ ହଜାର ହଜାର ଶ୍ରମିକ କର୍ମ ନିଯୁକ୍ତି ହରାଇଲେ ।

ସେହପରି ରାୟଗଡା ଜିଲ୍ଲାର ବ୍ୟବାସୀୟ ବିଶେଷ କରି ଆନ୍ଧ୍ର,ରାୟପୁର, କୋଲକୋତା ଓ ସୁରଟ ଉପରେ ନିର୍ଭର କରୁଥିବା ବେଳେ ପରିବହନ ବ୍ୟବସ୍ଥାରେ ବ୍ୟତିକ୍ରମ ଯୋଗୁଁ ଅନ୍ୟରାଜ୍ୟରୁ ବିଭିନ୍ନ ସାମଗ୍ରୀ ଆଉ ଜିଲ୍ଲାକୁ ଆସିପାରିଲା ନାହିଁ । ଫଳରେ ବଜାର ଓ ବ୍ୟବସାୟରେ ମାନ୍ଦାବସ୍ଥା ସୃଷ୍ଟି ହେଲା । ସେହିପରି ଅତ୍ୟାବଶ୍ୟକ ସିମେଣ୍ଟ,ଲୁହା ଛଡ,ଖାଦ୍ୟ ପ୍ରକ୍ରିଆକରଣ ସାମଗ୍ରୀ ପରି ବିଭିନ୍ନ ସାମଗ୍ରୀର ଦରଦାମ୍ ଦୁଇଗୁଣା ବୃଦ୍ଦି ପାଇବା ଯୋଗୁଁ ନିର୍ଦ୍ଦାରିତ ସମୟ ଭିତରେ ଠିକ୍ ଭାବେ ବ୍ୟବସାୟ ହୋଇପାରିଲା ନାହିଁ । ଫଳରେ ବ୍ୟବସାୟୀ ମାନେ ବିଶେଷ କ୍ଷତିର ସମ୍ମୁଖୀନ ହୋଇପଡିଥିଲେ ।

Leave A Reply

Your email address will not be published.