Latest Odisha News

BREAKING NEWS

ବିଜେଡ଼ି ଛାଡ଼ିଲେ ଦାମଙ୍କ ଝିଅ ପ୍ରିତିନନ୍ଦା, ବାପାଙ୍କ ପରି ବିଜେପିରେ ମିଶିବା ନେଇ ଚର୍ଚ୍ଚା

ଭୁବନେଶ୍ୱର: ବରିଷ୍ଠ ନେତା ଡ଼ାକ୍ତର ଦାମୋଦର ରାଉତ ବିଜେପିରେ ଯୋଗଦେବା ପରେ ସକ୍ରୀୟ ରାଜନୀତିରେ ଥିବା ତାଙ୍କ ଝିଅ ପ୍ରିତିନନ୍ଦା ରାଉତରାୟ ବିଜେଡ଼ିରୁ ଇସ୍ତଫା ପ୍ରଦାନ କରିଛନ୍ତିି । ନିଜର ବ୍ୟକ୍ତିଗତ କାରଣ ଯୋଗୁଁ ସେ ଦଳ ଛାଡ଼ିଥିବା ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି । ଦାମଙ୍କ ବଡ଼ଝିଅ ପ୍ରିତିନନ୍ଦା ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ପୂର୍ବତନ କର୍ପୋରେଟର ଭାବେ ଶୈଳଶ୍ରୀବିହାର ୱାର୍ଡ଼ରୁ ବିଜେଡ଼ି ଟିକଟରୁ ନିର୍ବାଚିତ ହୋଇଥିଲେ ।

ତେବେ ସବୁଠାରୁ ବଡ଼କଥାହେଲା, ଏବେ ପ୍ରିତିନନ୍ଦା ବିଜେଡ଼ିରୁ ଇସ୍ତଫା ପ୍ରଦାନ କଲାପରେ କେଉଁ ଦଳରେ ଯୋଗଦେବେ ଏହାକୁ ନେଇ କଳ୍ପନାଜଳ୍ପନା ଜୋର୍ ଧରିଛି । ମାତ୍ର ବାପା ଦାମୋଦର ରାଉତଙ୍କ ପଦାଙ୍କ ଅନୁସରଣ କରିବା ନିଶ୍ଚିତ, ଅର୍ଥାତ୍ ଖୁବ୍ ଶିଘ୍ର ବିଜେପିରେ ପ୍ରିତିନନ୍ଦା ଯୋଗଦେଉଛନ୍ତି ବୋଲି ଚର୍ଚ୍ଚା ବଢିବାରେ ଲାଗିଛି ।

ଅବଶ୍ୟ ପ୍ରିତିନନ୍ଦାଙ୍କ ଭାବମୂର୍ତ୍ତି ତାଙ୍କ ୱାର୍ଡ଼ରେ ଅକ୍ଷୁର୍ଣ୍ଣ ରହିଥିବା ସହିତ ତାଙ୍କର ମଧ୍ୟ ବେଶ୍ ଜନପ୍ରିୟତା ରହିଛି । ରାଜନୀତି ସହିତ ସମାଜସେବାରେ ନିଜକୁ ସାମିଲ୍ କରିବା ସହିତ ଲୋକପ୍ରତିନିଧି ଭାବେ ତାଙ୍କର ଭଲ ଜନସମ୍ପର୍କ ରହିଛି ।

ଗଣମାଧ୍ୟମକୁ ସୂଚନା ଦେଇ ପ୍ରିତିନନ୍ଦା କହିଛନ୍ତି, ମୁଁ ପ୍ରଥମେ ବାପାଙ୍କ ଝିଅ ଏବଂ ପରେ ରାଜନେତା । ବାପାଙ୍କ ଯୋଗୁଁ ମୁଁ ରାଜନୀତିକୁ ଆସିଛି । ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ, ପ୍ରିତିନନ୍ଦା ବିଜେପିରେ ଖୁବ୍ ଶିଘ୍ର ସାମିଲ୍ ହେବା ଏକପ୍ରକାର ନିଶ୍ଚିତ ।

ବିଏମସିର ପୂର୍ବତନ କର୍ପୋରେଟର୍ ପ୍ରିତିନନ୍ଦା ରାଉତରାୟ ତାଙ୍କ ଇସ୍ତଫାପତ୍ରରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ବ୍ୟକ୍ତିଗତ କାରଣ ଯୋଗୁଁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି ।

ନିର୍ବାଚନ ବିଗୁଲ୍ ଓଡ଼ିଶା ରାଜନୈତିକ ଆକାଶରେ ବାଜିବା ସହିତ ଏବେ ସମସ୍ତ ଦଳରେ ଦଳବଦଳ ବଢିବାରେ ଲାଗିଛି ।

ଆଉ ଦିନ କେଇଟା ପରେ ଦଳୀୟ ପ୍ରଚାର ସାଙ୍ଗକୁ ରାଜନେତାଙ୍କ ସଭା ସମିତି ଓ ସମାବେଶରେ ସମଗ୍ର ବାତାବରଣ ସରଗରମ ହୋଇଉଠିବ ।

ଏହାକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳର ନେତାମାନେ ଏବେଠୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ବେଶ୍ ଚଳଚଞ୍ଚଳ ହୋଇପଡ଼ିବା ସ୍ୱାଭାବିକ ।

Leave A Reply

Your email address will not be published.