Latest Odisha News

ଭାର୍ଗବୀ ନଦୀଗର୍ଭରୁ ପୁରାତନ ମନ୍ଦିରର ଅଂଶ ବିଶେଷ ଠାବ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ନଦୀ ଗର୍ଭରୁ ବହୁ ପୁରାତନ ମନ୍ଦିରର ଅଂଶ ବିଶେଷ ଠାବ । ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ଭାର୍ଗବୀ ନଦୀ ଗର୍ଭରୁ ଏମିତି କିଛି ସନ୍ଧାନ ପାଇଛନ୍ତି ଐତିହାସିକ ଓ ପ୍ରତ୍ନକାତ୍ତିକ । ‘Rediscover Lost Heritage’ ସଂସ୍ଥାର ଏକ ଚାରି  ଜଣିଆ ସଦସ୍ୟ ବିଶିଷ୍ଟ ଐତିହ୍ୟ ଅନୁସନ୍ଧାନକାରୀ ଦଳ ମନ୍ଦିରର  ଧ୍ୱଂସାବଶେଷର ପ୍ରାଥମିକ ସର୍ବେକ୍ଷଣ କରିଛନ୍ତି । ରତ୍ନଚିରା ନଦୀ ଅବବାହିକାର ପ୍ରତ୍ନତାତ୍ତ୍ଵିକ ସର୍ଭେ କରାଯାଉଛି । ଭାର୍ଗବୀ ନଦୀ ଗର୍ଭରେ ଥିବା ପୁରାତନ ମନ୍ଦିରଟି ରତ୍ନଚିରା ନଦୀର ଉତ୍ପତ୍ତି ସ୍ଥଳରୁ ମାତ୍ର ଏକ କିଲୋମିଟର ଦୂରରେ ଅବସ୍ଥିତ ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗତ କିଛି ବର୍ଷ ଧରି ନଦୀ ଗର୍ଭର ଏହି ସ୍ଥାନରୁ ବହୁ ବଡ ବଡ ପଥର ଖଣ୍ଡ ବାହାରିଛି । ସେଥିରୁ କିଛି ନଦୀ କୂଳରେ ପଡି ରହିଛି । ଆଉ କିଛି ନିକଟସ୍ଥ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ରଖାଯାଇଛି । ଅନୁସନ୍ଧାନକାରୀ ଟିମ୍ ଏହି ସ୍ଥାନରେ ଅନେକ କାରୁକାର୍ଯ୍ୟପୂର୍ଣ୍ଣ ପଥର ଖଣ୍ଡ, ପଥର ଖୁଣ୍ଟି, ଭଗ୍ନ ଦ୍ୱାରବନ୍ଧ, ଅନେକ ଭଗ୍ନ ଶିଳାମୂର୍ତ୍ତି ଦେଖିବାକୁ ପାଇଥିଲେ ।

କିଛି କାରୁକାର୍ଯ୍ୟପୂର୍ଣ୍ଣ ପଥର ପ୍ରାୟ ଶହେ ବର୍ଷ ତଳେ ନିର୍ମିତ ଆଖଣ୍ଡଳମଣି ମନ୍ଦିର କାନ୍ଥରେ ମଧ୍ୟ ସ୍ଥାନୀତ କରାଯାଇଛି । ଐତିହାସିକ ଅନିଲ ଧିରଙ୍କ ନେତୃତ୍ୱାଧୀନ ଏହି ଅନୁସନ୍ଧାନକାରୀ ଦଳରେ ‘Rediscover Lost Heritage’ ସଂସ୍ଥାର ପ୍ରକଳ୍ପ ସଂଯୋଜକ ଦୀପକ କୁମାର ନାୟକ ଓ ଅନ୍ୟ ଦୁଇ ସଦସ୍ୟ ସୁମନ ପ୍ରକାଶ ସ୍ୱାଇଁ ଓ ଶୁଭାଶିଷ ଦାଶ ସାମିଲ ଥିଲେ ।

