Latest Odisha News

ଅଧା ଜିତା ହୋଇଥିବା ଏକ ଲଢ଼େଇ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…

ବିଳମ୍ବରେ ହେଲେ ବି ବିବାଦୀୟ କୃଷି ଆଇନ୍ ତିନୋଟିକୁ ପ୍ରତ୍ୟାହାର କରି ପ୍ରଧାନମନ୍ତ୍ରୀ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି । ଅବଶ୍ୟ ଏଥିପାଇଁ ଚାଷୀମାନଙ୍କୁ ଦୀର୍ଘ ବର୍ଷେରୁ ଉର୍ଦ୍ଧ୍ୱ କାଳ ଖରା, ବର୍ଷା, ଶୀତରେ ବସି ଆନ୍ଦୋଳନ କରିବାକୁ ପଡ଼ିଛି । ୭୦୦ରୁ ଅଧିକ ଚାଷୀ ଆନ୍ଦୋଳନ କାଳରେ ମୃତ୍ୟୁବରଣ କରିଛନ୍ତି । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ କ୍ଷମତାଶାଳୀ ଲୋକମାନଙ୍କର ଗାଡ଼ି ଚଢ଼ିଯାଇଛି । ଚାଷୀମାନଙ୍କ ରାସ୍ତାରେ ସରକାର କଣ୍ଟା ପୋତିଛନ୍ତି । ଆନ୍ଦୋଳନ ଚାରିପଟେ ବାଡ଼ ଘେରାଇଛନ୍ତି । ଚାଷୀମାନଙ୍କୁ ଖଲିସ୍ତାନୀ, ଆତଙ୍କବାଦୀ କୁହାଯାଇଛି । ଦେଶଦ୍ରୋହୀର ମିଛ ନିନ୍ଦା ଦେଇ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚେଷ୍ଟା କରାଯାଇଛି । କେନ୍ଦ୍ରର କ୍ଷମତାସୀନ ଦଳ ବିଜେପି ଓ ତାର ଭକ୍ତମାନେ ଚାଷୀମାନଙ୍କୁ ନିନ୍ଦା କରିବାକୁ କୌଣସି ବି ସୁଯୋଗ ଛାଡ଼ିନଥିଲେ । କିନ୍ତୁ ଚାଷୀମାନେ ପଛକୁ ହଟିନଥିଲେ । ଯାହାର ଫଳ ସାରା ଦେଶକୁ ମିଳିଛି ।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ଶାନ୍ତିପୂର୍ଣ୍ଣ ଭାବେ, ସଂକଳ୍ପ ଓ ନିଷ୍ଠାର ସହିତ ଜନ ପକ୍ଷଧର ହୋଇ ଆନ୍ଦୋଳନ କଲେ କ୍ଷମତାର ଅହଂକାର ନିଶ୍ଚୟ ଧରାଶାୟୀ ହେବ । ଚାଷୀମାନଙ୍କର ଏହି ବିଜୟ ଏକ ଐତିହାସିକ ବିଜୟ । ଚାଷୀମାନଙ୍କ ଏହି ବିଜୟରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଆମ ଦେଶର ଚାଷୀମାନଙ୍କ ଦୁର୍ଦ୍ଦଶାକୁ କେବଳ ଚାଷୀମାନଙ୍କ ସଙ୍ଗଠିତ ଶକ୍ତି ହିଁ ଦୂର କରିପାରିବ । କୌଣସି ରାଜନୈତିକ ଦଳ ଚାଷୀଙ୍କ ସହିତ ନଥିଲେ କି ଆଜି ବି ନାହାନ୍ତି । ଚାଷୀଙ୍କ ଭବିଷ୍ୟତ କେବଳ ଚାଷୀଙ୍କ ହାତରେ ହିଁ ଅଛି ବୋଲି ପ୍ରମାଣିତ ହୋଇଗଲା । ରାଜନୈତିକ ଦଳଙ୍କ ଇସ୍ତାହାର କି ପ୍ରତିଶ୍ରୁତି ନୁହେଁ, ସଙ୍ଗଠିତ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଦୀର୍ଘକାଳୀନ ଲଢ଼େଇ ହିଁ ଚାଷୀଙ୍କୁ କ୍ରମାଗତ ଦୁର୍ଦ୍ଦଶାରୁ ମୁକ୍ତି ଦେଇପାରିବ ।

