ନୂଆଦିଲ୍ଲୀ: ଆମେ ଭାରତରେ ସାଧାରଣତଃ ରିଜର୍ବ ବ୍ୟାଙ୍କ ଦ୍ୱାରା ମୁଦ୍ରିତ ହୋଇଥିବା ୧ଟଙ୍କାରୁ ୨ହଜାର ଟଙ୍କା ପର୍ଯ୍ୟନ୍ତ ନୋଟଗୁଡ଼ିକୁ ବ୍ୟବହାର କରୁ। ହେଲେ ଆଶ୍ଚର୍ଯ୍ୟର କଥା ଆମ ଦେଶରେ ଶୂନ ଟଙ୍କିଆ ନୋଟ୍ ଛପା ଯାଇଥିଲା । ଶୂନ ଟଙ୍କିଆ ନୋଟ୍ କଥା ଶୁଣିଲେ ହୁଏତ ଆପଣ ଚକିତ ହୋଇପାରନ୍ତି କିନ୍ତୁ ଘଟଣାଟି ସତ । ଆସନ୍ତୁ ଜାଣିବା ଏହି ନୋଟ୍ ଆମ ଦେଶରେ କାହିଁକି ଛପା ଯାଇଥିଲା । କିଏ ଛାପିଥିଲା ଏବଂ ଏହି ନୋଟ୍ ଛାପିବାର ଉଦ୍ଦେଶ୍ୟ କ’ଣ ଥିଲା ।
ମହାତ୍ମା ଗାନ୍ଧିଙ୍କ ଫୋଟ ଲାଗି ଅନ୍ୟ ନୋଟ୍ ଭଳିଆ ଦେଖାଯାଉଥିବା ଶୂନ ଟଙ୍କିଆ ନୋଟ୍ କିଛି ବର୍ଷ ତଳେ ଛପା ଯାଇଥିଲା । ଏହି ଶୂନ ଟଙ୍କିଆ ନୋଟକୁ ଦକ୍ଷିଣ ଭାରତର ଏକ ଏନଜିଓ ଛାପିଥିଲା । ଦୁର୍ନୀତି ବିରୋଧରେ କାର୍ଯ୍ୟ କରିବା ପାଇଁ ତାମିଲନାଡୁରେ କାର୍ଯ୍ୟ କରୁଥିବା ଏନଜିଓ ସଂସ୍ଥାଟି ୨୦୦୭ ମସିହାରେ ୫ଲକ୍ଷ ଶୂନ ଟଙ୍କିଆ ନୋଟ୍ ଛାପିଥିଲା । ଏହି ନୋଟ୍ ଗୁଡ଼ିକ ହିନ୍ଦି, ତେଲୁଗୁ, କନ୍ନଡ଼ ଏବଂ ମାଲାୟାଲମ୍ ଭାଷାରେ ମୁଦ୍ରିତ ହୋଇଥିଲା ।
ଦୁର୍ନୀତି ବିରୋଧରେ ଏହି ନୋଟ୍ ଉପରେ ଅନେକ ବାର୍ତ୍ତା ଲେଖା ଯାଇଥିଲା । ଏହି ନୋଟ୍ ଗୁଡ଼ିକରେ ଲେଖାଯାଇଥିଲା ‘ଦୁର୍ନୀତି ଶେଷ କର’ । ‘ଯଦି କେହି ଲାଞ୍ଚ ମାଗୁଛି ତେବେ ଏହି ନୋଟ୍ ତାଙ୍କୁ ଦିଅନ୍ତୁ, ପରେ ଆମକୁ ଖବର ଦିଅନ୍ତୁ । ଏହି ନୋଟରେ ମହାତ୍ମା ଗାନ୍ଧିଙ୍କ ଫୋଟ ସହିତ ଏନଜିଓ ସଂସ୍ଥାର ଫୋନ ନମ୍ବର, ଇ-ମେଲ୍ ଦିଆଯାଇଥିଲା ।
ଏନଜିଓ ହିଁ ଏହି ଶୂନ ଟଙ୍କିଆ ନୋଟ୍ ଛାପି ଲାଞ୍ଚ ମାଗୁଥିବା ଲୋକଙ୍କୁ ଦେଉଥିଲେ । ଶୂନ ଟଙ୍କିଆ ନୋଟ୍ ଦୁର୍ନୀତି ବିରୋଧରେ ଏକ ପ୍ରତୀକ ଥିଲା ।
Comments are closed.