ଦୀପକ କୁମାର ନାୟକ କହିଛନ୍ତି, ମନ୍ଦିରର ଧ୍ୱଂସାବଶେଷ ଭାର୍ଗବୀ ନଦୀର ମଧ୍ୟଭାଗ ତଥା ନଦୀକୂଳର ଆଖପାଖ ଅଞ୍ଚଳରେ ଏଣେତେଣେ ପଡିରହିଛି । ନଦୀଶଯ୍ୟାରୁ କୂଳକୁ ସଂଯୋଗ କରୁଥିବା ଏକ ପାବଚ୍ଛ ଶ୍ରେଣୀରେ ପ୍ରାୟ ୧୨ରୁ ଅଧିକ ପୁରାତନ ମନ୍ଦିରର ଶିଳା ବ୍ୟବହାର କରାଯାଇଛି । ଅନେକଗୁଡିଏ ପୁରୁଣା ପଥର ସ୍ଥାନୀୟ ଅଧିବାସୀ ଗୃହନିର୍ମାଣ ପାଇଁ ନେଇଯାଇଛନ୍ତି ।

ଗୋଟିଏ ଭଗ୍ନ ଦ୍ୱାରବନ୍ଧର ଉପର ଅଂଶ ଦେଖିବାକୁ ପାଇଥିଲେ ଅନୁସନ୍ଧାକାରୀ ଟିମ । ଯେଉଁଥିରେ ଦେବୀ ଗଜଲକ୍ଷ୍ମୀଙ୍କର ଅତି ସୁନ୍ଦର ଭାବରେ ଖୋଦିତ ପ୍ରତିମା ଦେଖିବାକୁ ମିଳୁଛି । ଏହାବ୍ୟତୀତ ଅନେକ ସ୍ଥାନରେ ନାଗକନ୍ୟା ଓ ପୁଷ୍ପାଲତାର ଅପୂର୍ବ କାରୁକାର୍ଯ୍ୟ ମଧ୍ୟ ସାମନାକୁ ଆସିଛି । ଏସବୁ କାରୁକାର୍ଯ୍ୟର ଆନୁମାନିକ ଗଠନ ସମୟ ତ୍ରୟୋଦଶ କିମ୍ବା ଚତୁର୍ଦ୍ଦଶ ଶତାବ୍ଦୀ କିମ୍ବା ଆହୁରି ପୁରାତନ ହୋଇପାରେ ବୋଲି ଦୀପକ ନାୟକ କହିଛନ୍ତି ।

ଐତିହାସିକ ଅନିଲ ଧିର କହିଛନ୍ତି, ଶୀଳାଖଣ୍ଡଗୁଡିକର ଏତେ ବୃହତ ଆକାରରୁ ଏହା ଅନୁମାନ କରାଯାଉଛି ଯେ, ଏଠାରେ କୌଣସି ଛୋଟ ମନ୍ଦିର ନଥିଲା । ଏଠାରେ ଥିବା ମନ୍ଦିରର ଆକାର ମଧ୍ୟମ କିମ୍ବା ବୃହତ ଆକୃତିର ହୋଇପାରେ । ନଦୀକୂଳରେ ଥିବା କିଛି ପଥର ସ୍ଲାବର ଲମ୍ବ ୮ ଫୁଟର ଅଧିକ ଓ ମୋଟେଇ ୨ରୁ ୪ ଫୁଟ ଯାଏ ମପା ଯାଇଛି । ଏଗୁଡିକର ଓଜନ ଆନୁମାନିକ ଦେଢରୁ ଦୁଇ ଟନ ପର୍ଯ୍ୟନ୍ତ ହୋଇପାରେ । ନଦୀଗର୍ଭରୁ ଉଭୟ ବାଲିପଥର ଓ ମାଙ୍କଡାପଥର ବାହାରୁଛି ।

