Latest Odisha News

BREAKING NEWS

ସାଂସାରିକ ଜଞ୍ଜାଳ ମଧ୍ୟରେ ଲେଖାଲେଖି ବଜାୟ ରଖିବା କଷ୍ଟକର : ବନଜ ଦେବୀ

ନିକଟରେ ମର୍ଯ୍ୟାଦାବନ୍ତ ଶାରଳା ପୁରସ୍କାର ପାଇଥିବା ବନଜ ଦେବୀ ଓଡ଼ିଆ ସାହିତ୍ୟର ଅନ୍ୟତମ ଯଶସ୍ୱୀ ଲେଖିକା । ଜନ୍ମ: ୧୦ ଅଗଷ୍ଟ ୧୯୪୧ । ଜନ୍ମସ୍ଥାନ ଭଦ୍ରକ । ବାପାଙ୍କ ପୈତୃକ ଗ୍ରାମ ପୋଷଲ, ହାକପଡ଼ା, ଜିଲ୍ଲା ପୁରୀ ହୋଇଥିଲେ ହେଁ ପୁରୀର ସ୍ଥାୟୀ ବାସିନ୍ଦା । ବାପା: ବିଶ୍ୱନାଥ ପଟ୍ଟନାୟକ, ମା: ସୁନ୍ଦରମଣି ପଟ୍ଟନାୟକ, ସ୍ୱାମୀ: ପୂର୍ଣ୍ଣଚନ୍ଦ୍ର ହରିଚନ୍ଦନ । ଶିକ୍ଷା: ଆଇ.ଏ. ପାଶ୍ । ଉପନ୍ୟାସ: ରାଧା, ମରୁଝରଣା, ବେଳାଭୂଇଁ, ବିଦଗ୍ଧ ବସନ୍ତ, ନଦୀ ଓ ନୌକା, ବସୁନ୍ଧରା କହେ, ହଂସନୀଡ଼, ମନ ଭଉଁରୀ, ପଦଯାତ୍ରା, ନିଜ ଭିତରେ ସୂର୍ଯ୍ୟ, ପୂର୍ବାଶାର ପକ୍ଷୀ, ସାତ ଲହଡ଼ିରୁ ଶରଧା ବାଲି ଓ ସୁଅରେ ବଉଳଫୁଲ । କ୍ଷୁଦ୍ରଗଳ୍ପ: କେତୋଟି ସବୁଜ ପତ୍ର, ତାରା ଫୁଟିବାର ବେଳା, ରାଗ ବେହାଗ, ବସ୍ତିସାରା ଶୋକ, ସେ ଆଉ ଜଣେ, ନୀଳମାଧବର ଗାଁ, ଗାୟତ୍ରୀର ପୁଅ, ଫାଟ ଯୋଡ଼ିବାର ବାଟ, ଅନ୍ୟ ରାସ୍ତାର ଲୋକ, ଗଳ୍ପ ସମଗ୍ର ୧ମ ଓ ୨ୟ, କାଠପୁଅ ଓ ଅନ୍ୟାନ୍ୟ ଗଳ୍ପ । କବିତା: ବନ ହଳଦୀ, ବର୍ଷାର ବଳାକା, ଭୂମିଲଗ୍ନା, ଦୂର ନକ୍ଷତ୍ରର ଦୀପ, ସୁନାରେ ଭରିଛି ନାଆ ଓ କବିତା ସମଗ୍ର । ଅନୁବାଦ: ନୌକାବୁଡ଼ି, ଗାନ୍ଧାରୀ ବ୍ୟତୀତ ୫୦ରୁ ଅଧିକ ବେଦମନ୍ତ୍ରର ଓଡ଼ିଆ ପଦ୍ୟରୂପ ବେଦରଶ୍ମିରେ ପ୍ରକାଶିତ । ଜୀବନୀ: ଅଲିଭା ଅନେକ ଶିଖା – ସରଳା ଦେବୀ, ନିରୋଳା ନଦୀର କଥା – କବି ସ୍ନେହଲତା । ବେତାର ନାଟିକା: ଅପରାହ୍ନ, ଦୀପ ଜାଳିଦିଅ । ପୁରସ୍କାର: ଓଡ଼ିଶା ସାହିତ୍ୟ ଏକାଡେମୀ, ଫକୀରମୋହନ ସାହିତ୍ୟ ଶ୍ରୀ ପୁରସ୍କାର, ପ୍ରତିଭା ଶତପଥି କବିତା ପୁରସ୍କାର, ପୁନର୍ନବା କଥା ପୁରସ୍କାର, ଜ୍ଞାନଦା କବିତା ପୁରସ୍କାର, ଭାନୁଜୀ ରାଓ କବିତା ସ୍ମୃତି ପୁରସ୍କାର, ଶାରଳା ପୁରସ୍କାର । ତାଙ୍କ ସହ ସରୋଜ ବଳଙ୍କ ଆଳାପ: 

