Latest Odisha News

ଶ୍ରୀକ୍ଷେତ୍ରରେ ବାନାମ୍ବର ଉପାସନା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”

ଶ୍ରୀକ୍ଷେତ୍ରରେ ବୈଷ୍ଣବ, ଶାକ୍ତ, ଶୈବ, ସୌର ଓ ଗାଣପତ୍ୟାଦି ଉପାସନାର ସମନ୍ୱିତ ପରମ୍ପରା ଏକଧାରାରେ ପ୍ରଚଳିତ । ଶଙ୍ଖକ୍ଷେତ୍ର ନାମରେ ଚିହ୍ନିତ ବିଶାଳ ଅଞ୍ଚଳରେ ଏହି ସବୁ ଉପାସନାର ନିଦର୍ଶନ ସ୍ୱରୂପ ସମ୍ପୃକ୍ତ ଦେବ ଦେବୀମାନଙ୍କର ଅନେକ ମନ୍ଦିର ରହିଅଛି ।

ଶୈବ ଉପାସନା ସମ୍ବନ୍ଧୀୟ ପଞ୍ଚ ପାଣ୍ଡବ ଯଥା ଶ୍ରୀଲୋକନାଥ, ଶ୍ରୀ ମାର୍କଣ୍ଡେଶ୍ୱର, ଶ୍ରୀ ଯମେଶ୍ୱର, ଶ୍ରୀ କପାଳମୋଚନ ଓ ଶ୍ରୀ ନୀଳକଣ୍ଠଙ୍କ ସମେତ ଅଷ୍ଟଶମ୍ଭୁଙ୍କ ମନ୍ଦିର ବିକ୍ଷିପ୍ତ ଭାବରେ ରହିଅଛି । ଏମାନେ ଶ୍ରୀମନ୍ଦିର ସହିତ ସମ୍ପୃକ୍ତ ହୋଇଥିବାରୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରାପ୍ତ ହୁଅନ୍ତି । ଏହାଙ୍କ ବ୍ୟତିତ ସାରା ଅଞ୍ଚଳରେ ବିଭିନ୍ନ ନାମ ବହନ କରି ଅନେକ ଶିବ ମନ୍ଦିରମାନ ରହିଅଛି, ତା’ ମଧ୍ୟରେ ପ୍ରାଚୀନ ସାହିମାନଙ୍କରେ ଥିବା ବାନାମ୍ବର ମନ୍ଦିର ଅନ୍ୟତମ । ପୁରୀ ସହର ମଧ୍ୟରେ ଅନ୍ୟୁନ ବାରଗୋଟି ବାନାମ୍ବରଙ୍କ ମନ୍ଦିର ରହିଅଛି । ବାନାମ୍ବର ନାମରେ ମହାଦେବ ପୁରୀ ବ୍ୟତିତ ଅନ୍ୟ କେଉଁଠାରେ ପ୍ରାୟତଃ ଦେଖାଯାଆନ୍ତି ନାହିଁ । ଏଣୁ ଏହି ଉପାସନା ପରମ୍ପରା ଅନନ୍ୟ ।