ପ୍ରସ୍ତର ଖଣ୍ଡଗୁଡିକର ଉଭୟ ପାର୍ଶ୍ୱରେ ସମାନ ଭାବରେ ଖୋଳା ଯାଇଥିବା ବଡ ବଡ କଣା ଦେଖାଯାଉଛି । ଯାହାଦ୍ୱାରା ଲୁହାର ବନ୍ଧନୀ ଦ୍ୱାରା ପଥର ଯୋଡ଼େଇ ହୋଇଥିବା ଅନୁମାନ କରାଯାଇପାରେ । ଏପରି ଅନେକ ଗୁଡିଏ ପଥର ଖଣ୍ଡ ନଦୀରୁ ବାଲି ଉଠାଣ ସମୟରେ କ୍ଷୟପ୍ରାପ୍ତ ହୋଇ ଭାଙ୍ଗି ଯାଇଥିବା ସ୍ଥାନୀୟ ଲୋକ କହିଛନ୍ତି ।

ଏହି ସ୍ଥାନରୁ ମିଳିଥିବା ଅନେକ ପୁରାତନ ମୂର୍ତ୍ତିକୁ ଆଖପାଖ ମନ୍ଦିରରେ ରଖି ପୂଜା କରାଯାଉଛି । ଗ୍ରାମବାସୀ ଅନୁସନ୍ଧାନକାରୀ ଦଳକୁ ଏହି ସ୍ଥାନରୁ ମିଳୁଥିବା ଅନେକ ପୁରୁଣା ଟଙ୍କା, ଭଙ୍ଗାପାତ୍ର ଓ ଛୋଟ ଛୋଟ ପୁରୁଣା ଅଳଙ୍କାର ଦେଖେଇଥିଲେ । ମନ୍ଦିରର ପ୍ରକୃତ ଇତିହାସ ଜାଣିବାକୁ ହେଲେ ଅଧିକ ଗବେଷଣାର ଆବଶ୍ୟକତା ରହିଛି । କିନ୍ତୁ ଏହା ନିଶ୍ଚିତ ଯେ ଭାର୍ଗବୀ ନଦୀର ଗତିପଥ ପରିବର୍ତ୍ତନ ହିଁ ମନ୍ଦିରଟି ଭାଙ୍ଗି ପଡିବାର ମୁଖ୍ୟ କାରଣ ।

ଐତିହାସିକ ଅନିଲ ଧୀର କହିଛନ୍ତି, ପୁରାତନ ପ୍ରାଚୀ ଉପତ୍ୟକାର କୀର୍ତ୍ତିରାଜି ପରି ରତ୍ନଚିରା ନଦୀ ଉପତ୍ୟକାରେ ମଧ୍ୟ ଅଗଣିତ ଐତିହାସିକ କୀର୍ତ୍ତିରାଜି ଅଜଣା-ଅଚିହ୍ନା ତଥା ଅବହେଳିତ ଅବସ୍ଥାରେ ରହିଛି । ପୁରାଣ ଅନୁସାରେ ଭଗବାନ ଶ୍ରୀରାମ ମାତା ସୀତାଙ୍କ ତୃଷ୍ଣା ନିବାରଣ ପାଇଁ ରତ୍ନଚିରା ନଦୀକୁ ସୃଷ୍ଟି କରିଥିଲେ ।

ଏହି ନଦୀର ଉଭୟ କୂଳରେ ଅନେକ ପୌରାଣିକ ଲୋକକଥା ଓ କିମ୍ବଦନ୍ତୀ ଆଧାରରେ ଐତିହାସିକ ସ୍ଥାନ ତଥା କୀର୍ତ୍ତିରାଜି ନିର୍ମିତ ହୋଇଥିଲା । ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏହି ମନ୍ଦିର ନିକଟସ୍ଥ ସ୍ଥାନଗୁଡିକର ଉପଯୁକ୍ତ ସର୍ବେକ୍ଷଣ କରିବାକୁ ଦାବି କରିଛନ୍ତି ଅନୀଲ ଧିର । ରତ୍ନଚିରା ନଦୀ ଅବବାହିକାର ସମ୍ପୁର୍ଣ୍ଣ ୬୦ କିଲୋମିଟର ବ୍ୟାପୀ ଅଞ୍ଚଳରେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଆବଶ୍ୟକ ।

Comments are closed.