Latest Odisha News

BREAKING NEWS

ବାତ୍ୟା ‘ଫନି’ ପ୍ରଭାବରେ ୪ଟି ଜିଲ୍ଲାର ତଳିଆ ଅଞ୍ଚଳକୁ ମାଡି ଆସିବ ସମୁଦ୍ର ପାଣି: ପାଣିପାଗ ବିଭାଗ

ଭୁବନେଶ୍ୱର : ସାମୁଦ୍ରିକ ଝଡ ଫନି ସିଭିୟର୍ ସାଇକ୍ଲୋନିକ୍ ରୂପ ନେଇ ଓଡିଶା ଆଡକୁ ମାଡି ଆସୁଥିବାବେଳେ ଭାରତୀୟ ପାଣିପାଗ ବିଭାଗର ରାଡର୍ ସହାୟତାରେ ଟ୍ରାକ୍ କରାଯାଉଅଛି ।

ପାଣିପାଗ ବିଭାଗରୁ ଜାରି ସୂଚନାନୁଯାୟୀ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୫କିମି ବେଗରେ ପୁନଶ୍ଚ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତିକରି ଗୁରୁବାର ସକାଳ ୮.୩୦ ସୁଦ୍ଧା ପୁରୀଠାରୁ ୪୨୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ, ବିଶାଖାପାଟଣାଠାରୁ ୨୧୦କିମି ଦକ୍ଷିଣ-ଦକ୍ଷିଣପୂର୍ବ ଏବଂ ଦିଘାଠାରୁ ୬୧୦ କିମି ଦକ୍ଷିଣ-ଦକ୍ଷିଣପୂର୍ବରେ କେନ୍ଦ୍ରିଭୂତ ରହିଛି ।

ଏହା ଉତର-ଉତରପୁର୍ବ ଦିଗରେ ଗତିକରି ମେ ୩ ଅପରାହ୍ନରେ ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ପୁରୀ ପାଶ୍ୱର୍ ଦେଇ ଓଡିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ବୃଦ୍ଧିପାଇ ଘଂଟାପ୍ରତି ୧୭୦-୧୮୦କିମି ରହିବ ଏବଂ ସର୍ବାଧିକ ୨୦୦କିଲୋମିଟର ଛୁଇଁବାର ସମ୍ଭାବନା ରହିଛି ।

ବିଶାଖାପାଟଣା ଓ ମଛଲିପଟନମଠାରେ ଏହି ବାତ୍ୟାକୁ ଡପଲର ପାଣିପାଗ ରାଡାର ସହାୟତାରେ ଟ୍ରାକ କରାଯାଉଛି ।

ଏହାର ପ୍ରଭାବରେ ଗୁରୁବାର ଓଡିଶାର ଦକ୍ଷିଣ ଉପକୂଳ ଏବଂ ଏହାର ନିକଟବର୍ତୀ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ କେତେକ ସ୍ଥାନରେ (ଗଞ୍ଜାମ ଓ ଗଜପତି ଜିଲ୍ଲା) ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଆହୁରି ମଧ୍ୟ ଶୁକ୍ରବାର ବର୍ଷାର ବେଗ ବୃଦ୍ଧି ପାଇବ ଏବଂ ଉପକୂଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ଏବଂ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଶନିବାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ ଉତର ଓଡିଶାର ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ଗୁରୁବାର ରାତିରୁ ଝଡର ପ୍ରଭାବରେ ପବନର ବେଗ ଘଂଟାପ୍ରତି ୬୦-୭୦ କିମି ବେଗରେ ଆରମ୍ଭ ହୋଇ କ୍ରମେ ଏହା ସର୍ବାଧିକ ୮୫ କିମିରେ ପହଂଚିବାର ସମ୍ଭାବନା ରହିଛି । ଶୁକ୍ରବାର ଅପରାହ୍ନରୁ ପରବର୍ତୀ ୧୨ ଘଂଟା ଧରି ଓଡିଶାର ଦକ୍ଷିଣ ଉପକୂଳରେ ପବନର ବେଗ ଘଂଟାପ୍ରତି ୧୭୦-୧୮୦ କିମିରୁ ଆରମ୍ଭ ହୋଇ ସର୍ବାଧିକ ୨୦୦କିମିରେ ପହଂଚିବାର ସମ୍ଭାବନା ରହିଛି । ଅନ୍ୟ ଉପକୂଳବର୍ତୀ ଜିଲ୍ଲାମାନଙ୍କରେ ପବନର ବେଗ ଘଂଟାପ୍ରତି ୯୦-୧୦୦କିମି ବେଗରୁ ଆରମ୍ଭ ହୋଇ ସର୍ବାଧିକ ୧୧୫କିମିରେ ପହଂଚିବାର ସମ୍ଭାବନା ରହିଛି ।

ମେ ୨ରୁ ୪ ମଧ୍ୟରେ ଓଡିଶା ଉପକୂଳରେ ସମୁଦ୍ର ପ୍ରବଳ ଅଶାନ୍ତ ରହିବ ଏବଂ ପ୍ରାୟ ୧.୫ ମିଟର ଉଚ୍ଚତାରେ ଜୁଆର ଉଠିବ । ଝଡ ସ୍ଥଳଭାଗ ଛୁଇଁବା ସମୟରେ ଜୁଆରର ଉଚ୍ଚତା ବୃଦ୍ଧି ପାଇବ ଏବଂ ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାମାନଙ୍କର ତଳିଆ ଅଂଚଳକୁ ସମୁଦ୍ର ପାଣି ମାଡି ଆସିବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ମେ ୧ରୁ ୪ ମଧ୍ୟରେ ସମୁଦ୍ର ମଧ୍ୟକୁ ଡ଼ଙ୍ଗା ନେଇ ଯିବା ପାଇଁ ମତ୍ସ୍ୟଜୀବିମାନଙ୍କୁ ବାରଣ କରାଯାଇଛି । ଯେଉଁମାନେ ପୂର୍ବରୁ ସମୁଦ୍ର ମଧ୍ୟକୁ ଯାଇଛନ୍ତି ସେମାନଙ୍କୁ ଯଥାଶୀଘ୍ର ଫେରିଆସିବା ପାଇଁ ମଧ୍ୟ ସତର୍କ କରାଯାଇଛି ।

Leave A Reply

Your email address will not be published.