‘ଶିବ ସହସ୍ର ନାମ’ରେ ‘ବାନାମ୍ବର’ ରହିଛନ୍ତିି । ଶ୍ରୀକ୍ଷେତ୍ରରେ, ଷୋଡ଼ଶ ଶତାବ୍ଦୀରେ ଆରମ୍ଭ ହୋଇ ଊନବିଂଶ ଶତାବ୍ଦୀ ମଧ୍ୟରେ ଏହି ମନ୍ଦିରଗୁଡ଼ିକ ନିର୍ମାଣ ହୋଇଥିବା ଅନୁମାନ । ‘ବାନାମ୍ବର’ ଶବ୍ଦର ଅର୍ଥ ତେଜୋଦୀପ୍ତ ରୂପ ବା ଅବୟବ । ଦାକ୍ଷିଣାତ୍ୟରେ ନଟରାଜଙ୍କ ନାଟ୍ୟରୂପ ଅବଲମ୍ବନରେ ବାନାମ୍ବରଙ୍କ ରୂପ ପରିକଳ୍ପନା କରାଯାଇଛି । ପ୍ରତ୍ୟେକ ମନ୍ଦିରରେ ଧାତବ ସର୍ପଯୁକ୍ତ ଲିଙ୍ଗଶକ୍ତି ପୂଜିତ । ତତ୍‌ସହିତ ମହାଦେବ ପାର୍ବତୀଙ୍କ ଅଷ୍ଟଧାତୁ ନିର୍ମିତ ପ୍ରଭାଯୁକ୍ତ ବିଗ୍ରହ ମଧ୍ୟ ପୂଜିତ । ଗର୍ଭଗୃହର କାନ୍ଥରେ ପାରମ୍ପରିକ ଶୈଳୀରେ ଏକ ଅସ୍ତ୍ରଧାରୀ ଅସୁରର ପୃଷ୍ଠଭାଗରେ ନୃତ୍ୟରତ ଦଶଭୁଜ ବିଶିଷ୍ଟ ଶିବଙ୍କ ଚିତ୍ର ଅତୀବ ଆକର୍ଷଣୀୟ । ଏହାଙ୍କ ମୁଖମଣ୍ଡଳ କମନୀୟ ତଥା ଉଜ୍ଜ୍ୱଳଦୀପ୍ତ । ଚକ୍ଷୁ ଅର୍ଦ୍ଧନିମୀଳିତ । ଦଶ ହସ୍ତରେ ଶାସ୍ତ୍ରବର୍ଣ୍ଣିତ ଆୟୁଧ ଯଥା ପରଶୁ, ଅଙ୍କୁଶ, ତ୍ରିଶୂଳ, ଡମ୍ବରୁ ଓ ଅଭୟ ମୁଦ୍ରା ଓ ଦକ୍ଷିଣ ହସ୍ତରେ ସର୍ପ, ପତାକା, ପଶୁ, ଘଣ୍ଟି ଓ ବରଦ ମୁଦ୍ରା ଚିତ୍ରିତ ହୋଇଥାଏ । ଚିତ୍ରବିଗ୍ରହଙ୍କ ଗଳାରେ ପଦ୍ମମାଳ, ଯଜେ୍ଞାପବିତ ସର୍ପ ଓ ମଥାରେ ମୁକୁଟ ସହିତ ବକ୍ଷ, ହସ୍ତ ଓ ପାଦରେ ବିଭିନ୍ନ ଅଳଙ୍କାର ଶୋଭିତ ହୋଇଥାଏ । ମୁଖମଣ୍ଡଳ ଶାନ୍ତ, ତ୍ରିନେତ୍ରଯୁକ୍ତ ଓ ନିଶ, ଶ୍ମଶ୍ରୁ ସମ୍ବଳିତ ହୋଇଥିବାରୁ ମହାଦେବଙ୍କ ଲକ୍ଷଣ ସୂଚାଇଥାଏ ।

ଏହି ଅନନ୍ୟ ରୂପ ଏକ ଚକ୍ର ମଧ୍ୟରେ ରହିଥାଏ ଏବଂ ଏହାର ଦୁଇ ପାଶ୍ୱର୍ରେ ସାଙ୍କେତିକ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ସହିତ ଦଶଦିଗପାଳ, ବ୍ରହ୍ମା, ଗଣେଶ, କାର୍ତ୍ତିକ, ଶଙ୍ଖନିଧି, ପଦ୍ମନିଧି ଓ ବୃଷଭ ଆଦି ଚିତ୍ରଣ ରହିଥାଏ । ଗୋଡ଼ର ଦୁଇ ଆଣ୍ଠୁ ମଧ୍ୟ ଭାଗକୁ ଭାଙ୍ଗି ପାଦଦ୍ୱୟ ପରସ୍ପର ଅସୁରର ବକ୍ଷରେ ମିଳିତ ହୋଇଥାଆନ୍ତି । ଏହି ଚିତ୍ର ପାରମ୍ପରିକ ପଟ୍ଟଚିତ୍ର ଶୈଳୀରେ ଚିତ୍ରକାରଙ୍କ ଦ୍ୱାରା ଅଙ୍କନ କରାଯାଇଥାଏ ଏବଂ ପ୍ରତି ବର୍ଷ ଶିବରାତ୍ରୀ ପୂର୍ବରୁ ଏହାର ନବୀକରଣ ହୋଇଥାଏ । ବାନାମ୍ବରଙ୍କ ଐଶ୍ୱର୍ଯ୍ୟପୂର୍ଣ୍ଣ ନୃତ୍ୟରତ ରୂପ ସକାଶେ କେହି କେହି ଏହାଙ୍କୁ ନାଟାମ୍ବର ବୋଲି କହିଥାନ୍ତି । ଚିତ୍ରଣରେ ବିଗ୍ରହଙ୍କ ପାଦ ତଳେ ଥିବା ରାକ୍ଷସ ସକଳ ରୋଗର ପ୍ରତିନିଧି ସ୍ୱରୂପ ‘ ଅପସ୍ମାର’ ବୋଲି ଗବେଷକଙ୍କ ମତ । ମହାଦେବ ହେଉଛନ୍ତି ରୋଗନାଶକ । ଏଣୁ କୁହାଯାଇଛି ‘ଭେଷଜଂ ଭବ ରେଗୀଣାଃ’ । ମହାଦେବ ଏହି ଅପସ୍ମାର ନାମକ ଅସୁରକୁ ଦମନ କରିଥିଲେ ।