ଚାଷୀମାନଙ୍କର ଧୈର୍ଯ୍ୟର ପରୀକ୍ଷା ନେଉଥିବା କେନ୍ଦ୍ର ସରକାର ହଠାତ୍ ଏପରି ଚାଷୀଙ୍କ ଦାବୀକୁ ମାନିନେଇ ଆଇନ୍ ତିନୋଟିକୁ ପ୍ରତ୍ୟାହାର କରିବା ପଛରେ ଅସଲ ଉଦ୍ଦେଶ୍ୟ ନିକଟ ଭବିଷ୍ୟତରେ ଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ବୋଲି କୁହାଯାଉଛି । ଯଦିଓ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଚାଷୀମାନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି, କିନ୍ତୁ ମୋଦିଙ୍କର ଏହି ଘୋଷଣା ପଛରେ ନିଶ୍ଚିତ ଭାବେ ଉତ୍ତର ପ୍ରଦେଶ ଓ ପଞ୍ଜାବ ନିର୍ବାଚନର ଗନ୍ଧ ରହିଛି । ନିକଟ ଅତୀତରେ ହିମାଚଳ ପ୍ରଦେଶ, ରାଜସ୍ଥାନ, ପଞ୍ଜାବରେ ହୋଇଥିବା ଉପନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ ବିଜେପି ବୁଝିଯାଇଥିଲା ଯେ କୃଷି ଆଇନ୍ ତିନୋଟିକୁ ନେଇ ଚାଷୀମାନଙ୍କ ଭିତରେ ପ୍ରଚୁର ଅସନ୍ତୋଷ ରହିଛି, ଯେଉଁଥିପାଇଁ ସେମାନଙ୍କ ପରାଜୟ ସାମ୍‌ନା କରିବାକୁ ପଡ଼ିଲା ।

Protesting Farmers gather at Singhu border during the demonstration against newly passed farm bills in Delhi.
Thousands of farmers from various states march towards the India capital to protest against newly passed farm bills they say will severely hurt their incomes, according to farmers union

ଏତଦ୍‌ବ୍ୟତୀତ ୨୦୧୯ ନିର୍ବାଚନରେ ବିଜେପି ୪୪ ପ୍ରତିଶତ ଚାଷୀଙ୍କର ଭୋଟ୍ ପାଇଥିଲା । ଅନ୍ୟ ବାକି ବୃତ୍ତିର ଲୋକମାନଙ୍କର ୪୩ ପ୍ରତିଶତ ଭୋଟ ପାଇଥିଲା । ଅର୍ଥାତ ସର୍ବାଧିକ ଚାଷୀମାନଙ୍କର ଭୋଟ୍ କେବଳ ବିଜେପିକୁ ଯାଇଥିଲା । ଉପନିର୍ବାଚନରେ ପରାଜୟ ପରେ ବିଜେପିର ରଣନୀତିକାର ମାନେ ବୁଝିଯାଇଥିଲେ ଯେ, ଚାଷୀମାନଙ୍କୁ ଅସନ୍ତୁଷ୍ଟ କରି ଉତ୍ତର ପ୍ରଦେଶ, ରାଜସ୍ଥାନ, ପଞ୍ଜାବ ଏପରିକି ୨୦୨୪ ନିର୍ବାଚନ ଜିତି ହେବ ନାହିଁ । ତେଣୁ ଅନ୍ୟ ଶବ୍ଦରେ କହିଲେ ମୋଦିଙ୍କ ପାଖରେ କୃଷି ଆଇନ୍‌ ତିନୋଟିକୁ ପ୍ରତ୍ୟାହାର କରିବା ବ୍ୟତୀତ ଆଉ କୌଣସି ଉପାୟ ନଥିଲା । ଯାହାବି ହେଉ ସଂଘର୍ଷର ବିଜୟ ହେଲା ଓ କ୍ଷମତାର ଅହଙ୍କାର ହାର୍ ମାନିଲା । ସାମଗ୍ରିକ ଦୃଷ୍ଟିକୋଣରୁ ଦେଖିଲେ ଏହା ଗଣତନ୍ତ୍ରର ବିଜୟ । କିନ୍ତୁ କେନ୍ଦ୍ର ସରକାର ଚାହିଁଥିଲେ, ଆହୁରି ପୂର୍ବରୁ ଏପରି କରିପାରିଥାନ୍ତେ ବା ଆଇନ୍‌ ତିନୋଟିକୁ ଆଣିବା ପୂର୍ବରୁ ଚାଷୀ ଓ ଚାଷୀ ସଙ୍ଗଠନ ମାନଙ୍କ ସହିତ ବିଚାର ବିମର୍ଶ କରିପାରିଥାନ୍ତେ । ଏହା ଆହୁରି ଅଧିକ ଗଣତାନ୍ତ୍ରିକ ହୋଇଥାନ୍ତା ଓ ଆମ ଗଣତନ୍ତ୍ରର ପରିପକ୍ୱତାର ପରିଚୟ ଆହୁରି ପ୍ରସାରିତ ହୋଇଥାନ୍ତା ।

