ଚିନ୍ମୟ କୁମାର ହୋତାଙ୍କ ନିୟମିତ ସମ୍ଭ “ଏଇ କଥାକୁ” ……
ପ୍ରାୟ ଦୁଇ ହଜାର ପାଞ୍ଚ ଶହ ବର୍ଷ ତଳର କଥା। ପ୍ରାଚୀନ ଗ୍ରୀସର ସାମରିକ ବାହିନୀ, ଆକ୍ରମଣକାରୀ ପାରସ୍ୟ ସେନା ସହିତ ମାରାଥନ ନାମକ ସ୍ଥାନରେ ଘମାଘୋଟ ଲଢେଇ କରୁଥାନ୍ତି। ଶେଷରେ ଆକ୍ରମଣକୁ ପ୍ରତିହତ କରି ଗ୍ରୀକ ସେନା ବିଜୟୀ ହୋଇଥିଲେ, କିନ୍ତୁ ଏ ଖୁସି ଖବର ରାଜଧାନୀ ଏଥେନ୍ସରେ ତ ଶୀଘ୍ର ପହଞ୍ଚିବା ଦରକାର। ଏ ତାତ୍ପର୍ଯ୍ୟପୂର୍ଣ୍ଣ କାର୍ଯ୍ୟଟି ସମ୍ପାଦନ କରିବାର ଦାୟିତ୍ୱ ଆସି ପଡିଲା ଜଣେ ଯୁବ ସନ୍ଦେଶବାହକଙ୍କ ଉପରେ। କାଳ ବିଳମ୍ବ ନ କରି ଯୁବକ ଜଣକ ରାଜଧାନୀ ଅଭିମୁଖେ ଧାଇଁବା ଆରମ୍ଭ କରିଦେଲେ। କେଇ ଘଣ୍ଟା ପରେ ପାଖାପାଖି ଚାଳିଶ କିଲୋମିଟର ବାଟ ଅବିରତ ଧାଇଁବା ପରେ ସେ ଠିକଣା ସ୍ଥାନରେ ପହଞ୍ଚି ପାରିଥିଲେ ଓ ସୁଖ ସନ୍ଦେଶଟି ପରିବେଷଣ କରି ପାରିଥିଲେ। ସେ ତାଙ୍କ କାମଟି ଦାୟିତ୍ୱର ସହ ସମ୍ପାଦନ କରି ପାରିଲେ ସିନା, ହେଲେ ସ୍ୱଳ୍ପ ସମୟ ଉତ୍ତାରୁ ଅତିଶୟ କ୍ଲାନ୍ତି ଯୋଗୁଁ ସେହି ସ୍ଥାନରେ ଢଳି ପଡିଲେ ଓ ସବୁଦିନ ପାଇଁ ଆଖିବୁଜି ଦେଲେ।
ଏମିତି ଏକ କିମ୍ବଦନ୍ତୀ ସମ୍ପନ୍ନ ମନୋଭାବ ଓ ଉଦ୍ଦୀପନାକୁ ସମ୍ମାନ ଜଣାଇବା ପାଇଁ ୧୮୯୬ ମସିହାରେ ଗ୍ରୀସରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଆଧୁନିକ ଅଲିମ୍ପିକ୍ସ କ୍ରୀଡ଼ାରେ ମାରାଥନ ନାମରେ ଏକ ଦୀର୍ଘ ଦୂରତ୍ୱର ଖେଳ ସାମିଲ କରାଯାଇଥିଲା। ମାରାଥନ ଦୌଡ଼ ସେହି ଦିନଠାରୁ ସାରା ବିଶ୍ୱରେ କ୍ରମବର୍ଦ୍ଧିଷ୍ଣୁ ଭାବରେ ଲୋକପ୍ରିୟତା ହାସଲ କରିଚାଲିଛି। ଅବଶ୍ୟ ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ଚତୁର୍ଥ ଶତାବ୍ଦୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ପୁରାତନ ଅଲିମ୍ପିକ୍ସରେ ମାରାଥନ ଖେଳର କଳ୍ପନା କରାଯାଇ ନ ଥିଲା। ଜଣେ ମଣିଷର ଶାରୀରିକ ଶକ୍ତି, କୌଶଳ, ଧୈର୍ଯ୍ୟ, ସାହସ ଓ ଖେଳୁଆଡ଼ ମନୋଭାବର ସମଷ୍ଟିଗତ ପ୍ରଦର୍ଶନ ହିଁ ଅଲିମ୍ପିକ୍ସ ଭାବନାର ଧ୍ୟେୟ। ଏହା ପୁରାତନ ଓ ନୂତନ ଉଭୟ ଅଲିମ୍ପିକ୍ସର ମୂଳ ମନ୍ତ୍ର। ଏଗୁଡିକ ସଙ୍ଗେ ସଙ୍ଗେ ଆଧୁନିକ ଅଲିମ୍ପିକ୍ସରେ ଗୋଟିଏ ନିଷ୍ପତ୍ତି ଯୋଡ଼ା ଯାଇଥିଲା ଯେ ପ୍ରତିଯୋଗିତା ସୌଖିନ ଖେଳାଳିଙ୍କ ପାଇଁ ଉନ୍ମୁକ୍ତ ରହିବ, ପେସାଦାର ଖେଳାଳିଙ୍କ ପାଇଁ ନୁହେଁ। ଏହି ସବୁ ଉଚ୍ଚ ଚିନ୍ତାଧାରା ଓ ପ୍ରେରଣାକୁ ପାଥେୟ କରି ଅଲିମ୍ପିକ୍ସ ଅନେକ ବର୍ଷ ଧରି ଚାଲି ଆସିଛି, ହେଲେ ନିକଟ ଅତୀତରେ ଏଥିରେ ବହୁ ବ୍ୟତିକ୍ରମକୁ ନିୟମାଭୁକ୍ତ କରାଚାଲିଛି।
ଅଲିମ୍ପିକ୍ସ ପରମ୍ପରାର ସବୁଠୁ ବଡ଼ ବିଚ୍ୟୁତି ଘଟିଛି କ୍ରୀଡାକୁ ପେସାଦାର ଖେଳାଳିଙ୍କ ପାଇଁ ବାଟ ଖୋଲା କରିବା କ୍ଷେତ୍ରରେ। ପୂର୍ବରୁ କର୍ତ୍ତୃପକ୍ଷ ଏ କ୍ଷେତ୍ରରେ ଅତ୍ୟନ୍ତ କଠୋର ନିୟମ ଲାଗୁ କରୁଥିଲେ। ୧୯୧୨ ମସିହାରେ ଦ୍ୱୈତ ସ୍ବର୍ଣ୍ଣ ପଦକ ବିଜୟୀ ଜିମ ଥୋର୍ପଙ୍କ ପଦକଗୁଡିକୁ ପ୍ରତ୍ୟାହାର କରିନିଆଗଲା ଯେତେବେଳେ ଜଣାପଡିଲା ଯେ ଥୋର୍ପ ଅତୀତରେ ଜଣେ ପେସାଦାର ବେଶବଲ ଖେଳାଳି ଥିଲେ। ବିଡମ୍ବନାର କଥା ଏହି ଯେ ଥୋର୍ପ ଯେଉଁ ଖେଳ ଗୁଡିକରେ ସ୍ଵର୍ଣ୍ଣ ପଦକ ଜିଣିଥିଲେ ତାହା ବେଶବଲ ନ ଥିଲା। ଯାହା ହେଉ ଏହି ଅନ୍ୟାୟର ପ୍ରତିବିଧାନ କରାଗଲା ୧୯୮୩ ମସିହାରେ ଥୋର୍ପଙ୍କୁ ତାଙ୍କର ଗୌରବ ଓ ପଦକ ପୁନଃ ପ୍ରଦାନ କରି। ଧୀରେ ଧୀରେ ପେସାଦାର ଖେଳାଳି ମାନଙ୍କ ପାଇଁ ବାଟ ସମ୍ପୂର୍ଣ୍ଣ ଖୋଲି ଦିଆ ଗଲା ଓ ଏହା ଫଳରେ ଆମେରିକାର କେତେକ କିମ୍ବଦନ୍ତୀସମ୍ପନ୍ନ ବାସ୍କେଟବଲ ତାରକା ତଥା ବିଶ୍ୱର ନାମଜାଦା ଟେନିସ ଖେଳାଳି ମାନଙ୍କୁ ଅଲିମ୍ପିକ୍ସ କ୍ରୀଡାଙ୍ଗନରେ ଦେଖିବାକୁ ମିଳିଲା। ପେସାଦାର ଖେଳାଳି ମାନଙ୍କ ସାଙ୍ଗରେ ଅଲିମ୍ପିକ୍ସର ପବିତ୍ର କ୍ଷେତ୍ର ଭିତରକୁ ପଶି ଆସିଲା ଅର୍ଥର ସ୍ରୋତ ଓ ପଦକ ଜିତିବାର ଦୁର୍ବାର ବାଣିଜ୍ୟିକ ମାନସିକତା। ତାରକା ଖେଳୁଆଡ଼ ସୁଶୋଭିତ ଅଲିମ୍ପିକ୍ସ ବିଜ୍ଞାପନ, ପୃଷ୍ଠପୋଷକ ଓ ଟିଭିର ଖେଳ ବିବରଣୀ ପ୍ରସାରକ ମାନଙ୍କର ଆକର୍ଷଣର ବିନ୍ଦୁ ହୋଇପଡିଲା। ଏଣୁ ଆଜି ଅଲିମ୍ପିକ୍ସର ପ୍ରତ୍ୟେକଟି ନୂଆ ସଂସ୍କରଣ କ୍ରୀଡା କ୍ଷେତ୍ରରେ ରେକର୍ଡ ଯାହା ହେଉନା କାହିଁକି ଅର୍ଥ ବିନିଯୋଗରେ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି।
ଅର୍ଥ ବିନିଯୋଗ କେବଳ ବିଜ୍ଞାପନ ଓ ପ୍ରସାର କ୍ଷେତ୍ରରେ ହେଉନାହିଁ, ଆଜି କ୍ରୀଡା କ୍ଷେତ୍ରରେ ମଧ୍ୟ ଅର୍ଥର ପ୍ରଭାବ ଅଲିମ୍ପିକ୍ସକୁ ଏକ ପଇସାର ଖେଳରେ ପରିଣତ କରିପକାଇଛି। ଆଜିର ପ୍ରତ୍ୟେକ ଅଂଶଗ୍ରହଣକାରୀ ଦେଶ ସ୍ୱର୍ଣ୍ଣ ପଦକ ଓ ପଦକ ତାଲିକାରେ ଉଚ୍ଚ ଆସନ ପାଇଁ ଏତେ ମାତ୍ରାରେ ଲାଳାୟିତ ଯେ ସେଥିପାଇଁ ସେମାନେ ଯେ କୌଣସି ସ୍ଥରକୁ ଯିବା ପାଇଁ ପ୍ରସ୍ତୁତ। ଆଗାମୀ ଅଲିମ୍ପିକ୍ସ ପାଇଁ ନିଜର ପ୍ରତିଯୋଗୀ ମାନଙ୍କୁ ପେସାଦାର ଢଙ୍ଗରେ ପ୍ରସ୍ତୁତ କରିବା ପାଇଁ ଅର୍ଥ ଯେମିତି ବାଧକ ନ ହୁଏ ତାର ବ୍ୟବସ୍ଥା କରୁଛନ୍ତି ସବୁ ଉନ୍ନତ ଦେଶ ମାନେ। ଚୀନ ପଦକ ତାଲିକାରେ ଶୀର୍ଷରେ ରହିବା ପାଇଁ ଅପେକ୍ଷାକୃତ କମ ପରିଚିତ ଖେଳ ଗୁଡିକରେ ସ୍ୱର୍ଣ୍ଣ ଜିତିବା ଉଦ୍ଦେଶ୍ୟରେ ସବୁ ପ୍ରକାର ରଣନୀତି ଗ୍ରହଣ କରିଥାଏ। ଇଂଲଣ୍ଡ ଟୋକିଓ ଅଲିମ୍ପିକ୍ସର ପଦକ ତାଲିକାରେ ଉଚ୍ଚସ୍ଥାନ ହାସଲ କରିବା ପାଇଁ ପ୍ରାୟ ୩୬୦୦ କୋଟି ତାଙ୍କ ଖର୍ଚ୍ଚ କରିଛି। ଖେଳ ର ପ୍ରଦର୍ଶନ ଉନ୍ନତ କରିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାରେ କିଛି ଭୁଲ ନାହିଁ। କିନ୍ତୁ ଏହା ଅଲିମ୍ପିକ୍ସ ର ସମସ୍ତ ଆଦର୍ଶ ଓ ‘ସୁସ୍ଥ ଶରୀର ଓ ସୁସ୍ଥ ମାନସିକତା’ ଗଢି ତୋଳିବାର ଲକ୍ଷ୍ୟ ର ଖିଲାପରେ ଯାଉଛି।
ଆରମ୍ଭରେ ଅଲିମ୍ପିକ୍ସ ଖେଳ ସରଳତାର ସହ ସଂଗଠିତ ହେଉଥିଲା। ପଇସାର ପ୍ରାଚୁର୍ଯ୍ୟର ବାହାରେ ରହି ଏହା ସମସ୍ତ ଖେଳାଳିଙ୍କ ପାଇଁ ଏକ ସମାନ ସୁଯୋଗ ଦେଉଥିଲା। ହେଲେ ଆଜି ଯେଉଁ ଖେଳାଳି ଅଧିକ ବ୍ୟୟ ବହୁଳ ପ୍ରଶିକ୍ଷଣ ଓ ପ୍ରସ୍ତୁତି ପାଉଛନ୍ତି ସେମାନେ ପ୍ରତିଯୋଗିତା ଆରମ୍ଭ ହେବ ପୂର୍ବରୁ ଅନ୍ୟ ପ୍ରତିଯୋଗୀ ମାନଙ୍କ ଠାରୁ ଅନେକ ଆଗରେ ରହି ପାରୁଛନ୍ତି । ପୁରାତନ ଅଲିମ୍ପିକ୍ସ ବିଜେତା ମାନଙ୍କୁ ବିଜୟ ସ୍ୱରୂପ ଅଲିଭ ପତ୍ରର ମୁକୁଟ ପିନ୍ଧାଇ ଦିଆ ଯାଉଥିଲା, ହେଲେ ଆଜିର ବିଜେତା ମାନଙ୍କୁ ମିଳୁଛି ଆଖି ଖୋସି ହୋଇଗଲା ଭଳି ପୁରସ୍କାର ରାଶି। ଅବଶ୍ୟ ଦେଶ ପାଇଁ ସୁନାମ ଅର୍ଜନ କରିଥିବା ଖେଳାଳି ମାନଙ୍କୁ ପୁରସ୍କୃତ କରିବା ଦେଶ ପାଇଁ ଓ ବାଣିଜ୍ୟିକ ସଂସ୍ଥା ମାନଙ୍କ ପାଇଁ ଏକ ସୌଭାଗ୍ୟର କଥା। ହେଲେ ଏହି ପ୍ରଥା ସମାନ ଦେଶର ପ୍ରତିନିଧି ମାନଙ୍କ ମଧ୍ୟରେ ‘ସମ୍ଭ୍ରାନ୍ତ’ ଓ ‘ବଞ୍ଚିତ’ ଭଳି ଦୁଇଟି ଶ୍ରେଣୀ ସୃଷ୍ଟି କରୁ ନାହିଁ ତ ?
(ମୋବାଇଲ : ୯୪୩୭୦୮୯୬୫୫)
Comments are closed.