Latest Odisha News

BREAKING NEWS

କରୋନା ମହାମାରୀ ସମୟରେ କିଟରେ ରେକର୍ଡ ପ୍ଲେସମେଣ୍ଟ

ଭୁବନେଶ୍ବର : କରୋନା ମହାମାରୀ ଭଳି କଠିନ ସମୟରେ ଚଳିତ ବର୍ଷ କିଟରେ ହୋଇଛି ରେକର୍ଡ ପ୍ଲେସମେଣ୍ଟ । କିଟ୍‍ର ୨୦୨୨ ପାସ୍‍ ଆଉଟ୍ ବ୍ୟାଚ୍‍ ପାଇଁ ଜୁଲାଇ ମାସରୁ ଆରମ୍ଭ ହୋଇଥିଲା । ୨୦୨୧ ଡିସେମ୍ବର ସୁଦ୍ଧା ୫୦ଟି ନୂଆ କମ୍ପାନୀ ସହ ୨୭୦ଟି କମ୍ପାନୀ କିଟ୍‍କୁ କ୍ୟାମ୍ପସ୍‍ ପ୍ଲେସମେଣ୍ଟ ପାଇଁ ଆସିଥିଲେ । ୪୨ ଶହରୁ ଅଧିକ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇ ସାରିଥିବା ବେଳେ, ସେମାନଙ୍କ ମଧ୍ୟରୁ ୧୨ଶହ ଛାତ୍ରଛାତ୍ରୀ ଏକାଧିକ ଏବଂ ୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଗୋଟିଏ ଲେଖାଏଁ ନିଯୁକ୍ତି ସୁଯୋଗ ପାଇବାରେ ସଫଳ ହୋଇଛନ୍ତି । ୧୫ ଶହରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ହାରାହାରି ୮.୧୦ ଲକ୍ଷ ଟଙ୍କା ପ୍ୟାକେଜରେ ବିଭିନ୍ନ ଡ୍ରିମ୍‍ କମ୍ପାନୀ ନିଯୁକ୍ତି ସୁଯୋଗ ଦେଇଛନ୍ତି ।

ସେହିପରି ୩୫ରୁ ଅଧିକ କମ୍ପାନୀ କିଟ୍‍ର ଛାତ୍ରଛାତ୍ରୀଙ୍କୁ ବାର୍ଷିକ ହାରାହାରି ୧୦ଲକ୍ଷ ଟଙ୍କା ବା ତାଠାରୁ ଅଧିକ ପ୍ୟାକେଜ୍‍ରେ ନିଯୁକ୍ତି ସୁଯୋଗ ଦେଇଥିବା ବେଳେ, ୧୩୦ରୁ ଅଧିକ କମ୍ପାନୀ ବାର୍ଷିକ ହାରାହାରି ୫ଲକ୍ଷ ଟଙ୍କା ପ୍ୟାକେଜରେ ନିଯୁକ୍ତି ସୁଯୋଗ ଦେଇଛନ୍ତି । ବାର୍ଷିକ ସର୍ବାଧିକ ୫୨ ଲକ୍ଷ ଟଙ୍କା ପ୍ୟାକେଜରେ କିଟ୍‍ର ୫ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଛନ୍ତି । ଚଳିତ ବର୍ଷ ହାରାହାରି ବାର୍ଷିକ ପ୍ୟାକେଜ୍‍ ୬.୦୫ଲକ୍ଷ ଟଙ୍କା ରହିଥିବା ବେଳେ, ଏହା ଗତ ବର୍ଷ ତୁଳନାରେ ୩୦ ପ୍ରତିଶତ ଅଧିକ ବୋଲି କିଟ୍‍ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ ସୂଚନା ଦେଇଛନ୍ତି ।