କିଛି ଅର୍ଥନୀତିଜ୍ଞ ଓ ସାମ୍ବାଦିକମାନେ ଏବେ ବି କହୁଛନ୍ତି ଯେ, କୃଷି ଆଇନ୍ ତିନୋଟିକୁ ପ୍ରତ୍ୟାହାର କରିବାରୁ କୃଷି କ୍ଷେତ୍ରରେ ସଂସ୍କାରର ବାଟ ବନ୍ଦ ହୋଇଗଲା । କିନ୍ତୁ ଏହା ବୁଝି ରଖିବା ଦରକାର ଯେ, କୃଷି କ୍ଷେତ୍ରକୁ ବଡ଼ ବଡ଼ କର୍ପୋରେଟ୍‌ମାନଙ୍କ ପ୍ରବେଶ କରାଇବା ସଂସ୍କାର ନୁହେଁ । ଏହା ପ୍ରକାରାନ୍ତରେ କେବଳ ଚାଷୀଙ୍କର ହିଁ କ୍ଷତି କରିବ ଓ କମ୍ପାନୀମାନଙ୍କୁ ଲାଭ ପ୍ରଦାନ କରିବ । ଏହି କୃଷି ଆଇନ୍ ତିନୋଟି କେବେ ବି ଏକ ସଂସ୍କାର ନଥିଲା । ବରଂ ଚାଷୀମାନଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ଥିଲା । ଯାହାକୁ ଚାଷୀମାନେ ବୁଝିପାରିଥିଲେ ଓ ତା ବିରୁଦ୍ଧରେ ସଂଗ୍ରାମ କରିଥିଲେ । ଏହି ଆଇନ୍‌ ତିନୋଟି ଦ୍ୱାରା ଚାଷୀମାନଙ୍କ ଦୁର୍ଦ୍ଦଶା ବଢ଼ିଥାନ୍ତା ଓ କମ୍ପାନୀମାନେ କୃଷିଜାତ ଦ୍ରବ୍ୟର କ୍ରୟ ବିକ୍ରୟରେ ପ୍ରବେଶ କରି ହଜାର ହଜାର କୋଟି ଟଙ୍କା ମୁନାଫା ଲୁଟିଥାନ୍ତେ । ଏମିତି ପୂର୍ବରୁ ଆମେରିକା ଓ ୟୁରୋପର ଅନ୍ୟାନ୍ୟ ଦେଶମାନଙ୍କରେ ହୋଇସାରିଛି । ସେଠାରେ ଆଉ କୌଣସି ଛୋଟ ଚାଷୀ ନାହାନ୍ତି । କେବଳ ବହୁତ ବଡ଼ ଜମି ମାଲିକ ଅଛନ୍ତି ନହେଲେ କମ୍ପାନୀ ହାତରେ ଚାଷ ଅଛି ।

Contract Farming Farmers Struggle For  Register An Case Against The Company Farm Laws

