Latest Odisha News

BREAKING NEWS

ଜଳମଗ୍ନ ସିଲଭର ସିଟିି

କଟକ: ରାସ୍ତାରେ ଲହଡି ମାଡୁଛି ପାଣି । କେଉଁଠି ଅଣ୍ଟାଏ ପାଣି ତ ଆଉ କେଉଁଠି ଗାଡି ମଧ୍ୟ ବୁଡିଗଲାଣି । ଗତକାଲିଠାରୁ ଆଜି ଦିନ ତମାମ ବର୍ଷା ଲାଗି ରହିଥିବାରୁ ସହରର ଚାରିଆଡେ ଜଳମଗ୍ନ ହୋଇଛି । ବର୍ଷା ଯୋଗୁଁ ସହରରେ ଜୀବନଯାପନ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ସହରରେ ୪୮୦ ମିଲିମିଟର ବର୍ଷା ହୋଇଥିବା ଜଣାପଡିଛି । ସେହିପରି ସହରର ଅଧିକାଂଶ ଘରେ ପାଣି ପଶି ଯିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକମାନେ ।ବାଦାମବାଡି ଠାରୁ ଆରମ୍ଭ କରି ମଧୁପାଟଣା, ଓଏମପି ଛକ,ମହାନଦୀବିହାର, ଥୋରିଆ ସାହି, ଫ୍ରେଣ୍ଡସ୍ କଲୋନୀ, ରାଉସାପାଟଣା, ପଟ୍ଟାପୋଲ,ମେରିଆବଜାର,ଶ୍ରୀବିହାର କଲୋନୀ, ପିଠାପୁର ଆଦି ଅଞ୍ଚଳର ରାସ୍ତାଗୁଡିକରେ ବର୍ଷା ଏବଂ ଡ୍ରେନ୍ ପାଣିର ଲହଡି ମାରୁଛି। ଏପରିକି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ,କ୍ୟାନସର୍ ହସ୍ପିଟାଲ ପରିସରରେ ମଧ୍ୟ ଜଳବନ୍ଦୀ ସମସ୍ୟା ସୃଷ୍ଟି କରିଛି।

ତେବେ ରାଜ୍ୟର ପ୍ରମୁଖ ବସଷ୍ଟାଣ୍ଡ ବାଦାମବାଡିରେ ମଧ୍ୟ ଜଳମୟ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବାହାରୁ ଆସିଥିବା ଯାତ୍ରୀ ଏବଂ ସହରବାସୀଙ୍କ ଆକ୍ରୋଶ ମନୋଭାବ ଦେଖାଇଛନ୍ତି । ବର୍ଷାର ବିତ୍ପାତ ଯୋଗୁଁ ରାସ୍ତାର ପାଣି ଲହଡି ମାରୁଛି  । ଚୌଦ୍ୱାରରେ ମଧ୍ୟ ଏକ ତୈଳ ଗାଡି ରାସ୍ତା କଡକୁ ଓଲଟି ପଡିଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ସିଏମସି ପକ୍ଷରୁ ସହରର ଛୋଟବଡ ନାଳରୁ ପଙ୍କୋଦ୍ଧାର ହୋଇ ନଥିବାରୁ ବର୍ଷା ଜଳ ଏବେ ବି ନିଷ୍କାସନ ହୋଇପାରିନାହିଁ ।ଜାଇକା ପକ୍ଷରୁ ଅଧାପନ୍ତରିଆ କାର୍ଯ୍ୟ ପାଇଁ ସ୍ଥାନେ ସ୍ଥାନେ ରାସ୍ତାଘାଟ ଦବିବାରେ ଲାଗିଛି। ବିଦ୍ୟାଧରପୁର ତେଲିସାହି ସମେତ ଅନ୍ୟ ଅଞ୍ଚଳରେ ଜାଇକାର ଅଧପନ୍ତରିଆ କାର୍ଯ୍ୟ ଯୋଗୁଁ ରାସ୍ତା ସମ୍ପୁର୍ଣ୍ଣ ଭାବେ ଦବିଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି।

ଅନ୍ୟପଟେ ସିଏମସି କମିସନର୍ ଏବଂ ଜାଇକା କର୍ତ୍ତୁପକ୍ଷଙ୍କ ଏ ନେଇ ପ୍ରତିକ୍ରିୟା ମିଳି ନ ଥିବା ବେଳେ ସହରରେ ୧୭୫ଟି ପମ୍ପ୍ ସାହାଯ୍ୟରେ ବର୍ଷାଜଳ ନିଷ୍କାସନ କରାଯାଉଥିବା ଜଣାପଡିଛି । ପାଣିପାଗ ବିଭାଗ ପକ୍ଷରୁ ଆହୁରି ଦୁଇଦିନ ବର୍ଷା ଲାଗିରହିବ ବୋଲି ସୂଚନା ଦିଆଯାଇଛି। ସିଏମସି ପକ୍ଷରୁ ବର୍ଷା ଜଳ ନିଷ୍କାସନ ପାଇଁ ପମ୍ପ୍ ସେଟ୍ ଖଞ୍ଜାଯାଇଥିଲେ ମଧ୍ୟ ତଥାପି ସ୍ଥିତିରେ କୌଣସି ସୁଧାର ଆସିପାରିନାହିଁ।

Leave A Reply

Your email address will not be published.