Latest Odisha News

ବୃଦ୍ଧାଙ୍କ ମହନୀୟତା : ରିକ୍ସାବାଲା ନାଁରେ କୋଟିଏ ଟଙ୍କାର ସମ୍ପତ୍ତି

କଟକ : ବୃଦ୍ଧାଙ୍କ ମହନୀୟତା । ରିକ୍ସାବାଲାକୁ ଦାନ କରିଦେଲେ କୋଟିଏ ଟଙ୍କାର ସମ୍ପତ୍ତି । ସ୍ୱାମୀ ଓ ଝିଅଙ୍କର ମୃତ୍ୟୁ ପରେ ଏକାକୀ ରହୁଥିବା ବୃଦ୍ଧା ନିଜର କୋଟି କୋଟି ଟଙ୍କାର ସଂପତ୍ତି ରିକ୍ସା ଚାଳକଙ୍କୁ ଦାନ କରିଦେଇଛନ୍ତି । ସୂତାହାଟରେ ରହୁଥିବା ୬୩ ବର୍ଷୀୟ ମିନତୀ ପଟ୍ଟନାୟକ ନିଜର ୩ ମହଲା ବିଶିଷ୍ଟ ଘର, ସୁନାଗହଣା ସବୁ ବୁଢ଼ା ସାମଲ ନାମକ ରିକ୍ସା ଚାଳକଙ୍କୁ ଦେଇ ଦେଇଛନ୍ତି ।

ଗତ ବର୍ଷ ମିନିତୀଙ୍କ ସ୍ୱାମୀ କୃଷ୍ଣକୁମାର ପଟ୍ଟନାୟକଙ୍କର ଦେହାନ୍ତ ହୋଇଥିଲା ପରେ ଝିଅ କୋମଲ କୁମାରୀଙ୍କୁ ନେଇ ବାକି ଜୀବନ କଟାଇବାକୁ ଭାବି ନେଇଥିଲେ । ସ୍ୱାମୀଙ୍କ ମୃତ୍ୟୁର ୬ ମାସ ପରେ ହୃଦଘାତରେ ପ୍ରାଣ ହରାଇଲେ କୋମଲ । ଏହାପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ ମିନତୀ । ଏପରି କଠିନ ସମୟରେ ବନ୍ଧୁବାନ୍ଧବ, ନିକଟ ସମ୍ପର୍କୀୟଙ୍କ ଠାରୁ ଯେଉଁ ଶ୍ରଦ୍ଧା, ଭରଷା,ସମବେଦନା ଆଶା କରୁଥିଲେ ତାହା ପାଇଲେ ନାହିଁ ।

ବଡ଼ ଘରେ ଏକୁଟିଆ ଦିନ କାଟୁଥିଲେ ବନ୍ଧୁବାନ୍ଧବ, ନିକଟ ସମ୍ପର୍କୀୟ କେହି ଅନେଇଲେ ନାହିଁ । ଏ ସମୟରେ ରିକ୍ସା ଚାଳକ ବୁଢା ସାମଲ ମିନତୀଙ୍କ ପାଖରେ ଛିଡ଼ା ହୋଇଥିଲେ । କିଏ କିଏ ଆସି କେବଳ ସମବେଦନା ଜଣାଇ ନିଜ ବାଟରେ ଫେରିଗଲେ ।

ଆଉ ବିପଦ ସମୟରେ ଦୀର୍ଘ ବର୍ଷ ଧରି ନେବାଆଣିବା କରୁଥିବା ରିକ୍ସା ଚାଳକ ବୁଢ଼ା ହିଁ ମିନତୀଙ୍କ ପାଇଁ ସାହାଭରସା ପାଲଟିଗଲେ ।  ଝିଅ ଯିବାପରେ କେବଳ ରିକ୍ସା ଚାଳକ ବୁଢା ନୁହନ୍ତି ତାଙ୍କ ସ୍ତ୍ରୀ ମଧ୍ୟ ସେବା କଲେ ।

ପ୍ରାୟ ଏକଗୁଣ୍ଠ ଜମି , ତିନି ମହଲା ଘର, ଅନ୍ୟାନ୍ୟ ସମ୍ପତି ରିକ୍ସାବାଲା ସାମଲଙ୍କ ନାମରେ ଲେଖିଦେଲେ । ଓକିଲଙ୍କ ଉପସ୍ଥିତରେ ସମସ୍ତ କାଗଜ ପତ୍ର ସେ ହସ୍ତାନ୍ତର କରିଛନ୍ତି । ଏ ସମ୍ପର୍କରେ ମିନତୀ କହିଛନ୍ତି ବୁଢ଼ାଙ୍କ ପରିବାରରୁ ମୋତେ ଯେଉଁ ସ୍ନେହ, ଶ୍ରଦ୍ଧା ,ଭଲ ପାଇବା ମିଳିଛି, ତାହା ଆଗରେ ଏ ସମ୍ପତ୍ତି ତୁଚ୍ଛ ।

ଯେଉଁ ସମ୍ପର୍କୀୟ ମାନେ ସମ୍ପର୍କର ମୂଲ୍ୟବୋଧ ବୁଝି ନାହାଁନ୍ତି, ସେଠି ଏ ଗରିବ ପରିବାର ମୋ ଦୁଃଖ ବୁଝିଛନ୍ତି । ଶେଷ ଜୀବନ ତକ ଏମାନଙ୍କ ପାଖରେ ବିତାଇବାକୁ କହିଛନ୍ତି ମିନତୀ  ।

Comments are closed.