କିଛି ଅର୍ଥନୀତିଜ୍ଞ ଓ ସାମ୍ବାଦିକମାନେ ଏବେ ବି କହୁଛନ୍ତି ଯେ, କୃଷି ଆଇନ୍ ତିନୋଟିକୁ ପ୍ରତ୍ୟାହାର କରିବାରୁ କୃଷି କ୍ଷେତ୍ରରେ ସଂସ୍କାରର ବାଟ ବନ୍ଦ ହୋଇଗଲା । କିନ୍ତୁ ଏହା ବୁଝି ରଖିବା ଦରକାର ଯେ, କୃଷି କ୍ଷେତ୍ରକୁ ବଡ଼ ବଡ଼ କର୍ପୋରେଟ୍‌ମାନଙ୍କ ପ୍ରବେଶ କରାଇବା ସଂସ୍କାର ନୁହେଁ । ଏହା ପ୍ରକାରାନ୍ତରେ କେବଳ ଚାଷୀଙ୍କର ହିଁ କ୍ଷତି କରିବ ଓ କମ୍ପାନୀମାନଙ୍କୁ ଲାଭ ପ୍ରଦାନ କରିବ । ଏହି କୃଷି ଆଇନ୍ ତିନୋଟି କେବେ ବି ଏକ ସଂସ୍କାର ନଥିଲା । ବରଂ ଚାଷୀମାନଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ଥିଲା । ଯାହାକୁ ଚାଷୀମାନେ ବୁଝିପାରିଥିଲେ ଓ ତା ବିରୁଦ୍ଧରେ ସଂଗ୍ରାମ କରିଥିଲେ । ଏହି ଆଇନ୍‌ ତିନୋଟି ଦ୍ୱାରା ଚାଷୀମାନଙ୍କ ଦୁର୍ଦ୍ଦଶା ବଢ଼ିଥାନ୍ତା ଓ କମ୍ପାନୀମାନେ କୃଷିଜାତ ଦ୍ରବ୍ୟର କ୍ରୟ ବିକ୍ରୟରେ ପ୍ରବେଶ କରି ହଜାର ହଜାର କୋଟି ଟଙ୍କା ମୁନାଫା ଲୁଟିଥାନ୍ତେ । ଏମିତି ପୂର୍ବରୁ ଆମେରିକା ଓ ୟୁରୋପର ଅନ୍ୟାନ୍ୟ ଦେଶମାନଙ୍କରେ ହୋଇସାରିଛି । ସେଠାରେ ଆଉ କୌଣସି ଛୋଟ ଚାଷୀ ନାହାନ୍ତି । କେବଳ ବହୁତ ବଡ଼ ଜମି ମାଲିକ ଅଛନ୍ତି ନହେଲେ କମ୍ପାନୀ ହାତରେ ଚାଷ ଅଛି ।

