ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୧
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ, । ପ୍ରାଣସ୍ୟ ପ୍ରାଣ ହେଉଛନ୍ତି ଶ୍ରୀଜଗନ୍ନାଥ । ସାଧାରଣ ଭାବରେ ଶରୀର ମଧ୍ଯସ୍ତ ଆତ୍ମାକୁ ପ୍ରାଣ କୁହାଯାଏ । ତେଣୁ ପ୍ରାଣର ପ୍ରାଣ ଶ୍ରୀଜଗନ୍ନାଥଙ୍କ ଉପାସନା, ଆତ୍ମା ଉପାସନା ସହ ସମାନ। ମାନବର (ଜୀବ ସ୍ୱରୂପ )ଅସ୍ତିତ୍ୱ ତାର ଆତ୍ମାର ଅସ୍ତିତ୍ୱ ଉପରେ ନିର୍ଭର କରେ । କିନ୍ତୁ ଆହାର, ନିଦ୍ରା, ଭୟ ଓ ମୈଥୁନ ଏ ଶରୀରକୁ ପରିଚାଳନା କରେ। ଏହା ଛଡା ଇନ୍ଦ୍ରିୟ ଜନିତ ନାନା ବିକାର ଦେହକୁ ନାଶ କରେ । ମାତ୍ର ଏସବୁର ଉର୍ଦ୍ଧ୍ଵରେ ରହି ଦେହୀ (ଆତ୍ମା )ସର୍ବଦା ରହେ ଅବିନାଶୀ, ଅପ୍ରମେୟ । ମନବୋଧ ଚଉତିଶା କହେ :
ଛାର ଦେହକୁ ମନ କରୁଛୁ ସଜ
ଛନ୍ଦ କପଟ ତେଜି ଗୋବିନ୍ଦ ଭଜ।
ଯିଏ ଗୋବିନ୍ଦ, ସେ ଜଗନ୍ନାଥ, ସେ ଜୀବରନାଥ । ଜୀବ ଜଗତର ନାଥ “ଶ୍ରୀଜଗନ୍ନାଥ । ” ସାଂସାରିକ ମାୟା ବନ୍ଧନ ପ୍ରଭାବରେ ମଣିଷ ଉଭୟ ଶାରୀରିକ ଓ ମାନସିକ ଦୁଃଖ କଷ୍ଟ ଭୋଗ କରେ। ଏହି ସମୟରେ ତାର ଅସ୍ଥିର ମନ ଓ ପ୍ରାଣ କେବଳ ଭଜେ ଗୋବିନ୍ଦଙ୍କୁ (ଶ୍ରୀଜଗନ୍ନାଥଙ୍କୁ ) । ଜଣେ ସାଧକ ନିଜ ସାଧନା ବଳରେ ଅହରହ ଗୋବିନ୍ଦ ମନସ୍କ ହୋଇରହେ । ସର୍ବଦା ତୁଣ୍ଡ ତାର ଗୋବିନ୍ଦ ଭଜନ କରୁଥଏ।
ସେଥିପାଇଁ ଦେହବୋଧରୁ ମୁକ୍ତ, ତଥା ଆତ୍ମବୋଧରେ ପ୍ରତିଷ୍ଠିତ ବ୍ୟକ୍ତି (ସାଧକ )ସାଂସାରିକ ମାୟା ବନ୍ଧନରୁ ମୁକ୍ତ ରହି, ତତଜନିତ ଦୁଃଖ କଷ୍ଟକୁ ନିର୍ବିକାର ଭାବେ ସହି ଯିବାର ଶକ୍ତି ଶ୍ରୀଜଗନ୍ନାଥଙ୍କ କୃପାରୁ ଲାଭ କରିଥାଏ। ଶ୍ରୀମଦ ଭlଗବତମ କହେ :
“ମନ୍ମନସ୍କାମମତପ୍ରଣା ମଦର୍ଥେ ତ୍ୟକ୍ତ ଦେହିକଃ, ଯେ ତ୍ୟକ୍ତ ଲୋକ ଧର୍ମାଶ୍ଚ ମଦର୍ଥେ ତାନ ବିଭମ୍ୟହମ । “
ଅର୍ଥାତ ଦେହବୋଧରୁ ମୁକ୍ତ, ଆତ୍ମବୋଧରେ ପ୍ରତିଷ୍ଠିତ ବ୍ୟକ୍ତି ତାର ସମସ୍ତ ଅହଂକାର, ଅଭିମାନ ନିଜ ପ୍ରାଣର ପ୍ରାଣ ଶ୍ରୀଜଗନ୍ନାଥଙ୍କୁ ସମର୍ପି ତାଙ୍କ ପାଖରେ ଶରଣ ଗଲେ ସେ (ଗୋବିନ୍ଦ )ତାଙ୍କୁ ଆପଣାର କରିନିଅନ୍ତି । ଏବେ ଆସନ୍ତୁ ଅନ୍ତର ଖୋଲି ନିବେଦନ କରିବା :
“ଜଗନ୍ନାଥ ତୁମ ଶରଣେ ରହିଛି,
ମୋର ପାପ ପୁଣ୍ୟ ସବୁ ସମର୍ପିଛି,
ଜଗତୁ ଉଦ୍ଧାର ବୋଲି ମୁଁ ଡାକୁଛି,
ଶୁଣିବା ହେଉ ଗୁହାରି,
ଦିନବନ୍ଧୁ ଦୈତାରୀ, ଦୁଃଖ ନଗଲା ମୋହରି ।
ଜୟ ଜଗନ୍ନାଥ
Comments are closed.