Latest Odisha News

BREAKING NEWS

ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ଏସଏଚିଜିଙ୍କୁ ନୂଆ ଦାୟିତ୍ବ, ଖରିଫ୍ ଧାନ ସଂଗ୍ରହ କରିବେ ୮ ଏସଏଚଜି

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ କେବଳ ପାରମ୍ପରିକ ସାମଗ୍ରୀ ପ୍ରସ୍ତୁତିରେ ସୀମିତ ହୋଇ ରହି ନାହାନ୍ତି । ସେମାନଙ୍କୁ ବିଭିନ୍ନ ଦାୟିତ୍ବ ଦିଆଯାଇ ସଶକ୍ତ କରାଯାଉଛି । ଏ କ୍ଷେତ୍ରରେ ଏସଏଚଜି ମହିଳାଙ୍କୁ ଆଉ ପାଦେ ଆଗକୁ ନେବା ପାଇଁ ଜିଲ୍ଲା ପ୍ରଶାସନ ସେମାନଙ୍କ ହାତରେ ପ୍ରଥମଥର ଧାନ ସଂଗ୍ରହର ଦାୟିତ୍ବ ଦେଇଛି । ୨୦୨୧-୨୨ ବର୍ଷ ପାଇଁ ଜିଲ୍ଲାର ୭ଟି ବ୍ଲକ ଅଧୀନ ୮ଟି ଗ୍ରାମ ପଞ୍ଚାୟତରେ ସେମାନେ ଧାନ କିଣିବେ । ଏଥିପାଇଁ ୮ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ବ ଦିଆଯାଇଛି ।

ସାଧାରଣତଃ ସୁନ୍ଦରଗଡ଼ ଜିଲ୍ଲାରେ ବୃହତ୍ ଆଞ୍ଚଳିକ ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପସ୍) ଏବଂ ଆରସିଏମଏସ୍ ସଂସ୍ଥା ଖରିଫ୍ ଏବଂ ରବି ଧାନ ସଂଗ୍ରହ କରୁଛନ୍ତି । ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ରାଜ୍ୟର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଏହି ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି ।

ସରକାରୀ ମାନଦଣ୍ଡ ଅନୁଯାୟୀ, ଯେଉଁ ମହିଳା ଏସଏଚଜିଙ୍କ ପାଖରେ ଧାନ ଗଚ୍ଛିତ ରଖିବା ପାଇଁ ଗୋଦାମ ସୁବିଧା, ମଣ୍ଡିକୁ ଯିବା ଆସିବା ଲାଗି ରାସ୍ତାର ସୁବିଧା, ବିଜୁଳି, କମ୍ପ୍ୟୁଟର ଏବଂ ଡାଟା ଏଣ୍ଟ୍ରି ଅପରେଟର ଆଦି ରହିଥିବେ, ସେମାନଙ୍କୁ ଧାନ ସଂଗ୍ରହ ଦାୟିତ୍ବ ଦିଆଯାଉଛି । ଏହାକୁ ଆଧାର କରି ସୁନ୍ଦରଗଡ଼ ଜିଲ୍ଲାର ୮ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମନୋନୀତ କରାଯାଇଛି ।

ଜୟ ମା’ ମଙ୍ଗଳା ଏସଏଚଜି, ଶାନ୍ତି ଏସଏଚଜି, ମା’ ତାରିଣୀ ଏସଏଚଜି, ଇନ୍ଦିରା ଏସଏଚଜି, ମା’ ଠାକୁରାଣୀ ଏସଏଚଜି, ମାର୍ଥା ଏସଏଚଜି, ମେଘନା ଏସଏଚଜି ଓ କାମଧେନୁ ଏସଏଚଜିକୁ ବାଲିଶଙ୍କରା, ବଡ଼ଗାଁ, ଗୁରୁଣ୍ଡିଆ, କୁଆରମୁଣ୍ଡା, ଲେଫ୍ରିପଡ଼ା ଏବଂ ଲାଠିକଟା ବ୍ଲକର ଗୋଟିଏ ଲେଖାଏଁ ପଞ୍ଚାୟତ ଏବଂ ଲହୁଣିପଡ଼ା ବ୍ଲକର ୨ଟି ପଞ୍ଚାୟତରେ ଖରିଫ୍ ଧାନ କିଣିବେ ।

ଚଳିତ ବର୍ଷଠାରୁ ଏହି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବେ । ଏଥିପାଇଁ ଜୁଲାଇ ୧୫ରୁ ଚାଷୀଙ୍କ ପଞ୍ଜୀକରଣ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ନଭେମ୍ବରରୁ ମଣ୍ଡି ଖୋଲାଯାଇ ଧାନ ସଂଗ୍ରହ କରାଯିବ ।

Leave A Reply

Your email address will not be published.