ଉପର ବର୍ଣ୍ଣିତ ପ୍ରମୁଖ ମହାଦେବଙ୍କୁ ଶ୍ରୀକ୍ଷେତ୍ରରେ ପଞ୍ଚପାଣ୍ଡବ ରୂପେ ଗ୍ରହଣ କରାଯାଇଛି । ମହାଭାରତରେ ବର୍ଣ୍ଣିତ ତଥ୍ୟ ଆଧାରରେ ଏହି ପଞ୍ଚ ପାଣ୍ଡବ ରୂପୀ ମହାଦେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅତି ପ୍ରିୟ । ଏହା ହରିହର ଉପାସନାର ବଳିଷ୍ଠ ସୂଚନା ମଧ୍ୟ ଦେଇଥାଏ । ଏହି ପରିପ୍ରେକ୍ଷୀରେ ବାନାମ୍ବରଙ୍କୁ ଅନ୍ୟତମ ପାଣ୍ଡବ ତଥା କୁନ୍ତୀପୁତ୍ର କର୍ଣ୍ଣ ବୋଲି ସ୍ୱୀକାର କରାଯାଇଛି । ପୁରୀରେ ଏହି ବାନାମ୍ବର ମନ୍ଦିରସବୁ ସ୍ଥାପନାରେ ତୈଳିକ ବୈଶ୍ୟ ସମ୍ପ୍ରଦାୟର ଯଥେଷ୍ଟ ଅବଦାନ ରହିଛି । ଠାକୁରଙ୍କ ପୂଜାର୍ଚ୍ଚନା ଦାୟିତ୍ୱ ସ୍ଥାନୀୟ ବ୍ରାହ୍ମଣ ପରିବାର ଉପରେ ନ୍ୟସ୍ତ ଥିବା ଜଣାଯାଏ । ବିଭିନ୍ନ ବ୍ରାହ୍ମଣ ଶାସନ ତଥା ଅନ୍ୟ ଗ୍ରାମମାନଙ୍କରୁ ଆସି ପୁରୀରେ ବସବାସ କରୁଥିବା ଅନେକ ନୈଷ୍ଠିକ ବ୍ରାହ୍ମଣମାନେ ଏହି ବାନାମ୍ବର ମନ୍ଦିରରେ ପ୍ରତ୍ୟହ ରୂଦ୍ରାଭିଷେକ ବା ଜଳଲାଗି କରିଥାନ୍ତିି ।

