Latest Odisha News

ମା’ ଦୁର୍ଗାଙ୍କ ଉଚ୍ଚତା ବୃଦ୍ଧିକୁ ନେଇ ହାଇକୋର୍ଟରେ ଦାଏର୍ ହେଲା ମାମଲା

କଟକ : ମା’ ଦୁର୍ଗାଙ୍କ ଉଚ୍ଚତା ବୃଦ୍ଧିକୁ ନେଇ ହାଇକୋର୍ଟରେ ଦାଏର୍ ହେଲା ମାମଲା । ବାଲୁବଜାର ପୂଜା କମିଟି ତରଫରୁ ହୋଇଛି ଏହି ମାମଲା । ୫୦୦ ବର୍ଷର ପରମ୍ପରାକୁ ବଜାୟ ରଖିବା ପାଇଁ ଆବେଦନରେ ଦର୍ଶାଯାଇଛି । ୧୫୧୪ ମସିହାରୁ ଏଠାରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି ହୋଇ ଆସୁଛି । ଏହି ସମୟରେ ଚୈତନ୍ୟ ମହାପ୍ରଭୁ କଟକ ଆସିଥିବା ସମୟରେ ଏହି ମଣ୍ଡପ ପ୍ରତିଷ୍ଠା ହୋଇଥିଲା । ସେହି ସମୟରୁ ମା’ଙ୍କର ୮ ଫୁଟ୍ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରାଯାଇ ପୂଜାର୍ଚ୍ଚନା ହୋଇଆସୁଛି । ତେଣୁ ଏଭଳି କିମ୍ବଦନ୍ତୀ ଏବଂ ପରମ୍ପରାକୁ ବଜାୟ ରଖିବାକୁ ଆବେଦନରେ ଦର୍ଶାଇଛନ୍ତି ପୂଜା କମିଟି ସଭାପତି ତଥା ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗନାରିଆ ।

ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିଶନର ଏବଂ ଶାନ୍ତି କମିଟି କର୍ମକର୍ତ୍ତାଙ୍କ ସହ ବୈଠକରେ ଆଲୋଚନା କରାଯାଇଥିଲା । ମୂର୍ତ୍ତି ଉଚ୍ଚତା ବୃଦ୍ଧି କରିବାକୁ ଶାନ୍ତି କମିଟି ଏବଂ ଅନ୍ୟମାନେ ଅନୁରୋଧ କରିଥିଲେ ମଧ୍ୟ ମୂର୍ତ୍ତି ଉଚ୍ଚତା ନବଢ଼ାଇବାକୁ ନିର୍ଦ୍ଦେଶ ଦେଇଥିଲେ ସ୍ବତନ୍ତ୍ର ରିଲିଫ୍ କମିଶନର । ଯାହାକୁ ନେଇ ପୂଜା କମିଟି ମଧ୍ୟରେ ପ୍ରକାଶ ପାଇଛି ଅସନ୍ତୋଷ । ମାମଲାରେ ମୁଖ୍ୟ ଶାସନ ସଚିବ ଏବଂ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ପକ୍ଷଭୁକ୍ତ କରାଯାଇଥିବା ଆବେଦନକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.