Paddy Procurement Token Problem, Farmers In Doubt What To Do

ବିବାଦୀୟ କୃଷି ଆଇନ୍ ତିନୋଟିର ପ୍ରତ୍ୟାହାର ଏକ ବିଜୟ ହୋଇପାରେ କିନ୍ତୁ ଏହା ହେଉଛି କେବଳ ଅଧା ଜିତା ହୋଇଥିବା ଏକ ଲଢ଼େଇ । ଚାଷୀମାନଙ୍କୁ ନିଜର ଭାଗ୍ୟ ବଦଳେଇବା ପାଇଁ ଆହୁରି ଆଗକୁ ଯିବାକୁ ହେବ । କେବଳ ଏହି ଆଇନ ତିନୋଟିର ପ୍ରତ୍ୟାହାର ନୁହେଁ, ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦନର ଉଚିତ୍ ମୂଲ୍ୟ ପାଇଁ ଲଢ଼େଇ କରିବାକୁ ହେବ । ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ସାରା ଦେଶରେ କଡ଼ାକଡ଼ି କରି ଲାଗୁ କରିବାକୁ ହେବ । ଏଥିପାଇଁ ସରକାରଙ୍କୁ ଦୃଢ଼ ଆଇନ୍ ଆଣିବାକୁ ହେବ ଓ ଆଇନ୍ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଉଦାହାରଣ ପ୍ରସ୍ତୁତ କରିବାକୁ ହେବ । ଆମ ଦେଶର ଚାଷୀମାନେ ଉତ୍ପାଦନକୁ ବାହାର ବଜାରରେ ବିକ୍ରି କରି ସର୍ବନିମ୍ନ ସହାୟକ ମୂଲ୍ୟର ହାରାହାରି ୪୦ ପ୍ରତିଶତ କମ୍ ମୂଲ୍ୟ ପାଉଛନ୍ତି । ମୂଖ୍ୟତଃ ଧାନ ଓ ଗହମ କ୍ଷେତ୍ରରେ ହିଁ କିଛି ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ ପାଉଛନ୍ତି । ଯଦିଓ ଅନ୍ୟ ୨୩ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ସରକାର ଘୋଷଣା କରୁଛନ୍ତି, କିନ୍ତୁ ଚାଷୀମାନେ ପ୍ରାୟତଃ ତାହା ପାଉନାହାନ୍ତି । ତେଣୁ ଏହି ସମସ୍ୟାର ସମାଧାନ କରିବା ପାଇଁ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଆଇନ୍ ଆଣିବା ପାଇଁ ଲଢ଼େଇ ଲଢ଼ିବାକୁ ହେବ ।

ଏତଦ୍‌ବ୍ୟତୀତ ସମ୍ପତି ଉତ୍ପାଦନର ଯାହା ବି ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରାଯାଉଛି, ତାହା ଅତ୍ୟନ୍ତ କମ୍ । ଏପରିକି ଉତ୍ପାଦନରେ ହେଉଥିବା ଖର୍ଚ୍ଚକୁ ବି ଭରଣା କରିବାକୁ ସର୍ବନିମ୍ନ ସହାୟକ ମୂଲ୍ୟ ସକ୍ଷମ ହୋଇପାରୁନାହିଁ । ଚାଷରେ ହେଉଥିବା ଖର୍ଚ୍ଚକୁ ଦୃଷ୍ଟିରେ ରଖି ସର୍ବନିମ୍ନ ସହାୟକ ମୂଲ୍ୟକୁ ଏକ ଯୁକ୍ତିଯୁକ୍ତ ନ୍ୟାୟପୂର୍ଣ୍ଣ ସ୍ତରକୁ ଆଣିବାକୁ ହେବ । ଆଜି ସବୁ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଓ ସେବାର ଦରଦାମ୍ ଆକାଶ ଛୁଇଁଛି । ଏପରି ପରିସ୍ଥିତିରେ ଚାଷୀଟିଏ ଏତେ କମ୍ ସର୍ବନିମ୍ନ ସହାୟକ ମୂଲ୍ୟରେ ନିଜ ପରିବାର ପ୍ରତିପୋଷଣ କରିବାକୁ ସକ୍ଷମ ହୋଇପାରୁନି । ତେଣୁ ପରବର୍ତ୍ତୀ ଲଢ଼େଇ ଏକ ନ୍ୟାୟପୂର୍ଣ୍ଣ ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ହେବାର ଆବଶ୍ୟକତା ରହିଛି । ସର୍ବନିମ୍ନ ସହାୟକ ମୂଲ୍ୟକୁ ଚାଷୀମାନଙ୍କର ଏକ ଆଇନ୍‌ଗତ ଅଧିକାର ବୋଲି ମାନ୍ୟତା ଦେବାକୁ ହେବ । ୨୦୧୬ର ଅର୍ଥନୈତିକ ସର୍ଭେ ଅନୁସାରେ ଆମ ଦେଶର ୧୭ଟି ରାଜ୍ୟର ଚାଷୀମାନଙ୍କର ବାର୍ଷିକ ହାରାହାରି ରୋଜଗାର ମାତ୍ର ୨୦ ହଜାର ଟଙ୍କା । ଅନ୍ୟ ଅର୍ଥରେ କହିଲେ ଦେଶର ଅଧାରୁ ଅଧିକ ଚାଷୀ ମାସିକ ମାତ୍ର ୧୭୦୦ ଟଙ୍କାରେ ଜୀବନଧାରଣ କରୁଛନ୍ତି । ଏଥିରୁ ଅନୁମାନ କରାଯାଇପାରେ ମାତ୍ର ୧୭୦୦ ଟଙ୍କାରେ ଚାଷୀଟିଏ ନିଜ ପରିବାରର ଯାବତୀୟ ଆବଶ୍ୟକତାକୁ କିପରି ପୁରଣ କରୁଥିବ । ନିକଟ ଅତୀତରେ ହୋଇଥିବା ‘ସିଚୁଏସନ୍ ଆସେଶମେଂଟ ସର୍ଭେ-୨୦୧୯’ର ତଥ୍ୟ ଆମ ଦେଶର ଚାଷବାସର ଆହୁରି ଭୟଙ୍କର ପରିସ୍ଥିତିକୁ ବଖାଣୁଛି ।

