Latest Odisha News

BREAKING NEWS

ସୁନ୍ଦରଗଡର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଓ ଗବେଷଣା ମନୋଭାବ ସୃଷ୍ଟି କରିବ ଆଧୁନିକ ବିଜ୍ଞାନାଗାର

ସୁନ୍ଦରଗଡ: ରାଜ୍ୟ ସରକାରଙ୍କ ୫-ଟି ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ସ୍କୁଲ ଭିତ୍ତିଭୂମିର ସାମଗ୍ରିକ ବିକାଶ କରାଯିବା ସହ ସ୍ମାର୍ଟ କ୍ଲାସରୁମ, ଇ- ଲାଇବ୍ରେରୀ, ଆଧୁନିକ ବିଜ୍ଞାନାଗାର, ସ୍ୱଚ୍ଛ ଶୌଚାଳୟ ଏବଂ ଖେଳପଡ଼ିଆ ଆଦିର ଉନ୍ନତିକରଣ କରାଯାଉଛି । ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ଭିତରେ ବିଜ୍ଞାନ ପ୍ରତି ଆଗ୍ରହ ଓ ବୈଜ୍ଞାନିକ ଚିନ୍ତାଧାରା ସୃଷ୍ଟି କରିବା ପାଇଁ ଆଧୁନିକ ବିଜ୍ଞାନାଗାର ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି ।

“ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତର କ୍ୟାରିଅର ସ୍ୱପ୍ନ ପୂରଣ କରିବା ପାଇଁ ଆମେ ହାଇସ୍କୁଲ ସ୍ତରରୁ ଉଦ୍ୟମ କରୁଛୁ। ଯେଉଁ ଛାତ୍ରଛାତ୍ରୀମାନେ ବିଜ୍ଞାନକୁ ନେଇ କ୍ୟାରିଅର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ରୂପାନ୍ତରିତ ହାଇସ୍କୁଲରେ ଏସ.ଟି.ଇ.ଏମ୍ ମଡେଲର (ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ମାଥମେଟିକ୍ସ) ଆଧୁନିକ ବିଜ୍ଞାନାଗାର ତିଆରି କରିଛୁ। ପିଲାମାନଙ୍କୁ ଉପଯୁକ୍ତ ବିଜ୍ଞାନ ଶିକ୍ଷା ଦେବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଛାତ୍ରଛାତ୍ରୀମାନେ ବହି ପାଠ ସହିତ ପ୍ରାକ୍ଟିକାଲ କ୍ଲାସର ସୁବିଧା ପାଉଛନ୍ତି । ଏହି ଆଧୁନିକ ବିଜ୍ଞାନାଗାର ଛାତ୍ରଛାତ୍ରୀମାନଙ୍କ କ୍ୟାରିଅରକୁ ନୂଆ ଦିଗ ଦେଖାଇବାରେ ବିଶେଷ ସହାୟକ ହୋଇପାରିବ”, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାଣିବା, ବୁଝିବା ଓ ନିଜେ ପରୀକ୍ଷା କରି ଦେଖିବାର ଜିଜ୍ଞାସାକୁ ବୃଦ୍ଧି କରିଥାଏ ବିଜ୍ଞାନ। ତେଣୁ ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ରୂପାନ୍ତରିତ ହାଇସ୍କୁଲରେ ଏସ.ଟି.ଇ.ଏମ୍ ମଡେଲରେ ଆଧୁନିକ ବିଜ୍ଞାନାଗାର କରାଯାଉଛି। ହାଇସ୍କୁଲ ସ୍ତରରୁ ଛାତ୍ରଛାତ୍ରୀମାନେ ଯେପରି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଓ ଗଣିତ ଆଦି ବିଷୟରେ ଭଲ ପ୍ରଦର୍ଶନ କରିବେ ସେ କ୍ଷେତ୍ରରେ ଏହି ଆଧୁନିକ ବିଜ୍ଞାନାଗାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ।

