Latest Odisha News

ଧାରାବାହିକ ଉପନ୍ୟାସ : ଦେବୀ (୧୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୩ 

ଅଦୂର ସମୁଦ୍ର କୂଳରୁ ଶୁଣାଯାଉଥିଲା ମିଳନ ବ୍ୟାକୁଳ ପ୍ରାଚୀ ନଈର ଚୁପ୍ ଚୁପ୍ କଥା। ଗାଁର ଶେଷ ମୁଣ୍ଡରୁ ମୁହାଣ ଯାଏ ଯାଇଥିବା ସରୁ ରାସ୍ତାରେ ଧୀର ପାଦରେ ଚାଲୁଥାଏ ଦେବ।ହାଲକା ଶୀତକୁ ବଳ ଦେଉଥାଏ ପବନ।

ଅନ୍ଧାର ଭିତରୁ ନଈ ସଂଲଗ୍ନ ପାଟ ଭୂଇଁ ଆଡ଼କୁ ଚାହିଁ ଭାବ ପ୍ରବଣ ହୋଇ ଭାବୁଥିଲା ଦେବ। ଏଠି ଦିନେ ଫଳୁଥିଲା ମହଣ ମହଣ ଲୁଣ। ସନ୍ଧ୍ୟା ବେଳେ ଧୂଳି ଉଡେଇ ଆସୁଥିଲେ ଶହଶହ ଶଗଡ଼ ଗାଡି। ବଳଦମାନଙ୍କ ବେକ ଘାଗୁଡ଼ି ଶବଦରେ ଝଙ୍କୁରିତ ହେଉଥିଲା ପ୍ରୀତିପୁର ଗାଁ। ଶଗଡିଆ ଗୀତର ତାଳେତାଳେ ନଈକୂଳ ନଡ଼ିଆ ଗଛରେ ଦୋଳି ଖେଳୁଥିଲେ ବାଇ ଚଢ଼େଇ। ଠାକୁର ବରଗଛ ଡାଳରେ କାଉ ଆଉ ବଗଙ୍କ ସଂସାର ।

ଦେବକୁ ଲାଗୁଥିଲା ଯେମିତି କେଉଁ ଏକ ଅପଦେବତାର ଅଭିଶାପରେ ବଦଳିଗଲା ମାଟି ଆଉ ଆକାଶର ଚିତ୍ର। ବର୍ଷକ ସାତ ଋତୁରେ ବଦଳୁଥିବା ତା’ ଗାଆଁର ଭୂଗୋଳ ବହିରେ ଏବେ ଯେମିତି କେହିଜଣେ ଲେଖିଦେଇଛି ନଷ୍ଟ ନଗ୍ରର କାରୁଣ୍ୟ। ଆଉ ଏଠି ଜୀବନ ନାହିଁ। ଜୀବନ ପାଇଁ ଉତ୍ସାହ ନାହିଁ। ସ୍ବପ୍ନ ଦେଖୁଥିବା ଆଖି ସବୁ ବନ୍ଦୀ ହୋଇଛନ୍ତି ଟିଭି ଆଉ ମୋବାଇଲ୍ ପାଖରେ।

ଏ ଗାଆଁର ଶିଶୁଟି ଆଉ ଦେହରେ ବୋଳୁନି ଧୂଳି। ସଖା ସଙ୍ଗାତ ସହିତ ତିଆରୁନି ବାଲି – ସ୍ବର୍ଗ। ସ୍ଵପ୍ନଭୁକ୍ କିଶୋର ଦେଖୁନି ସକାଳ-ସଂଜର ମିଠା ସ୍ବପ୍ନ। ଜୀବନକୁ ଚିହ୍ନୁଥିବା ଅନୁଢ଼ା କିଶୋରୀଟି ବାଦଲ ହାତରେ ପଠାଉନି ଜହ୍ନକୁ ଚିଠି।

ଜଗତିକରଣର ଅଜଗରୀ ଆଁ ଭିତରେ ନିଃଶେଷ ହୋଇଯାଉଛି ମଣିଷ, ମଣିଷ ଭିତରେ ଥିବା ସମ୍ପର୍କର ଓଦା ପଣ। ମଣିଷ ଆଉ ମଣିଷ ଭିତରେ ତିଆରି ହେବାରେ ଲାଗିଛି ମାନବୀୟ ପ୍ରେମ ଓ ତ୍ୟାଗ ହୀନ ଆଉ ଏକ ଦବାନବାର ସମ୍ପର୍କ।ତାର ଆଧ୍ୟାତ୍ମିକ ଅଧୋଃଗତି ପରିବର୍ତ୍ତିତ ହେଉଛି ଘୃଣା ଆଉ ହିଂସାରେ।

ଦେବ ଭିତରୁ ଭିତରୁ ସରି ଯାଉଛି ଯେମିତି । ତାକୁ ଲାଗୁଛି ଆଗକୁ ଆଗକୁ ବାଘର ଆଁ ମେଲେଇ ଧାଇଁ ଆସୁଛି ଧୁମିଳ ଭବିଷ୍ୟତ।