ଏହି ସର୍ଭେ ଅନୁସାରେ ଜଣେ ଚାଷୀ ଅଣଚାଷ ରୋଜଗାରକୁ ଛାଡ଼ିଦେଲେ, କେବଳ ଚାଷରୁ ଦୈନିକ ମାତ୍ର ୨୭ଟଙ୍କା ରୋଜଗାର କରୁଛି । ଆମେ ସମସ୍ତେ ଜାଣିଛେ ଦୈନିକ ମଜୁରୀର ଦାମ୍ ମଧ୍ୟ ଏହା ଠାରୁ ଯଥେଷ୍ଟ ଅଧିକ । ଆମେ ଭୂଲିଯିବା ଉଚିତ୍ ନୁହେଁ ଯେ, ଠିକ୍ ଏହି ସମୟରେ ଆମ ଚାଷୀମାନେ ରେକର୍ଡ଼ ପରିମାଣର ୩୦୮ ମିଲିଅନ୍‌ ଟନ୍ ଖାଦ୍ୟ ଶସ୍ୟ ଅମଳ କରିଛନ୍ତି । ୩୨୫ ମିଲିଅନ୍ ଟନ୍ ଫଳ ଓ ପନିପରିବା ଉତ୍ପାଦନ କରିଛନ୍ତି । ‘ଖାଦ୍ୟ ଓ କୃଷି ସଂଗଠନ’ ଦ୍ୱାରା ମାର୍ଚ୍ଚ ୨୦୨୧ରେ ଜାରି ହୋଇଥିବା ଏକ ରିପୋର୍ଟ ଅନୁସାରେ ଭାରତର ଖାଦ୍ୟ ଦ୍ରବ୍ୟ ଉତ୍ପାଦନର ସମୁଦାୟ ମୂଲ୍ୟ ୪୦ କୋଟି ୭ ଲକ୍ଷ ୨୨ ହଜାର ୨୫ ମିଲିଅନ ଡଲାର । ଏଠାରେ ପୁନଶ୍ଚ ପ୍ରଶ୍ନ ଉଠୁଛି ଅର୍ଥନୈତିକ ଭାବେ ଦେଶକୁ ଏପରି ଭାବେ ସମୃଦ୍ଧ କରୁଥିବା ଚାଷୀକୂଳ ଦାରିଦ୍ର୍ୟ ମଧ୍ୟରେ ଜୀବନ ଯାପନ କରିବେ କାହିଁକି? ଚାଷୀମାନଙ୍କ ପ୍ରତି କ’ଣ ସରକାରଙ୍କର କିଛି ଉତରଦାୟିତ୍ୱ ନାହିଁ? ସଂସ୍କାର କହିଲେ କ’ଣ କେବଳ ଚାଷୀମାନଙ୍କୁ ବିଦେଶୀ କମ୍ପାନୀଙ୍କ ପାଖରେ ବନ୍ଧା ପକେଇ ଦେବା! ଏତଦ୍‌ବ୍ୟତୀତ ଚାଷୀମାନଙ୍କର ସାମ୍ପ୍ରତିକ ଦୁର୍ଦ୍ଦଶାରୁ ମୁକ୍ତି ଦେବା ପାଇଁ ତଥା ଚାଷୀମାନଙ୍କୁ ଦୀର୍ଘ ବର୍ଷ ହେବ ସେମାନଙ୍କର ପରିଶ୍ରମ ଓ ଉତ୍ପାଦନର ଉଚିତ୍ ମୂଲ୍ୟ ନଦେଇ ଯେଉଁ ଐତିହାସିକ ଅନ୍ୟାୟ କରାଯାଇଛି ତାହାକୁ ଭରଣା କରିବା ପାଇଁ ଆଗାମୀ କିଛି ବର୍ଷ ପାଇଁ ଚାଷୀମାନଙ୍କ ପାଇଁ ଏକ ମାସିକ ରୋଜଗାର ଗ୍ୟାରେଂଟିର ବ୍ୟବସ୍ଥା କରିବାକୁ ହେବ । ସରକାର ନଭାବନ୍ତୁ ଯେ, ଚାଷୀମାନଙ୍କ ପାଇଁ ରୋଜଗାର ଗ୍ୟାରେଂଟି ବ୍ୟବସ୍ଥା କରିବା ଏକ ବାଜେ ଖର୍ଚ୍ଚ । ସରକାର ଯଦି ଅର୍ଥନୀତିକୁ