କିଟ୍‍ ବିଶ୍ବବିଦ୍ୟାଳୟ ହେଉଛି ଭାରତର ଏକମାତ୍ର ବିଶ୍ବବିଦ୍ୟାଳୟ, ଯାହାକି ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ବହୁରାଷ୍ଟ୍ରୀୟ କମ୍ପାନୀ ସହ ସମନ୍ୱୟ ରକ୍ଷା କରି ଆସିଛି । ଫଳରେ ବହୁରାଷ୍ଟ୍ରୀୟ କମ୍ପାନୀ ହାଇରେଡିଅସ୍‍ କିଟ୍‍ ବିଶ୍ବବିଦ୍ୟାଳୟ ପରିସରରେ ଏକ ଉଚ୍ଚମାନର ତାଲିମ୍‍ କେନ୍ଦ୍ର ପ୍ରତିଷ୍ଠା କରି, ପ୍ରତିବର୍ଷ ୨ ହଜାରରୁ ଅଧିକ ପିଲାଙ୍କୁ ମାସିକ ୧୫ ହଜାର ଟଙ୍କା ମେଧାବୃତ୍ତିରେ ବର୍ଷିକିଆ ତାଲିମ୍‍ ପ୍ରଦାନ କରୁଛନ୍ତି । ଏହି ତାଲିମ ଅତି ଉଚ୍ଚମାନର ହୋଇଥିବାରୁ, କିଟ୍‍ର ଅଧିକାଂଶ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ସୁଯୋଗ ପାଇପାରୁଛନ୍ତି । ଏହା ଛଡ଼ା ହାଇରେଡିଅସ୍‍ କମ୍ପାନୀ ମଧ୍ୟ ପ୍ରତିବର୍ଷ କିଟ୍‍ରୁ ୮ ଲକ୍ଷ ଟଙ୍କା ପ୍ୟାକେଜରେ ୮ ଶହରୁ ୧ ହଜାର ପିଲାଙ୍କୁ ନିଯୁକ୍ତି ସୁଯୋଗ ଦେଇଥାଏ ବୋଲି ଉପକୁଳପତି ପ୍ରଫେସର ଶରଣଜିତ ସିଂହ ପ୍ରକାଶ କରିଛନ୍ତି ।

କିଟ୍‍ ପ୍ରତିଷ୍ଠା ହେବା ଦିନଠାରୁ ଏହାର ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣୀୟ ପ୍ଲେସମେଣ୍ଟ ରହିଆସିଛି । ପ୍ରତି ବର୍ଷ ଛାତ୍ରଛାତ୍ରୀଙ୍କ ପ୍ଲେସମେଣ୍ଟ ଅତି ସଫଳତାର ସହ ହୋଇଆସୁଛି । ଏହା ମଧ୍ୟରେ ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ତାଲିମ୍‍ ପାଇଁ କିଟ୍‍ ବିଶ୍ବବିଦ୍ୟାଳୟ ସମଗ୍ର ବିଶ୍ବରେ ବେଶ ପରିଚିତି ଲାଭ କରିଛି । ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଅଧିକରୁ ଅଧିକ ବହୁରାଷ୍ଟ୍ରୀୟ କମ୍ପାନୀ କ୍ୟାମ୍ପସ୍‍ ପ୍ଲେସମେଣ୍ଟ ପାଇଁ କିଟ୍‍ ବିଶ୍ବବିଦ୍ୟାଳୟକୁ ଆସୁଛନ୍ତି ।

କରୋନା ମହାମାରୀ ସତ୍ତ୍ବେ ୨୦୨୦ରେ କିଟ୍‍ ବିଶ୍ବବିଦ୍ୟାଳୟର ବିଟେକ୍‍, ଏମ୍‍ବିଏ, ବାୟୋଟେକରେ ଶତ ପ୍ରତିଶତ ପ୍ଲେସମେଣ୍ଟ ହୋଇଥିବା ବେଳେ, ଲ’ରେ ୫୦ ପ୍ରତିଶତରୁ ଅଧିକ ପ୍ଲେସମେଣ୍ଟ ହୋଇଥିଲା । ୨୦୨୧ରେ ମଧ୍ୟ କିଟ୍‍ ବିଶ୍ବବିଦ୍ୟାଳୟରେ ରେକର୍ଡ ପ୍ଲେସମେଣ୍ଟ ହୋଇଥିଲା । ୨୦୨୨ ପାସ୍‍ଆଉଟ୍‍ ବ୍ୟାଚ୍‍ ପାଇଁ ଗତବର୍ଷ ମେ ମାସରୁ କ୍ୟାମ୍ପସ୍‍ ପ୍ଲେସମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିରେ ସନ୍ତୋଷ ବ୍ୟକ୍ତ କରିବା ସହ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.