Latest Odisha News

BREAKING NEWS

୨୧୭୧ କୋଟିର ୧୦ଟି ପ୍ରସ୍ତାବିତ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ କମିଟିର ଅନୁମୋଦନ

ଭୁବନେଶ୍ବର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୧୦ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ୨୧୭୧.୮୨ କୋଟି ଟଙ୍କାର ପ୍ରସ୍ତାବିତ ପ୍ରକଳ୍ପକୁ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ହେଲେ ୫ ହଜାର ୨୪୨ ଜଣଙ୍କୁ ରାଜ୍ୟ ଭିତରେ ନିଯୁକ୍ତି ମିଳିବ । ଅନୁମୋଦିତ ପ୍ରକଳ୍ପ ଭିତରେ ଷ୍ଟିଲ, ଖାଦ୍ୟ ପ୍ରକ୍ରିୟାକରଣ, ସିମେଣ୍ଟ, ପର୍ଯ୍ୟଟନ ଓ ରସାୟନ ଶକ୍ତି ରହିଛି ।

ଯାଜପୁର ଜିଲ୍ଲା ବଡଚଣାରେ ମାଇଁ ହୋମ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ ପ୍ରତିଷ୍ଠା କରିବ । ଏଥିରେ ୬୫୦ କୋଟି ଟଙ୍କା ବିନିଯୋଗ ହେବାକୁ ଥିବା ବେଳେ ୭୫୦ ଜଣଙ୍କୁ ନିଯୁକ୍ତି ମିଳିବ । ଝାରସୁଗୁଡ଼ା ଶ୍ରୀପୁରାରେ ଏଲ.ଏନ ମେଟାଲିକ୍ସ ଲିମିଟେଡ୍ ୨୦୫ କୋଟି ବିନିଯୋଗ କରିବ । ଯେଉଁଥିରେ ୫୭୧ ଜଣ ନିଯୁକ୍ତି ପାଇବେ ।

ଜଗତସିଂହପୁରର ଉଦୟବଟରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍ ଜେଟ୍ଟି ପ୍ରତିଷ୍ଠା କରିବ । ଏଥିରେ ୧୫୦ କୋଟି ବିନିଯୋଗ ହେବାକୁ ଥିବା ବେଳେ, ୨୮୦ ଜଣ କାମ ପାଇବେ । ସେହିପରି ସୋନପୁରର ତରଭାରେ ମାସ୍ ବାୟୋ ଫୁଏଲ୍ସ ୨୫୮.୦୫ କୋଟି ବିନିଯୋଗରେ ଏଥାନଲ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ । ଯେଉଁଥିରେ ୩୦୦ ଜଣ ନିଯୁକ୍ତି ପାଇବେ ।

ଭାଇବ୍ରାଣ୍ଟ ସ୍ପିରିଟ୍ ବରଗଡ଼ରେ ୧୦୦ କୋଟି ବିନିଯୋଗ କରି ଏଥାନଲ ୟୁନିଟ୍ କରିବ । ଏଥିରେ ମୋଟ୍ ୨୨୫୦ ଜଣଙ୍କୁ କର୍ମ ନିଯୁକ୍ତି ମିଳିବ । ଯାଜପୁର କଳିଙ୍ଗନଗରରେ ଭିସିଆଇ କେମିକାଲ୍ କୋଇଲା ପ୍ଲାଣ୍ଟ କରିବ । ଏଥିରେ ୨୧୦ କୋଟି ବିନିଯୋଗ ହେବାକୁ ଥିବା ବେଳେ, ୧୫୭ ଜଣ ନିଯୁକ୍ତି ପାଇବେ । ସେହିପରି ରାମକୋ ସିମେଣ୍ଟ ହରିଦାସପୁର ୟୁନିଟର ସମ୍ପ୍ରସାରଣ ପାଇଁ ୧୯୦ କୋଟି ନିବେଶ କରିବ । ଏହାଦ୍ବାରା ୬୦ ଜଣଙ୍କୁ ନିଯୁକ୍ତି ମିଳିବ ।

ଏସବୁକୁ ବାଦଦେଲେ ଖୋର୍ଦ୍ଧାରେ ଏକ ପଞ୍ଚ ତାରକା ହୋଟେଲ ପ୍ରତିଷ୍ଠା କରିବ ଲକଜୁରିଓ ଆସେଟ୍ସ ପ୍ରାଇଭେଟ ଲିମିଟେଡ । ଏଥିପାଇଁ ୧୮୧.୬୦ କୋଟି ଟଙ୍କା ନିବେଶକ ହେବାକୁ ଥିବାବେଳେ, ୨୨୪ ଜଣଙ୍କୁ କର୍ମ ନିଯୁକ୍ତ ମିଳିବ । ସେହିଭଳି ଖୋର୍ଦ୍ଧାରେ ଲାଲଚାନ୍ଦ ରିସୋର୍ଟ ହୋଟେଲ ଶିଳ୍ପ ପାଇଁ ୧୧୯.୬୭ କୋଟି ନିବେଶ କରିବେ । ଏଥିରେ ୩୫୦ ଜଣ ନିଯୁକ୍ତି ପାଇବେ । ଶୈଳବାଳା ଇନଫ୍ରାଷ୍ଟକ୍ଚର ପ୍ରାଇଭେଟ୍ ଲିମିଟେଡ ଖୋର୍ଦ୍ଧାରେ ୪ ତାରକା ବିଶିଷ୍ଟ ହୋଟେଲ୍ ପାଇଁ ୧୦୭.୫୦ କୋଟି ଟଙ୍କା ନିବେଶ କରିବ । ଏଥିରେ ୩୦୦ ଜଣ ନିଯୁକ୍ତି ପାଇବେ । ଏହାଦ୍ବାରା ରାଜ୍ୟର ଆର୍ଥିକ ସ୍ଥିତି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.