ସାଂସାରିକ ଜଞ୍ଜାଳ ମଧ୍ୟରେ ଲେଖାଲେଖି ବଜାୟ ରଖିବା କଷ୍ଟକର : ବନଜ ଦେବୀ

ଆପଣଙ୍କ ‘କାଠପୁଅ ଓ ଅନ୍ୟାନ୍ୟ ଗଳ୍ପ’ ବହିଟି ଶାରଳା ପୁରସ୍କାର ପାଇଛି । ଏଥିରେ ସଂକଳିତ ଗଳ୍ପଗୁଡ଼ିକ ସଂପର୍କରେ ଟିକେ ସୂଚନା ଦେବେ କି?
କାଠପୁଅ ଓ ଅନ୍ୟାନ୍ୟ ଗଳ୍ପ ବହିଟିରେ ବାଇଶଟି ଗଳ୍ପ ଅଛି । ଗଳ୍ପଗୁଡ଼ିକ ବିବିଧ ଭାବରେ ପୁଷ୍ଟ । ଏହି ବିବିଧତା ମଧ୍ୟରେ ଗଭୀର ସମ୍ବେଦନଶୀଳତା, ଜୀବନବୋଧ, ମାନବିକ ମୂଲ୍ୟବୋଧରେ ଆସ୍ଥା ରହିପାରିଚି ବୋଲି ମୋର ବିଶ୍ୱାସ । ମଣିଷ ଚରିତ୍ରର ରହସ୍ୟମୟତା ମଧ୍ୟ କିଛି ଗଳ୍ପରେ ଅଛି । ମୋ ଗଳ୍ପର ଚରିତ୍ରମାନେ ମାଟିରେ ଠିଆ ହୋଇଥାନ୍ତି ଓ ଜୀବନକୁ ଭଲପା’ନ୍ତି ।

ପୁରସ୍କୃତ ଗଳ୍ପପୁସ୍ତକର ଶୀର୍ଷକ ଗଳ୍ପଟିର ବିଶେଷତ୍ୱ କଣ? ‘କାଠପୁଅ’ ଭଳି ନାମକରଣ ପଛରେ କି ରହସ୍ୟ ରହିଛି?
କାଠପୁଅ ନାମକରଣରେ କୌଣସି ରହସ୍ୟ ନାହିଁ । ନିଃସନ୍ତାନ ନାରୀଟିଏ କାଠର ଜଗନ୍ନାଥକୁ ପୂଜା କରୁ କରୁ ତାକୁ ଭଲପାଇ ବସେ । ଏତେ ଯେ ସେ କ୍ରମେ ତା’ର ପୁଅ ହୋଇଯାଏ । ସେଇ କାଠପୁଅ ତାକୁ ଅନେକ ଅନୁଭୂତି ଦିଏ । ବିପଦରୁ ରକ୍ଷା କରେ। ଏ ଗପଟିର ଚରିତ୍ର ନିଜର ଦାୟିତ୍ୱ ଅପେକ୍ଷା ମଣିଷପଣିଆକୁ ମୂଲ୍ୟ ଦିଏ ।

ସାହିତ୍ୟ, ବିଶେଷକରି ଗଳ୍ପ ରଚନାରେ ଆଗ୍ରହ ପ୍ରକାଶ କରିବାର ଆଦ୍ୟ ପ୍ରେରଣା କିଏ?
ସାହିତ୍ୟ କ’ଣ ବୁଝିବା ଆଗରୁ, ମୁଁ କବିତା ଲେଖା ଆରମ୍ଭ କରିଥିଲି । ଏକ ଅଜଣା ଅନୁରାଗରେ । ଅନ୍ତଃ ପ୍ରେରଣାରେ । ଏବେ ମଧ୍ୟ ଲେଖୁଚି ସେଇ ଅନ୍ତଃ ପ୍ରେରଣାରେ ।

ଆପଣଙ୍କ ଗଳ୍ପଗୁଡ଼ିକ ମୁଖ୍ୟତଃ କେଉଁ ଭାବଧାରାକୁ ଆଧାର କରି ଗଢ଼ି ଉଠିଥାଏ?
ଯେତେବେଳେ ଯେଉଁ ଭାବ ମତେ ଆଲୋଡ଼ିତ କରେ ତାକୁ ନେଇ ମୁଁ ଗଳ୍ପ ଲେଖେ । ଏ ସବୁ ଭିତରେ ଅବଶ୍ୟ ଫୁଟି ଦିଶେ, ସତ୍ୟ ପ୍ରତି ଅନୁରକ୍ତି, ମାନବିକ ମୂଲ୍ୟବୋଧ ପ୍ରତି ଅତୁଟ ବିଶ୍ୱାସ । ନିଜ ମାଟି ପ୍ରତି, ଜୀବନ ପ୍ରତି ସକାରାତ୍ମକ ଦୃଷ୍ଟିଭଙ୍ଗୀ ।

ଗଳ୍ପଟିଏ ଲେଖିବା ପୂର୍ବରୁ ଯେମିତି ଲେଖିବାକୁ ଚାହିଥାନ୍ତି, ସେମିତି ଲେଖିପାରନ୍ତି କି?
ଗପଟିଏ ଲେଖିଲାବେଳେ ମନପସନ୍ଦ ନ ହେଲା ଯାଏଁ ମୁଁ କଟାକଟି କରି ଚାଲିଥାଏ । ବେଳେବେଳେ ଗପ ମନପସନ୍ଦର ହୋଇଯାଏ । ଆତ୍ମତୃପ୍ତି ମିଳେ । କେଉଁକେଉଁ ଗପ ଜମା ମନପସନ୍ଦର ହୁଏ ନାହିଁ ।

କୁହାଯାଏ, ଯାହାର ଗୋଟେ ଭଲ ପିଲାଦିନ ଅଛି, ସେ ଜୀବନରେ କେବେ ଭାଂଗିଯାଏନାହିଁ । ଆପଣଙ୍କ ପିଲାଦିନ ଆପଣଙ୍କ ମନଲାଖି ଥିଲା କି?
ମୋ ପାଇଁ ମୋ ପିଲାଦିନ ଖୁବ୍ ଭଲ ଥିଲା । ମୁଁ ଭିନ୍ନ ସ୍ୱଭାବର ଥିଲି । ଟିକେ ବୋକାବୋକା । ଚପଳତା କି ଦୁଷ୍ଟାମୀ ମୋ ପାଖେ ନଥିଲା । ଚଢେ଼ଇ ଦେଖିବା, ହଳଦୀବସନ୍ତ ଓ କଜଳପାତୀକୁ ଠାବ କରିବା, ବଉଳ ଫୁଲ ଗୋଟାଇ ଅଣ୍ଟି ଭରିବା ଥିଲା ମୋର ପ୍ରିୟ ଖେଳ । ଖୁବ୍ ସୁନ୍ଦର ମୋ ପିଲାଦିନ ।

ଆପଣଙ୍କ ସୃଷ୍ଟିରେ ପିଲାଦିନର ପ୍ରତିବିମ୍ବ କେମିତି? ପିଲାଦିନକୁ ନେଇ ଲେଖିଥିବା କୋଉ ଲେଖାରେ ଆପଣ ଖୁବ୍‍ ସନ୍ତୁଷ୍ଟ?
ମୋ ଗଳ୍ପ କବିତାମାନଙ୍କରେ ପିଲାଦିନର ପ୍ରତିଫଳନ ଅବଶ୍ୟ ଘଟିଛି । ପିଲାଦିନକୁ ନେଇ ମୋର କିଛି ଗଳ୍ପ ଅଛି । ‘ମନ ମାନେନା’, ‘ସୌରଭ’ ମୋର ପ୍ରିୟ ଗଳ୍ପ ।