ନିବିଡ଼ ଅନ୍ଧାରର ବୋଝ ମୁଣ୍ଡେଇ ସମୟର ଏକ ପ୍ରତିନିଧି ଭାବେ ଆଗକୁ ଆଗକୁ ମାଡ଼ି ଚାଲୁଛି ଦେବ। ଅଳ୍ପ ଦୂରରୁ ଦେଖାଯାଉଛି ତରଳ ଲୁହାର ସଂକୀର୍ଣ୍ଣ ଧାରା ପରି ସୁନାମୁହିଁ ନଈ। ନଈକୂଳରେ ଏକାନ୍ତେ ଠିଆ ଜରିଗଛ।ପିଲାଦିନେ ସେ ନିରିମାଖି ଗଛ ଥିଲା ଆଶ୍ଚର୍ଯ୍ୟ ଆଉ ଆତଙ୍କର ଏକ ସୁସବୁଜ ପ୍ରତିନିଧି।ପିଲାଦିନେ ସେ ଗଛକୁ ନେଇ ଶୁଣାଯାଇଥିଲା ଅସଂଖ୍ୟ ଭୟାତୁର କାହାଣୀ।ସେମାନଙ୍କ ପ୍ରତିନିଧି ଥିଲା ଏକ ଆତ୍ମହତ୍ୟାର ଲୋମହର୍ଷକ କାହାଣୀ ।

ତାହା ଥିଲା ପ୍ରାୟ ପଚାଶ ବର୍ଷ ତଳର ଏକ ଚର୍ଚ୍ଚିତ ଘଟଣା।

ଦେବ ଗାଆଁର ପୂର୍ବ ଦକ୍ଷିଣ କୋଣରେ ସମୁଦ୍ର କୂଳିଆ ବ୍ରାହ୍ମଣ ଶାସନ “ରତ୍ନଚିରା”ରେ ନିଜର ଏକମାତ୍ର କନ୍ୟା ସହିତ ରହୁଥିଲା ଜଣେ ବିଧବା।ଆଦ୍ୟ ଯୌବନା ସେହି ଅପୂର୍ବ ଝିଅଟି ଥିଲା ରୂପ ଆଉ ଗୁଣରେ ଅଦିତୀୟା। କାଳକ୍ରମେ ତାର ଚର୍ଚ୍ଚା ନିଜ ଗ୍ରାମ ଟପି ବାହାରକୁ ବାହାରିଲା ପରେ ତାକୁ ବିବାହ କରିବା ନିମନ୍ତେ ସେ ଅଞ୍ଚଳର ପତ୍ନୀହନ୍ତା ପ୍ରୌଢ଼ ଜମିଦାର ସାଦେଶ ଖବର ପଠାଇଲେ। ଆଗନ୍ତୁକ ଦୂତ ଆଗରେ ନିଜର ଗୋପନୀୟ ପ୍ରେମ ବିଷୟ କହି କନ୍ୟାଟି ଗ୍ରାମରେ ଏକ ପ୍ରକାରର ଭୂମିକମ୍ପ ସୃଷ୍ଟିକଲା।ଖୋଳତାଡ଼ ପରେ ଜଣା ପଡିଲା ସେହି ସୌଭାଗ୍ୟବନ୍ତ ନାୟକଟି ହେଉଛି ଗ୍ରାମର ବାନାମ୍ବର ସେଠୀଙ୍କ ଏକମାତ୍ର କଲେଜ ପଢୁଆ ପୁଅ କୃଷ୍ଣ।

ଏହାପରେ ଘଟଣାଟି ଆହୁରି ସଙ୍ଗୀନ ଅବସ୍ଥାକୁ ଗତିକଲା। ଏକଦିଗରେ ଜମିଦାର ,ଅନ୍ୟେକ ଦିଗରେ ବିଧବାଙ୍କ କୁମ୍ଭୀର ସମ ଜାତିଭାଇ ନିଜନିଜର ଯାବତୀୟ କୌଶଳ ଓ ପରାକ୍ରମ ଯୋଗେ ନିରୀହା ମାତା – ପୌତ୍ରୀଙ୍କୁ ଆକ୍ରମଣ କଲେ।

ସବଳମାନେ ଦୁର୍ବଳ ବାନାମ୍ୱରଙ୍କୁ ସ୍ଥାବର ଅସ୍ଥାବର ସମ୍ପତିରୁ ବଞ୍ଚିତ କଲେ ଓ ଜମିଦାରର ଗୁଣ୍ଡାମାନେ କୃଷ୍ଣ ଓ ରାଧାଙ୍କୁ ଧରିନେଇ ଅକଥନୀୟ ଯନ୍ତ୍ରଣା ସହିତ ଗୃହବନ୍ଦୀ କରି ରଖିଲେ।

ଭୟ ବିଚଳିତ ବିଧବା ଜଣକ ସେହିଦିନ ମଧ୍ୟ ରାତ୍ରରେ କୂଅକୁ ଡେଇଁ ଆତ୍ମହତ୍ୟା କଲେ। ତା’ ପରଦିନ ସେ ଗ୍ରାମରୁ ତିନିକୋଶ
ଦୂର ସୁନାମୁହିଁ ନଦୀ ସଂଲଗ୍ନ ଜରିଗଛର ଏକମାତ୍ର ଡାଳରେ ପିନ୍ଧା ଲୁଗାର ବେନି ପାର୍ଶ୍ଵରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ରାଧା ଆଉ କୃଷ୍ଣ।

ତା’ପରେ ସେହି ହତଭାଗ୍ୟ ଜରି ଗଛ ଆତଙ୍କର ପ୍ରତିନିଧି ହୋଇ ନଈ କୂଳରେ ଠିଆ ହୋଇ ରହିଲା।

କ୍ରମଶଃ…..

Comments are closed.