ସମ୍ପ୍ରତି ଏହି ବାନାମ୍ବର ମନ୍ଦିରଗୁଡ଼ିକର ନୀତିକାନ୍ତି ତଥା ପରିଚାଳନା ସମ୍ପୃକ୍ତ ବ୍ରାହ୍ମଣ ସମାଜ ତଥା ବାସିନ୍ଦାଙ୍କ ହାତରେ ରହିଥିବାର ଜଣାଯାଏ । ପୁରୀର କୁଣ୍ଢେଇବେଣ୍ଟ ସାହିରେ ପ୍ରଥମେ ବାନାମ୍ବରଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିବାର ଏକ ଅଲୌକିକ ପ୍ରବାଦ ସ୍ୱର୍ଗତଃ ବଂଶୀଧର ମହାନ୍ତି ତାଙ୍କ ରଚିତ ‘ମର୍ତ୍ତ୍ୟ ବୈକୁଣ୍ଠ’ ପୁସ୍ତକରେ ପଦ୍ୟାକାରରେ ବର୍ଣ୍ଣନା କରିଛନ୍ତି । ସାହିର ଏକ ଛକ ସ୍ଥାନରେ ପ୍ରତିଦିନ ଅପରାହ୍ନରେ ସାହିିର ପିଲାମାନଙ୍କ ସହିତ ଜଣେ ପିଲା ଆସି ଖେଳେ ଓ ଖେଳ ଶେଷରେ ଅନ୍ୟ ପିଲାମାନଙ୍କ ଚୁଟି ଧରି ଶାସ୍ତି ଦେଲାଭଳି ବ୍ୟବହାର କରେ ଆଉ ତା’ ପରେ କୁଆଡ଼େ ଚାଲିଯାଏ । କିଛି ଦିନ ଏପରି ଘଟିବା ପରେ ଜଣେ ପିଲା ତା’ ବାପାଙ୍କୁ ଏକଥା ଜଣାଇଲା । ବାପା ଦିନେ ଛକିରହି ଦେଖିଲେ ପ୍ରକୃତରେ ଆଉ ଜଣେ ଅଚିହ୍ନା ପିଲା ଖେଳ ଶେଷରେ ଅନ୍ୟ ପିଲାମାନଙ୍କ ଚୁଟି ଧରିବା ପରେ ନିକଟରେ ମହାପ୍ରସାଦ କୁଡ଼ୁଆର ଖପରା ଜମା ହେଇଥିବା ଗଦା ଭିତରକୁ ଯାଇ ଅଦୃଶ୍ୟ ହୋଇଗଲା । ଏହି ଦୃଶ୍ୟ ଦେଖି ବ୍ୟକ୍ତି ଜଣଙ୍କ କିଛି ବୁଝିପାରିଲେ ନାହିଁ । ସେହି ରାତିରେ ତାଙ୍କୁ ସ୍ୱପ୍ନାଦେଶ ହେଲା । ସ୍ୱପ୍ନରେ ମହାଦେବ ସେହି ଖପରା ଗଦା ଭିିତରେ ଅଛନ୍ତି ଆଉ ଖେଳ ଶେଷରେ ପିଲାମାନେ ସେହି ଗଦା ଉପରେ ପରିସ୍ରା କରିବାରୁ ସେ କ୍ଷୁବ୍ଧ ହୋଇ ସେମାନଙ୍କର ଚୁଟିଧରି ଦଣ୍ଡଦେବା କଥା ପ୍ରକାଶ କରିଥିଲେ । ଆହୁରି କହିଥିଲେ ଯେ ଖପରାଗୁଡ଼ିକ କୈବଲ୍ୟ ସମ୍ପୃକ୍ତି ହୋଇଥିବାରୁ ସେ ସହିଯାଉଛନ୍ତି ମାତ୍ର ପିଲାମାନେ ସେହି ଗଦା ଉପରେ ପରିସ୍ରା କରିବା ତାଙ୍କ ପକ୍ଷେ ଅସହ୍ୟ ହେଉଛି । ଏହା ପରେ ସେହି ଖପରା ଗଦା ସଫା ହୋଇ ତା ତଳୁ ଲିଙ୍ଗଶକ୍ତି ଆବିଷ୍କୃତ ହେଲା ଏବଂ ସାହିର ବ୍ରାହ୍ମଣ ଓ ବାସିନ୍ଦାଙ୍କ ଦ୍ୱାରା ବାନାମ୍ବରଙ୍କ ନାମରେ ମନ୍ଦିର ପ୍ରତିଷ୍ଠା ହୋଇ ପୂଜାର୍ଚ୍ଚନା ଆରମ୍ଭ କରାଗଲା ।