ହାଇସ୍କୁଲ ସ୍ତରରୁ ଛାତ୍ରଛାତ୍ରୀମାନଙ୍କ ଭିତରେ ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ମହାକାଶବିଜ୍ଞାନୀ, କୃଷି ବିଜ୍ଞାନୀ ଓ ଗବେଷକ ଆଦି ମନୋଭାବ ସୃଷ୍ଟି ପାଇଁ ଏଭଳି ପଦକ୍ଷେପ ନିଆଯାଉଛି। ପିଲାମାନଙ୍କ ବ୍ୟବହାର ପାଇଁ ଦୂରବୀକ୍ଷଣ ଓ ଅଣୁବୀକ୍ଷଣ ଯନ୍ତ୍ର, ମାନବ ଶରୀରର ମଡେଲ, ପ୍ଲାଣ୍ଟ ସେଲ୍ ମଡେଲ, ଆନିମଲ ସେଲ ମଡେଲ, ମେଟାଲ ସେପାରେଟର, ମୃର୍ତ୍ତିକା ପରୀକ୍ଷା ନିରୀକ୍ଷା ପାଇଁ ସଏଲ ଟେଷ୍ଟିଂ, ବିଭିନ୍ନ ରାସାୟନିକ ପ୍ରତିକ୍ରିୟା ବିଷୟରେ ପିଲାଙ୍କୁ ଜଣାଇବା ପାଇଁ ବିଭିନ୍ନ କେମିକାଲ ଦିଆଯାଉଛି। ସେହିପରି ରୋବୋଟିକ୍ସ କିଟ୍, ବୈଦ୍ୟୁତିକ ପରୀକ୍ଷଣ ପାଇଁ ଇଲେକଟ୍ରୋନିକ୍ କିଟ୍ ଭଳି ବିଭିନ୍ନ ଉପକରଣ ଯୋଗାଇ ଦିଆଯାଉଛି।

‘‘ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମ ମୋର ଆଦର୍ଶ। ତେଣୁ ମୁଁ ଭବିଷ୍ୟତରେ କଲାମଙ୍କ ଭଳି ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛି। ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଆମ ସ୍କୁଲରେ ଆଧିୁନିକ ବିଜ୍ଞାନାଗାର ନିର୍ମାଣ ହୋଇଥିବାରୁ ମୋର ଏହି ସ୍ୱପ୍ନ ପୂରଣ ହୋଇପାରିବ ବୋଲି ମୁଁ ଭାବୁଛି’’, କହନ୍ତି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଜ୍ୟୋତି କେର୍କେଟା ।

‘‘ଆଗରୁ ଆମ ସ୍କୁଲରେ ଭଲ ବିଜ୍ଞାନାଗାରଟିଏ ନଥିଲା। ଆମେ କେବଳ ବହି ପଢ଼ି ବିଜ୍ଞାନ ସମ୍ପର୍କିତ ଜ୍ଞାନ ଆହରଣ କରୁଥିଲୁ। ହେଲେ ଏବେ ୫-ଟି ଅଧୀନରେ ଆମ ସ୍କୁଲରେ ଆଧୁନିକ ବିଜ୍ଞାନାଗାର ହେବା ଫଳରେ ଆମେ ବିଭିନ୍ନ ବୈଜ୍ଞାନିକ ଉପକରଣ ପ୍ରୟୋଗ କରିପାରୁଛୁ। ବିଜ୍ଞାନ ପାଠ ମଧ୍ୟ ସହଜରେ ବୁଝି ହେଉଛି। ତେଣୁ ମୋର ଡାକ୍ତର ହେବାର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ଦୃଢ଼ ଆଶା ରହିଛି’’ କହନ୍ତି ଲେଫ୍ରିପଡ଼ା ବ୍ଲକ୍ କେସିପି ପଞ୍ଚାୟତ ହାଇସ୍କୁଲର ଛାତ୍ର ଓମକାରନାଥ କର।