ସୁଧାରିବା ପାଇଁ କମ୍ପାନୀମାନଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କା ଋଣ ଛାଡ଼ କରୁଛନ୍ତି, ଧନୀକମାନଙ୍କୁ ଟିକସ ଛାଡ଼ କରୁଛନ୍ତି, ବ୍ୟାଙ୍କମାନଙ୍କୁ ଦେବାଳିଆରୁ ବଞ୍ଚାଇବା ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଦେଉଛନ୍ତି, ତେବେ ଚାଷୀମାନଙ୍କ ପାଇଁ ଏକ ରୋଜଗାର ଗ୍ୟାରେଣ୍ଟିର ବ୍ୟବସ୍ଥା କରାଯିବ ନାହିଁ କାହିିଁକି? ଏ ସମସ୍ତଙ୍କ ଅପେକ୍ଷା ଆମ ଅର୍ଥନୀତିକୁ ଚାଷୀଙ୍କର ଅବଦାନ କ’ଣ ଏତେ କମ୍‌! ଏଥି ସହିତ ଚାଷୀମାନଙ୍କୁ ଚାଷ କ୍ଷେତ୍ରରେ ବାହ୍ୟ ନିର୍ଭରଶୀଳତା କମ୍ କରିବାକୁ ହେବ । ବିହନ, ସାର ଓ ଅନ୍ୟାନ୍ୟ କୃଷି କର୍ମ ପାଇଁ ଚାଷୀମାନଙ୍କୁ ବାହ୍ୟନିର୍ଭରଶୀଳତା କମ୍ କରିବାକୁ ହେବ । ପରିଣାମସ୍ୱରୁପ ଚାଷୀମାନେ ସ୍ୱାବଲମ୍ବନଶୀଳ ହୋଇପାରିବେ । ଏକ ସ୍ୱାବଲମ୍ବନଶୀଳ ଚାଷୀକୂଳ ହିଁ
ସ୍ୱାବଲମ୍ବନଶୀଳ ଦେଶ ନିର୍ମାଣ କରିପାରିବେ । ଏହା ହିଁ ଅସଲରେ ଚାଷୀମାନଙ୍କର ବାସ୍ତବିକ ବିକାଶ ହେବ ।

ଚାଷୀଙ୍କର ଏ ଲଢ଼େଇକୁ ସେହିଯାଏ ନେବାକୁ ହେବ । ଏ ଲଢ଼େଇ କେବଳ ରାଜରାସ୍ତାରେ ସୀମିତ ନରହି, ଏହା କୃଷି କ୍ଷେତ୍ରରୁ ଆରମ୍ଭ ହୋଇ ବ୍ୟାପକ ରାଜନୀତିକୁ ପ୍ରଭାବିତ କରିବା ପରି ଦୃଢ଼ ହେବାର ଆବଶ୍ୟକତା ରଖୁଛି ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪

Comments are closed.