ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି
ସେବା, ସଙ୍କଳ୍ପ, ସଂଗ୍ରାମ ଓ ତ୍ୟାଗର ପ୍ରତୀକ ମାଳତୀ ଚୌଧୁରୀ । ୧୯୦୪ ଜୁଲାଇ ୨୬ରୁ ୧୯୯୮ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ତାଙ୍କ ଜୀବନ କାଳ ଦୀର୍ଘ ୯୪ ବର୍ଷର । ପିଲାଦିନେ ବାପା ବାରିଷ୍ଟର କୁମୁଦ ସେନ୍ଙ୍କୁ ହରାଇବା ପରେ ମା’ ସ୍ନେହଲତା ସେନ୍ଙ୍କ ମାର୍ଗଦର୍ଶନରେ ତାଙ୍କ ଜୀବନର ମୂଳଦୁଆ ପଡିଥିଲା । ସେତେବେଳେ ପ୍ରଥମ ଶ୍ରେଣୀରେ ମାଟ୍ରିକୁଲେସନ୍ ପାଶ୍ କରିବା ପରେ ସରକାରୀ କଲେଜରେ ପାଠ ନପଢ଼ି ଶାନ୍ତି ନିକେତନର ପ୍ରଥମ ଛାତ୍ରୀ ହେବାର ସୁଯୋଗ ତାଙ୍କୁ ମିଳିଥିଲା । କବିଗୁରୁ ରବିନ୍ଦ୍ରନାଥ ଠାକୁର୍ ଓ ଜାତିର ଜନକ ମହାତ୍ମା ଗାନ୍ଧୀ ଥିଲେ ତାଙ୍କର ଆଦର୍ଶ । ୧୯୨୭ରେ ଅନ୍ୟତମ ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ ସହ ତାଙ୍କର ବିବାହ ହେଲା କଲିକତାରେ । ଚୌଧୁରୀ ପରିବାରର ବୋହୁ ହୋଇ କଟକ ଆସିବା ପରେ ମାଳତୀ ଦେବୀ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିବା ସହ ସେବା ଓ ସଂସ୍କାର କାର୍ଯ୍ୟରେ ନିଜକୁ ନିୟୋଜିତ କଲେ ।
୧୯୩୦, ୧୯୩୨ ଓ ୧୯୪୨ରେ ସେ ସ୍ୱାଧୀନତା ସଂଗ୍ରାମ କାଳରେ ଜେଲ ଯାଇଥିଲେ । ୧୯୪୨ରେ ଭାରତଛାଡ ଆନ୍ଦୋଳନ ପ୍ରସ୍ତାବ ଗ୍ରହଣ କରାଯାଇଥିବା କଂଗ୍ରେସର ବମ୍ବେ ଅଧିବେଶନରେ ସେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ । ସଂଗ୍ରାମର ଘନଘଟା ଭିତରେ ସେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ । ଗଡଜାତ ପ୍ରଜା ଆନ୍ଦୋଳନରେ ତାଙ୍କର ସକ୍ରିୟ ଭୂମିକା ଥିଲା । ସମ୍ବିଧାନ ପ୍ରଣୟନ ସଭାର ବି ସେ ସଦସ୍ୟା ଥିଲେ । ୧୯୪୬ରେ ମହାତ୍ମା ଗାନ୍ଧୀଙ୍କ ନୋଆଖାଲି ପଦଯାତ୍ରାରେ ସେ ଅଗ୍ରଣୀ ଭୂମିକା ତୁଲାଇଥିଲେ । ସ୍ୱାଧୀନତା ପରେ ସକ୍ରିୟ ରାଜନୀତିରୁ ଦୂରରେ ରହି ମାଳତୀ ଦେବୀ ଭୂଦାନ ଆନ୍ଦୋଳନରେ ବିନୋବାଭାବେଙ୍କ ସହ କାମ କରିଥିଲେ । ଆଦିବାସୀ ବହୁଳ ଅନେକ ଜିଲ୍ଲାରେ ସେ ବ୍ୟାପକ ସେବା କରିଛନ୍ତି । ଉତ୍କଳ ନବଜୀବନ ମଣ୍ଡଳ, ବାଜି ରାଉତ ଛାତ୍ରାବାସ, ଉତ୍କଳ ଗାନ୍ଧୀ ସ୍ମାରକନିଧି ଭଳି ବହୁ ଅନୁଷ୍ଠାନ ସେ ଗଢ଼ିଛନ୍ତି । ଜୟପ୍ରକାଶଙ୍କ ସମ୍ପୂର୍ଣ୍ଣକ୍ରାନ୍ତି ଆନ୍ଦୋଳନରେ ମଧ୍ୟ ସେ କାରାବରଣ କରିଛନ୍ତି ।
ସାରା ଦେଶର ରଚନାତ୍ମକ କର୍ମୀ ମହଲରେ ସେ ‘ନୂମା’ ନାମରେ ପରିଚିତା । ଏହି ଅଗ୍ରଗଣ୍ୟା ଦେଶ ସେବିକାଙ୍କୁ “ଜମୁନାଲାଲ ବଜାଜ୍ ପୁରସ୍କାର”ଠାରୁ ଆରମ୍ଭକରି ଶାନ୍ତି ନିକେତନର ସର୍ବୋଚ୍ଚ ସମ୍ମାନ ଦେଶୀକୋତ୍ତମ ପର୍ଯ୍ୟନ୍ତ ତାଙ୍କ ଉପରେ ଅଜାଡି ହୋଇପଡିଥିଲା । ମାଳତୀ ଚୌଧୁରୀଙ୍କ ପବିତ୍ର ଜନ୍ମ ଦିନରେ ସମାଜର ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ।
Comments are closed.