କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୫
ପ୍ରାଚୀ ଆଉ ସୁନାମୁହିଁ ଯେଉଁଠି କୋଳାକୋଳି ହୋଇ ସମୁଦ୍ର ସହିତ ଏକାକାର ହୋଇଛନ୍ତି ସେଇଠି ଅଛି ଏକ ଛୋଟ ତ୍ରିକୋଣ ଭୂମି।ଧଳା ଅରଖ ଆଉ ଗିଲ ଲତାରେ ଭର୍ତି ସେଇ ଭୁଖଣ୍ଡଟି ଦିନେ ଥିଲା ଅନେକ କାଳ୍ପନିକ କାହାଣୀର ସୃଜନ ଭୂମି।
ସେ ସବୁ କାହାଣୀର ନାୟକ ଥିଲା ପ୍ରମୋଦ ନାମ୍ନା ଏକ ଭୂତ। ପ୍ରମୋଦ ଭୂତ ହେବା ପୂର୍ବରୁ ନିଜର ଅପରିସୀମ ପରାକ୍ରମ ଓ ପରୋପକାର ଗୁଣ ଯୋଗୁଁ ସବୁବେଳେ ଚର୍ଚ୍ଚିତ ଥିଲା। ଲୋକ ମୁଖରେ ପ୍ରାୟତଃ ଶୁଣାଯାଉଥିଲା ତାର ବୀରତ୍ୱର କାହାଣୀ। କେଉଁଠି ପ୍ରମୋଦ ଏକା ହାତରେ ଲାଠି ଖଣ୍ଡେ ଧରି ସାବଡ କରିଛି ଡକାୟତ ଦଳକୁ।ଆଉ କେଉଁଠି ଅକାତକାତ ପାଣି ଭିତରୁ ଉଦ୍ଧାର କରିଛି କୁନି ହରିଣ ଛୁଆକୁ।କେତେବେଳେ ଜଳନ୍ତା ଘର ଭିତରୁ ଟାଣିଆଣିଛି କରିଛି ବର୍ଷୀୟାନ ବୃଦ୍ଧାଂକୁ ତ ପୁଣି କେତେବେଳେ ନିଜଘରୁ ବସ୍ତାଏ ଚାଉଳ ନେଇ ବାଣ୍ଟି ଦେଇଛି ଭିକାରୀଙ୍କୁ। ତାର ସୌମ୍ୟ ସୁଠାମ ଚେହେରା ଆକର୍ଷିତ କରୁଥିଲା ଅନେକ ତରୁଣୀଙ୍କୁ।ଏମିତି ଦିନେ ଖବର ଆସିଲା ଲତା ଦେଇପୁର ହରିଜନ ବସ୍ତିର ଏକମାତ୍ର ସୁନ୍ଦରୀ ସୁମିତା ତାର ବାଗ୍ଦତା।
କୂଳିନ ଖଣ୍ଡାୟତ ଘରର ଦଳପତି ଶଙ୍କର ପାଇକରାୟଙ୍କ ସୁଯୋଗ୍ୟ ଉତ୍ତରାଧିକାରୀ ତଥା ଆଖପାଖ ଅଞ୍ଚଳରେ ଏକମାତ୍ର ଡିଗ୍ରୀପ୍ରାପ୍ତ ଶିକ୍ଷିତ ପ୍ରମୋଦ ଜଣେ ଅଳ୍ପ ଶିକ୍ଷିତ ହରିଜନ ଝିଅ ପ୍ରେମରେ ପଡିବ, ଏଇଟା ଥିଲା ସେ ସମୟରେ ଆମ୍ବ ଗଛରେ ଲେମ୍ବୁ ଫଳିବା ପରି ଏକ ଅସମ୍ଭବ ବ୍ୟାପାର। ଦିନେ ଆଶ୍ଚର୍ଯ୍ୟଜନକ ଭାବେ ପ୍ରମୋଦ ନିଜ ପିତାଙ୍କ ସମ୍ମୁଖରେ ସୁମିତାକୁ ବାହାହେବାର ଇଚ୍ଛା ଜାହିର କଲା।
ନଶାକ୍ରାନ୍ତ ପାଇକରାୟ ମୂର୍ତ୍ତି ପ୍ରମାଣେ ନୀରବ ରହି ନିଜର ବୁଲେଟ ଯୋଗେ ଗାଆଁ ବାହାରକୁ ବାହାରି ପଡିଲେ।ମଧ୍ୟ ରାତିରେ ପ୍ରମୋଦକୁ ଖବର ମିଳିଲା ସୁମିତାର ହଠାତ୍ ଦେହାନ୍ତ କଥା।କାଳ ବିଳମ୍ବ ନକରି ସେ ପହଞ୍ଚିଲା ଲତାଦେଇ ପୁରରେ। ଅଗଣାରେ ଶୋଇଥିଲା ସୁମିତାର ଶବ।କୋହ କମ୍ପିତ ପ୍ରମୋଦ ସେଠାରେ ଠିଆ ହୋଇ ନୀରବରେ ଅଶ୍ରୁମୋଚନ କଲା। ସାରା ଲତାଦେଇ ପୁରର ସମସ୍ତ ନରନାରୀ ସଜଳ ନୟନରେ ଚାହିଁ ରହିଲେ। ସୁମିତାର ନିରୀହ ପିତାମାତାଙ୍କର ସାହାସ ନଥିଲା ପ୍ରମୋଦ ଆଗରେ କଥାକହିବାକୁ।
ଏମିତି ଏମିତି କଟିଗଲା ପ୍ରାୟ ପାଞ୍ଚ-ଛ ଘଣ୍ଟା।ଦେଖେଣାହାରୀଙ୍କ ଧର୍ଯ୍ୟଚ୍ୟୁତି ଘଟି ଅଧାଅଧି ଲୋକ ସ୍ଵସ୍ଵ ଗୃହକୁ ପ୍ରତ୍ୟାବର୍ତ୍ତନ କଲାପରେ ହଠାତ୍ ପ୍ରମୋଦ ସୁମିତାର ମଲାଦେହକୁ କାନ୍ଧରେ ପକେଇ ମୁହାଣ ଆଡେ ଚାଲିଲା।
କ୍ରମଶଃ……..
Comments are closed.