Latest Odisha News

BREAKING NEWS

ଟିଟିପି ପ୍ରସଙ୍ଗରେ ପାକିସ୍ତାନକୁ ତାଲିବାନର ବଡ଼ ଝଟ୍‌କା

ନୂଆଦିଲ୍ଲୀ: ପାକିସ୍ତାନକୁ ତାଲିବାନର ବଡ଼ ଝଟ୍‌କା। ଯେଉଁ ଆଶାରେ ପାକିସ୍ତାନ ତାଲିବାନକୁ ସମର୍ଥନ କରୁଥିଲା ସବୁ ଆଶା ପାଣିରେ ମିଳେଇଗଲା। ପାକିସ୍ତାନ ଚାହୁଁଥିଲା ଯେ ତାଲିବାନ ତେହେରିକ-ଇ-ତାଲିବାନକୁ ଏହାର ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ, କିନ୍ତୁ କାବୁଲକୁ କାବୁ କରିଥିବା ସଂଗଠନ ତାହା କରିବାକୁ ମନା କରି ଦେଇଛି।

ତାଲିବାନ ପାକିସ୍ତାନକୁ ଖୋଲାଖୋଲି ଭାବେ କହିଛି ଯେ ତେହେରିକ-ଇ-ତାଲିବାନ ପାକିସ୍ତାନ, ପାକିସ୍ତାନର ସମସ୍ୟା, ଏହାର ସମାଧାନ ପାକ୍ତିସ୍ତାନକୁ ଖୋଜିବାକୁ ପଡ଼ିବ ଆଫଗାନିସ୍ତାନକୁ ନୁହେଁ। ତାଲିବାନ ସ୍ପଷ୍ଟ ଭାବେ କହିଛି ଯେ ସେମାନେ ଆଫଗାନିସ୍ତାନ ମାଟି ଅନ୍ୟ କାହା ପାଇଁ ବ୍ୟବହାର କରିବାକୁ ଦେବେ ନାହିଁ।

ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ତେହେରିକ୍-ଇ-ତାଲିବାନ ପାକିସ୍ତାନ (ଟିଟିପି) ପ୍ରସଙ୍ଗ ଆଫଗାନିସ୍ତାନ ନୁହେଁ ଇମ୍ରାନ ଖାନ ସରକାରଙ୍କ ଦ୍ବାରା ସମାଧାନ ହେବା ଉଚିତ। ଶନିବାର ଏକ ସାକ୍ଷାତକାରରେ ମୁଖପାତ୍ର ମୁଜାହିଦ୍ ଏହା କହିଛନ୍ତି।

ତେବେ ମୁଜାହିଦ୍ ଦୋହରାଇଛନ୍ତି ଯେ ତାଲିବାନ କାହାକୁ ଆଫଗାନିସ୍ତାନର ଜମି ଅନ୍ୟ ଦେଶ ବିରୁଦ୍ଧରେ ବ୍ୟବହାର କରିବାକୁ ଦେବ ନାହିଁ। ସେ ଆହୁରି କହିଛନ୍ତି ଯେ ଆମର ନୀତି ହେଉଛି ଯେ ଅନ୍ୟ ଦେଶରେ ଶାନ୍ତି ନଷ୍ଟ କରିବା ପାଇଁ ଆମେ ଆମର ଜମି ବ୍ୟବହାର କରିବାକୁ କାହାକୁ ଅନୁମତି ଦେବୁ ନାହିଁ। ତାଲିବାନ କାବୁଲକୁ ନିୟନ୍ତ୍ରଣ କରିବା ପରେ ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି) ଆତଙ୍କବାଦୀ ଗୋଷ୍ଠୀର ଅନେକ ଆତଙ୍କବାଦୀ ଆଫଗାନିସ୍ତାନର ଜେଲରୁ ମୁକ୍ତ ହୋଇଛନ୍ତି।

ତାଲିବାନର ଏହି ଭର୍ତ୍ସନା ପାକିସ୍ତାନ ପାଇଁ ଏକ ବଡ଼ ଝଟକା , କାରଣ କିଛି ଦିନ ପୂର୍ବରୁ ପାକିସ୍ତାନ ତାଲିବାନକୁ ଟିଟିପି ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ଏଥି ସହ ପାକିସ୍ତାନ ଆଶା କରିଥିଲା ​​ଯେ ତାଲିବାନ କାବୁଲକୁ କାବୁ କରିବା ପରେ ତାଙ୍କ କଥା ଶୁଣାଯିବ, ଯାହା ଘନି ସରକାରଙ୍‌କ ଶାସନ ସମୟରେ ହୋଇ ନଥିଲା। କିନ୍ତୁ ତାଲିବାନର ଏଭଳି ତାଗିଦ୍ ପରେ ପାକିସ୍ତାନ କିଭଳି ପ୍ରତିକ୍ରିୟା କରୁଛି ତାହା ଜଣାପଡ଼ିବ।

Comments are closed.