Latest Odisha News

BREAKING NEWS

କିଟ୍ ଓ କିସରେ କଳାକୁମ୍ଭ ଉଦଯାପିତ,ବିଭିନ୍ନ ରାଜ୍ୟରୁ ୨ଶହରୁ ଊର୍ଦ୍ଧ୍ୱ କଳାକାର ଯୋଗ ଦେଇଥିଲେ

ଭୁବନେଶ୍ୱର : କିଟ୍ ଓ କିସରେ କଳାକୁମ୍ଭ ଉଦଯାପିତ । ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରାହଳୟ ପକ୍ଷରୁ କିଟ ଓ କିସ୍ ସହଯୋଗରେ ଡିସେମ୍ବର ୧୨ ତାରିଖରୁ ଚାଲିଥିବା କଳାକୁମ୍ଭ ଶୁକ୍ରବାର ଉଦଯାପିତ ହୋଇଯାଇଛି । ପ୍ରଥମ ଥର ପାଇଁ ସମଗ୍ର ଭାରତରେ ଏତେ ବଡ଼ ଆକାରରେ ଓଡ଼ିଶାର କିଟ୍‍ ଓ କିସରେ ଅନୁଷ୍ଠିତ ହୋଇଥିଲା। ୬ ଦିନ ଧରି ଚାଲିଥିବା କଳାକୁମ୍ଭରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟର ୨ଶହରୁ ଊର୍ଦ୍ଧ୍ୱ କଳାକାର ଯୋଗ ଦେଇଥିଲେ।

ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଏହି କଳାକୁମ୍ଭ ଅନୁଷ୍ଠିତ ହେଇଥିଲା। ଏହି କଳାକୁମ୍ଭରେ ଯୋଗ ଦେଇଥିବା କଳାକାରମାନେ ୭୫୦ ମିଟର ଲମ୍ବ ବିଶିଷ୍ଟ ଏହି ବିଶାଳ କଳାକୃତି ପ୍ରସ୍ତୁତ କରିଛନ୍ତି।  ଏହି କଳାକୁମ୍ଭ ଆୟୋଜନ ପାଇଁ କିଟ୍‍ ଓ କିସ୍‍ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଥିଲା।

ଆଜି କିସ୍‍ ପରିସରରେ ଅନୁଷ୍ଠିତ ଉଦ୍‍ଯାପନୀ ଉତ୍ସବରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟର ମହାନିର୍ଦ୍ଦେଶକ ଅଦ୍ୱୈତ ଗଡ଼ନାୟକ, ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ହର୍ଷବର୍ଦ୍ଧନ ଶର୍ମା, ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା କଳିଙ୍ଗ ଟିଭି ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ବିଶିଷ୍ଟ ସ୍ଥପତି ତଥା କିଟ୍‍ ଆର୍କିଟେକଚର ସ୍କୁଲ୍‍ର ନିର୍ଦ୍ଦେଶକ ଏସ ଏସ୍‍ ରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

କଳାକୁମ୍ଭରେ ଆଜାଦୀ କା ଅମୃତ ମହୋତ୍ସବ ଏବଂ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଜଣା ବୀରଙ୍କ ଜୀବନୀ ଓ ସେମାନଙ୍କ ସଂଗ୍ରାମ ଉପରେ ମେଗା କର୍ମଶାଳା ମଧ୍ୟ ଆୟୋଜନ କରାଯାଇଥିଲା। ଏହି କଳାକୁମ୍ଭରେ କଳାକାରମାନେ ବିଭିନ୍ନ ପ୍ରକାର ଦେଶୀୟ କଳା ପଟ୍ଟଚିତ୍ର, ତାଳ ପଟ୍ଟଚିତ୍ର, ମଞ୍ଜୁଷା, ମଧୁବନୀ ଓ ଯଦୁ ପାଟୁଆ ଆଦି ଉପରେ ସେମାନଙ୍କ କଳାତ୍ମକ ଭାବ ପ୍ରଦର୍ଶନ କରାଯାଇଥିଲା ।

ଏହି  କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ସାମିଲ୍‍ ହୋଇପାରିଥିବାରୁ ଶ୍ରୀ ସାମନ୍ତ ଖୁସି ବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ କିଟ୍‍ ଓ କିସରେ ଆୟୋଜନ କରାଇପାରିଥିବାରୁ ଶ୍ରୀ ସାମନ୍ତ ଏନ୍‍ଜିଏମ୍‍ଏର ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଗଡ଼ନାୟକଙ୍କୁ ସାଧୁବାଦ ଜଣାଇଥିଲେ।

Comments are closed.