ଏଥିରେ ଅନ୍ୟ ସାହିର ବାସିନ୍ଦାମାନେ ପ୍ରଭାବିତ ହୋଇ ପରବର୍ତ୍ତି କାଳରେ ସବୁ ସାହିରେ ଅନୁରୂପ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଉତ୍ସାହିତ ହେଲେ ଏବଂ ଏହା ଦ୍ୱାରା ସେମାନଙ୍କର ଗୃହ ନିକଟରେ ଶିବ ଆରାଧନାର ଅଭିଳାଷ ମଧ୍ୟ ପୂର୍ଣ୍ଣ ହେଲା । ସାହିମାନଙ୍କରେ ଥିବା ବାନାମ୍ବର ମନ୍ଦିରଗୁଡ଼ିକ ଉତ୍କଳୀୟ ପାରମ୍ପରିକ ଶୈଳୀରେ ନିର୍ମିତ । କଳିଙ୍ଗ ପୀଢ଼ ଶୈଳୀର ଗର୍ଭଗୃହ ଓ ଜଗମୋହନ ସହିତ ସ୍ୱତନ୍ତ୍ର ରୋଷଘର ଓ ବେଢ଼ା ପରିକ୍ରମା ପାଇଁ ସୁବିଧା ପ୍ରାୟତଃ ସବୁ ବାନାମ୍ବର ମନ୍ଦିରଗୁଡ଼ିକରେ ରହିଅଛି । ବିଗ୍ରହଙ୍କ ସମ୍ମୁଖରେ ମୁଗୁନି ପଥର ନିର୍ମିତ ବୃଷଭ ମୂର୍ତ୍ତି, ଲଲାଟବିମ୍ୱରେ କୀର୍ତ୍ତିମୁଖ, ପ୍ରବେଶପଥରେ ନବଗ୍ରହଙ୍କ ମୂର୍ତ୍ତି, ଦୁଇପାଶ୍ୱର୍ରେ ନନ୍ଦୀ ଭୃଙ୍ଗୀ ତଥା ପାଶ୍ୱର୍ଦେବତା ଭାବରେ ଗଣେଶ, କାର୍ତ୍ତିକ ଓ ବାମ ପାଶ୍ୱର୍ରେ ମା’ ପାର୍ବତୀଙ୍କ ବିଗ୍ରହ ଓ ସଠିକ୍ ସ୍ଥାନରେ ପାଦୁକ କୁଣ୍ଡ ଯଥାର୍ଥରେ ରହିଥିବାର ଦେଖାଯାଏ । ଶୈବ ମନ୍ଦିରର ନିୟମ ଅନୁସାରେ ଚୂଡ଼ାରେ ତ୍ରିିଶୂଳ ରହିଥାଏ ।

ଶୈବ ପରମ୍ପରା ଅନୁସାରେ ପ୍ରତ୍ୟେକ ବାନାମ୍ବର ମନ୍ଦିରରେ ନୀତିକାନ୍ତି ଓ ବିଭିନ୍ନ ପର୍ବମାନ ପାଳନ କରାଯାଏ । ଶିବରାତ୍ରି ଦିନ ତ୍ରିକାଳ ରୂଦ୍ରାଭିଷେକ ଉପରାନ୍ତ ମଧ୍ୟରାତ୍ରରେ ମହାଦୀପ ଉଠିବା ପରମ୍ପରା ରହିଅଛି । ଶୀତଳ ଷଷ୍ଠୀ ଦିନ ଶିବ ବିବାହ ସହିତ ପରଦିନ ଗୁଆଲିରେ କାଷ୍ଠନିର୍ମିତ ବୃଷଭ ବାହନରେ ଶିବ ପାର୍ବତୀଙ୍କ ବିଗ୍ରହ ନଗର ପରିକ୍ରମା କରିବା ସମୟରେ ବିଭିନ୍ନ ସ୍ଥାନରେ ପନ୍ତିଭୋଗ ହୋଇଥାଏ ।

ଏହାପରେ ଦେବ ଦମ୍ପତିଙ୍କ ସାତମଙ୍ଗଳା ମଧ୍ୟ ପାଳିତ ହୋଇଥାଏ । ପ୍ରତି ସୋମବାର ଓ ସଂକ୍ରାନ୍ତି ଦିନମାନଙ୍କରେ ଅଭିଷେକ ସହିତ ସଙ୍ଖୁଡ଼ି ଭୋଗ ଲାଗିଥାଏ । ଏହି ଦିନମାନଙ୍କରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥାଏ । ଜ୍ୟେଷ୍ଠ ମାସରେ ଗୋଟି ଦିନ ସାହିର ବ୍ରହ୍ମାଣ ଯୁବକମାନଙ୍କ ଦ୍ୱାରା ଜଳଶାୟୀ ନୀତି ପାଳନ କରାଯାଏ । ଶ୍ରୀକ୍ଷେତ୍ରରେ ଦୁର୍ଗାମାଧବ ଉପାସନା ଭଳି ବାନାମ୍ବରଙ୍କ ଉପାସନା ସ୍ଥାନୀୟ ସଂସ୍କୃତିରେ ଏକ ଅନନ୍ୟ ଅଧ୍ୟାୟ । ଏହା ଶୈବ ଉପାସନାକୁ ଅଧିକ ରୁଦ୍ଧିମନ୍ତ କରିଥାଏ ।

ଦେବୀ ପ୍ରସନ୍ନ ନନ୍ଦ
କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯

Comments are closed.