ଢେଙ୍କାନାଳ: ଲଗାଣ ବର୍ଷାର କରାଳ ରୂପ । ଦୁଇ ଦିନରେ ଉବୁଟୁବୁ ହେଲା ସହା ବାହ୍ୟ ଜଗତରୁ ବିଛିନ୍ନ ହେଲା ଅନେକ ଅଞ୍ଚଳ । ପୋଲ ଉପରେ ଜଳ ପ୍ରବାହ ହେବା ଯୋଗୁଁ ଗାଡି ମୋଟର ଯିବା ଆସିବା କରିବା ବନ୍ଦ । ଲଗାଣ ବର୍ଷାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅଂଚଳ ଗୁଡିକରେ ହାଇ ଆଲର୍ଟ ଜାରି ହେବା ସହ ମୁକାବିଲା ପାଇଁ କଡା ପଦକ୍ଷେପ ଗ୍ରହଣ କରାଯାଇଛି ।
ଲଗାଣ ବର୍ଷା ଯୋଗୁଁ ରେଡ଼ ଆଲର୍ଟରେ ଥିଲା ଢେଙ୍କାନାଳ ଜିଲ୍ଲା । ବର୍ଷା ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ୮ଗୋଟି ବ୍ଲକକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରହିଥିଲା ହାଇ ଆଲର୍ଟ । କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ , କାମାକ୍ଷାନଗର , ଭୁବନ ଓ କଙ୍କଡ଼ାହାଡ଼ ବ୍ଲକରେ ଲଗାଣ ବର୍ଷା ଯୋଗୁଁ ଅନେକ କ୍ଷୟ କ୍ଷତି ଏବଂ ଅସୁବିଧା ସାମ୍ନାକୁ ଆସିଛି । ଭୁବନ ବ୍ଲକ ଭୂଷଳ ପଞ୍ଚାୟତ ଅନ୍ତର୍ଗତ ଜୟପୁର ଗାଁଟି ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ଅଲଗା ରହିଛି ।
ବ୍ରାହ୍ମଣୀ ନଦୀ ଫୁଲି ଉଠିବା ଯୋଗୁଁ ଜୟପୁର ଗାଁ ଯାଇଥିବା ରାସ୍ତା ଉପରେ ୪ ଫୁଟର ଜଳ ଦେଖିବାକୁ ମିଳିଥିଲା । ଫଳରେ ଜୟପୁରା ଗାଁର ପ୍ରାୟ ୨ ଶହଟି ପରିବାର ଜଳବନ୍ଦୀ ଭିତରେ ରହିଛନ୍ତି । କେବଳ ସେତିକି ନୁହେଁ ବରଂ ମାଳପୁରା ,ଓଢଣା ଓ ଦଧିସିଙ୍ଗରେ ବନ୍ୟାର କରାଳରୂପ ଦେଖିବାକୁ ମିଳିଥିଲା । କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ଶିଆରିମାଳିଆ ଗାଁ ଛକ ନିକଟରେ ଥିବା ପେରିପେରିଆ ନାଳରେ ପ୍ରାୟ ୪୦ ଫୁଟର ଘାଇ ଦେଖିବାକୁ ମିଳିଥିଲା । ଫଳରେ ତାଳଚେର-ଡୁବୁରୀ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି ।
ସେହିପରି ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲ ବଡଝରା-ଜଡ଼ାପାଳ ପୂର୍ତ୍ତ ବିଭାଗ ରାସ୍ତାର ଯୌତୁକପଶି ଗାଁ ନିକଟରେ ରାସ୍ତାଟି ଭୁଶୁଡି ପଡିବା ଯୋଗୁଁ ଆଖ ପାଖ ଅଞ୍ଚଳର ପ୍ରାୟ ୫ଗୋଟି ପଂଚାୟତର ଲୋକମାନେ ଯାତାୟାତ କରିବା ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି । କାମାକ୍ଷାନଗର, ପରଜଙ୍ଗ ,କଙ୍କଡ଼ାହାଡ଼ ଓ ଭୁବନ ଅଞ୍ଚଳରେ ଲଗାଣ ବର୍ଷାର ପ୍ରଭାବ ସବୁଠାରୁ ଅଧିକ ଦେଖିବାକୁ ମିଳିଥିଲା । ଏପରିକି କାମାକ୍ଷାନଗର ବାଉଁଶପାଳ ଗାଁ ରାସ୍ତାଟି ଶୋଚନୀୟ ହୋଇ ପଡିବା ସହ କୃଷି କ୍ଷେତ୍ର ଗୁଡିକ ଜଳ ଦ୍ୱାରା ପ୍ଲାବିତ ହୋଇ ରହିଥିଲା ।
ଲଗାଣ ବର୍ଷାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅଂଚଳ ଗୁଡିକରେ ହାଇ ଆଲର୍ଟ ଜାରି ହେବା ସହ ଏହାର ମୁକାବିଲା ପାଇଁ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ଲୋକମାନଙ୍କର ଖାଦ୍ୟ, ପାନୀୟ ଓ ସ୍ୱାସ୍ଥ୍ୟଗତ ସମସ୍ୟା ନହେବା ପାଇଁ ପ୍ରତିଟି ବ୍ଲକର ପ୍ରଶାସନକୁ ଜିଲ୍ଳାପାଳଙ୍କ କଡା ନିର୍ଦ୍ଦେଶ ହୋଇଛି । ଫଳରେ ନଦୀ କୂଳରେ ଥିବା ତଳିଆ ଅଂଚଳ ହେଉ ଅବା ମାଟି କୁଡ଼ିଆରେ ବାସ କରୁଥିବା ଲୋକ । ସମସ୍ତଙ୍କୁ ଥଇଥାନ କରିବା ପାଇଁ ବନ୍ୟା ଆଶ୍ରୟସ୍ଥଳୀ ,ବିଦ୍ୟାଳୟ ଓ ଅଙ୍ଗନୱାର୍ଡି ଗୃହ ଗୁଡିକ ରହିବା ପାଇଁ ପ୍ରସ୍ତୁତ କରାଯାଇଛି ।
Comments are closed.