‘‘ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ରୂପାନ୍ତରିତ ହାଇସ୍କୁଲରେ ଅତ୍ୟାଧୁନିକ ବିଜ୍ଞାନଗାର କରାଯାଇଛି। ଆଗରୁ ବିଜ୍ଞାନ କ୍ଲାସ ମୁଖ୍ୟତଃ କେବଳ ଥିଓରୀରେ ସୀମିତ ରହିଯାଉଥିଲା । ସ୍ୱତନ୍ତ୍ର ବିଜ୍ଞାନାଗାର ଓ ଉପକରଣ ନଥିବାରୁ ପିଲାମାନେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିପାରୁନଥିଲେ। ଏବେ କିନ୍ତୁ ହାଇସ୍କୁଲ ରୂପାନ୍ତରଣ କାର‌୍ୟ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଅନୁସାରେ ବିଭିନ୍ନ ବିଜ୍ଞାନ ଉପକରଣ ଦିଆଯାଇଛି। ଫଳରେ ପିଲାମାନେ ବିଜ୍ଞାନ ପ୍ରତି ଆକର୍ଷିତ ହେଉଛନ୍ତି। ଏହାଦ୍ୱାରା ସୁନ୍ଦରଗଡ଼ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ପିଲାମାନେ ନିଶ୍ଚୟ ସ୍ୱପ୍ନଦର୍ଶୀ ହେବେ’’, କହନ୍ତି ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ।

‘‘ବିଜ୍ଞାନର ବିଭିନ୍ନ ବିଷୟକୁ ଭଲ ଭାବେ ବୁଝିବା ପାଇଁ ପୂର୍ବରୁ ସ୍କୁଲଗୁଡ଼ିକରେ ସ୍ୱତନ୍ତ୍ର ବିଜ୍ଞାନାଗାର ଏବଂ ଆବଶ୍ୟକ ଉପକରଣ ନଥିଲା। ଫଳରେ ପିଲାମାନେ ବିଜ୍ଞାନ ପ୍ରତି ବିଶେଷ ଆଗ୍ରହ ଦେଖାଉନଥିଲେ। କେବଳ ପାଠକୁ ମୁଖସ୍ତ କରି ପରୀକ୍ଷାରେ ଲେଖୁଥିଲେ। ଏବେ କିନ୍ତୁ ବିଜ୍ଞାନର ୩ଟି ମୌଳିକ ବିଭାଗ, ଯଥା: ଭୌତିକ ବିଜ୍ଞାନ, ଜୀବ ବିଜ୍ଞାନ ଓ ରସାୟନ ବିଜ୍ଞାନର ବିଭିନ୍ନ ବିଷୟରେ ପିଲାଙ୍କୁ ପରଚିତ ଓ ଅଭ୍ୟସ୍ତ କରିବା ପାଇଁ ଏହି ଆଧୁନିକ ବିଜ୍ଞାନାଗାରରେ ବିଭିନ୍ନ ପ୍ରକାରର ବୈଜ୍ଞାନିକ ଉପକରଣ ଦିଆଯାଇଛି’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସୂରଜ ପ୍ରକାଶ ଚୌଧୁରୀ।

ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ଆଧୁନିକ ବିଜ୍ଞାନାଗାର କେବଳ ଛାତ୍ରଛାତ୍ରୀଙ୍କ ଭିତରେ ଆଗ୍ରହ ସୃଷ୍ଟି କରୁଛି ତାହା ନୁହେଁ, ବରଂ ଏହା ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତାକୁ ମଧ୍ୟ ବଢ଼ାଇ ଦେଉଛି। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଖରେ ଆବଶ୍ୟକ ବିଜ୍ଞାନ ଉପକରଣ ଆଜି ଥିବାରୁ ସେମାନେ ବିଭିନ୍ନ ଜଟିଳ ବିଷୟକୁ ପିଲାଙ୍କୁ ସହଜରେ ବୁଝାଇ ପାରୁଛନ୍ତି। ପ୍ରାକ୍ଟିକାଲ କ୍ଲାସରେ ସେମାନଙ୍କୁ ସହଯୋଗ କରିବାକୁ ଜଣେ କୋର୍ଡିନେଟର ରହିଥିବାରୁ ବିଜ୍ଞାନାଗାର ପରିଚାଳନା ସହଜ ହୋଇପାରିଛି।