ସମକାଳର ନୂଆପିଢ଼ିଙ୍କ ଗଳ୍ପ ସମ୍ପର୍କରେ ଆପଣଙ୍କର ସ୍ପଷ୍ଟ ମତ କଣ? ସେମାନଙ୍କୁ ଆପଣ ପଢ଼ିବାକୁ ସମୟ ପାଆନ୍ତି କି?
ନୂଆପିଢ଼ିର ଅନେକ ଲେଖକ ଲେଖିକା ଖୁବ୍ ଭଲ ଲେଖୁଚନ୍ତି । ନୂଆ ନୂଆ ପରୀକ୍ଷା ନିରୀକ୍ଷା ମଧ୍ୟ କରୁଚନ୍ତି । ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ । ମୁଁ ସମସ୍ତଙ୍କୁ ପଢେ଼ ।

ଗଳ୍ପର ବା କଥାସାହିତ୍ୟର କିଛି ସାମାଜିକ ଉତ୍ତରଦାୟିତ୍ୱ ରହିବା କଥା କି?
ସାହିତ୍ୟରେ ସମାଜର ଚିତ୍ର ଓ ସ୍ୱର ପ୍ରତିଫଳିତ ହୋଇଥାଏ । ସାହିତ୍ୟ ଓ ସମାଜ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ମୋ ବିଚାରରେ ସାମାଜିକ ଉତ୍ତର ଦାୟିତ୍ୱ, ଲେଖକର ଅଜାଣତରେ ତା’ ଲେଖାକୁ ଆସି ଯାଇଥାଏ । ସେ ସମାଜ ସୁଧାରେ ନାହିଁ, କିନ୍ତୁ ସମାଜର ଦୋଷ ଦୁର୍ବଳତା ଓ କ୍ଷତକୁ ଦେଖାଇଦିଏ ।

ସାଂସାରିକ ଜଂଜାଳ ଓ ଯାବତୀୟ ଦାୟିତ୍ୱବୋଧ ଭିତରେ ଲେଖାଲେଖି ପ୍ରତି କେମିତି ସମୟ ବାହାର କରନ୍ତି? କୌଣସି ବାଧାର ସମ୍ମୁଖୀନ ହୁଅନ୍ତି କି?
ସାଂସାରିକ ଜଞ୍ଜାଳ ମଧ୍ୟରେ ଲେଖାଲେଖିର ଅଭ୍ୟାସକୁ ବଜାୟ ରଖିବା କଷ୍ଟକର କଥା । ଏ କଷ୍ଟ ମୁଁ ଖୁବ୍ ଉଠେଇଛି । ସମସ୍ତେ ଶୋଇଲା ପରେ ରାତିରେ ବାରଣ୍ଡାରେ ସପ ପକେଇ ମୁଁ ଲେଖାପଢ଼ା କରିଚି । ମୋ ପାଇଁ ବାଧା ଥିଲା ସମୟର ଅଭାବ । ଆଉ କିଛି ନୁହେଁ ।

ଆପଣଙ୍କ ଲେଖାଲେଖିକୁ ନେଇ ନିଜେ ସନ୍ତୁଷ୍ଟ କି? ଭବିଷ୍ୟତରେ କଣସବୁ ଯୋଜନା ରଖିଛନ୍ତି ଲେଖିବା ପାଇଁ?
ସାହିତ୍ୟ କ୍ଷେତ୍ରରେ ଏ ଦୀର୍ଘ ଯାତ୍ରା ସତ୍ତ୍ୱେ ନିଜ ଲେଖାକୁ ନେଇ ମୁଁ ଟିକେ ବି ସନ୍ତୁଷ୍ଟ ନୁହଁ! ସବୁବେଳେ ଭାବୁଚି, ଏତେ ଦିନ ପରେ ବି ଭଲ ଗପ କି କବିତାଟିଏ ଲେଖିପାରିଲି ନାହିଁ । ଭବିଷ୍ୟତ ସମ୍ପର୍କରେ ମୋର କିଛି ଯୋଜନା ନାହିଁ ।

Leave A Reply

Your email address will not be published.