ଆଗରୁ ଶିକ୍ଷକ ଶିକ୍ଷୟତ୍ରୀମାନେ ବିଜ୍ଞାନର ବିଭିନ୍ନ ବିଷୟକୁ କେବଳ କଳାପଟାରେ ଚିତ୍ର ଆଙ୍କି ପିଲାଙ୍କୁ ପଢ଼ାଉଥିଲେ। ଏବେ କିନ୍ତୁ ହାଇସ୍କୁଲ ରୂପାନ୍ତରଣ ଯୋଗୁଁ ସ୍ମାର୍ଟକ୍ଲାସ ରୁମରେ ସେମାନେ ପିପିଟି, ବିଭିନ୍ନ ପ୍ରକାର ଭିଡିଓ ଏବଂ ଆନିମେସନ ବ୍ୟବହାର କରି ପିଲାମାନଙ୍କୁ ପଢ଼ାଉଛନ୍ତି। ଫଳରେ ବିଜ୍ଞାନର ଥିଓରି କ୍ଲାସ ମଧ୍ୟ ଆଗ ଅପେକ୍ଷା ଅଧିକ ମନଯୋଗୀ ହୋଇପାରୁଛି।

‘‘ସୁନ୍ଦରଗଡ଼ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାମାନେ ଏହି ଅତ୍ୟାଧୁନିକ ବିଜ୍ଞାନାଗାର ହେବା ଦ୍ୱାରା ଏବେ ବଡ଼ ବଡ଼ ସ୍ୱପ୍ନ ଦେଖିବେ। ବିଜ୍ଞାନ ପ୍ରୟୋଗଶାଳା ସେମାନଙ୍କ ଭିତରେ ଥିବା ପ୍ରତିଭା ଓ ସର୍ଜନାତ୍ମକ ଦକ୍ଷତାକୁ ବଢ଼ାଇବ। ସେମାନଙ୍କ ଭିତରେ ପରୀକ୍ଷା ନିରୀକ୍ଷା କରିବା ଏବଂ ନୂଆ ନୂଆ କଥା ସୃଷ୍ଟି କରିବା ଲାଗି ଆଗ୍ରହ ବଢ଼ିବ’’, କହନ୍ତି କୁଆଁରମୁଣ୍ଡା ବ୍ଲକ କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦେବାଶିଷ ପଣ୍ଡା।

ରାଜ୍ୟ ସରକାରଙ୍କ ୫-ଟି କାର‌୍ୟ୍ୟକ୍ରମ ଅଧୀନରେ ବିଭିନ୍ନ ସରକାରୀ ହାଇସ୍କୁଲର ବିଜ୍ଞାନାଗାରର ଏହି ନୂଆ ରୂପ ଏବେ ସୁନ୍ଦରଗଡ଼ ଜିଲ୍ଲାର ଶହ ଶହ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମନରେ ନୂଆ ସ୍ୱପ୍ନ ଆଣି ଦେଇଛି। ଛାତ୍ରଛାତ୍ରୀମାନେ ଆଗରୁ ଯେଉଁସବୁ ବୈଜ୍ଞାନିକ ଉପକରଣ ବହିରେ ଦେଖୁଥିଲେ ସେମାନେ ଏବେ ଏହିସବୁ ଉପକରଣ ହାତପାଆନ୍ତାରେ ପାଇଥିବାରୁ ସେମାନଙ୍କ ଭିତରେ ଏକ ନୂଆ ଉତ୍ସାହ ସୃଷ୍ଟି ହୋଇଛି।

Leave A Reply

Your email address will not be published.