Latest Odisha News

BREAKING NEWS

ସ୍ୱାମୀ ବିବେକାନନ୍ଦ

ପ୍ରିୟ କୁନି ପିଲାମାନେ

ତୁମେମାନେ ସ୍ୱାମୀ ବିବେକାନନ୍ଦଙ୍କ ନାଁ ଶୁଣିଥିବ। ଭାରତୀୟ ସଂସ୍କୃତି ଏବଂ ସନାତନ ଧର୍ମକୁ ସେ ବିଶ୍ୱ ଦରବାରରେ ପରିଚିତ କରାଇଥିଲେ । ଆଜି ଆମେ ତାଙ୍କ ବିଷୟରେ ଜାଣିବା ।

୧୮୬୩ ଖ୍ରୀଷ୍ଟାବ୍ଦ ଜାନୁଆରୀ ୧୨ ତାରିଖ, ପୌଷ ସଂକ୍ରାନ୍ତି ଦିନ କଲିକତାର ସିମଳାପଲ୍ଲୀରେ ସ୍ୱାମୀଜୀ ଜନ୍ମ ଗ୍ରହଣ କରିଥିଲେ ତାଙ୍କ ପିତାଙ୍କ ନାମ ବିଶ୍ୱନାଥ ଦତ୍ତ ଓ ମାତାଙ୍କ ନାମ ଭୁବନେଶ୍ୱରୀ ଦେବୀ ଥିଲା । ପିତାମାତା ଶ୍ରଦ୍ଧାରେ ତାଙ୍କର ନାଁ ନରେନ୍ଦ୍ରନାଥ ଦତ୍ତ ରଖିଥିଲେ । ତାଙ୍କ ମା ତାଙ୍କୁ ଅତି ଶ୍ରଦ୍ଧାରେ ବିଲେ ବୋଲି ଡାକୁଥିଲେ ।

ପିଲାଦିନେ ବିଲେ ଆଦୌ ଶାନ୍ତ ସ୍ୱଭାବର ନଥିଲେ । ମା’ ଭୁବନେଶ୍ୱରୀ ଦେବୀ ମନ ଦୁଃଖ କରି କହୁଥିଲେ, ‘ଶିବଙ୍କୁ ଗୋଟିଏ ପୁଅ ମାଗିଥିଲି ହେଲେ ସେ ମତେ ଗୋଟିଏ ଭୂତ ଦେଇଛନ୍ତି ।”  ବିଲେ ମା’ଙ୍କଠାରୁ ରାମାୟଣ ଓ ମହାଭାରତର ବିଭିନ୍ନ ପ୍ରସଙ୍ଗର ଗଳ୍ପ ଶୁଣିବାକୁ ଭଲ ପାଉଥିଲେ । ତାଙ୍କର ପ୍ରାଥମିକ ଶିକ୍ଷା ଏଇ କାହାଣୀ ଶୁଣିବା ମାଧ୍ୟମରେ ଆରମ୍ଭ ହୋଇଥିଲା ।

ଛ’ ବର୍ଷ ବୟସରେ ସ୍କୁଲରେ ବିଲେଙ୍କର ନାମ ଲେଖା ହେଲା ; କିନ୍ତୁ ସେ ଇଂରାଜୀ ପଢ଼ିବାକୁ ରାଜି ହେଲେ ନାହିଁ । ସେ କହୁଥିଲେ ” ଇଂରାଜୀ ତ ବିଦେଶୀ ଭାଷା ,  ତା’ଠାରୁ ମାତୃଭାଷା ତ ଶିଖିବା ଭଲ ।’” ଏହା ଥିଲା ନିଜ ମାତୃଭୂମି ତଥା ମାତୃଭାଷା ପାଇଁ ତାଙ୍କର ପ୍ରଥମ କଥା । ଅନେକ ବୁଝାଇବା ପରେ ସେ ଇଂରାଜୀ ପଢ଼ିବାକୁ ଆରମ୍ଭ କଲେ । ପ୍ରଖର ମେଧା, ଅଦ୍ଭୁତ ଧୀଶକ୍ତି ନେଇ ବିଲେ ଜନ୍ମଗ୍ରହଣ କରିଥିଲେ । ଥରେ ଯାହା ପଢ଼ୁଥିଲେ କେବେ ତାହା ଭୁଲୁ ନ ଥିଲେ । ସ୍କୁଲର ପାଠ୍ୟ-ପ୍ରସ୍ତୁତି ପାଇଁ ତାଙ୍କୁ ଅତି ଅଳ୍ପ ସମୟ ଲାଗୁଥିଲା । ବାକି ସମୟତକ ଖେଳାଖେଳି, କୁସ୍ତି, ଆଖଡ଼ା, ପହଁରିବା ବା ଅଭିନୟ କରିବାରେ କିମ୍ବା କଳକବ୍‌ଜା ତିଆରି କରିବାରେ ସମୟ ଅତିବାହିତ କରୁଥିଲେ ।

ଯଦିଓ ବିଲେ ଦୁଷ୍ଟ ଥିଲେ ହେଲେ ବାଲ୍ୟକାଳରୁ ତାଙ୍କର ସ୍ୱଭାବ ଥିଲା ଅତିଶୟ ନିର୍ମଳ  । ସେ ସବୁବେଳେ ସତ କହୁଥିଲେ । ଦୁଃଖୀ ଦାରିଦ୍ୟଙ୍କ ସେବା କରିବା ପାଇଁ ଆଗ୍ରହୀ ହେଉଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜର ସଦସ୍ୟ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠ ଦେହ ଓ ଦୃଢ଼ମନର ଅଧିକାରୀ ନରେନ୍ଦ୍ର ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ସ୍ୱୀକାର କରିବା ପରେ ପରେ ସେ ମାତ୍ର ୨୬ ବର୍ଷ ବୟସରେ ସନ୍ନ୍ୟାସୀ ହୋଇଥିଲେ । ଏହାପରେ ତାଙ୍କ ନାଁ ବିବେକାନନ୍ଦ ହୋଇଥିଲା ।

ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା ।

୧୮୯୭ ଖ୍ରୀଷ୍ଟାବ୍ଦ ମେ ୧ ତାରିଖରେ ଶ୍ରୀରାମକୃଷ୍ଣଙ୍କର ସନ୍ନ୍ୟାସୀ ଓ ଗୃହୀ ଶିଷ୍ୟମାନଙ୍କୁ ଆହ୍ୱାନ କରି ସେ ‘ରାମକୃଷ୍ଣ ମିଶନ’ ସଂଘର ପ୍ରତିଷ୍ଠା କରିଥିଲେ । ଜନଗଣଙ୍କର ଲୌକିକ ଓ ଆଧ୍ୟାତ୍ମିକ ସେବା ହିଁ ସେହି ସଂଘର ଉଦ୍ଦେଶ୍ୟ ଥିଲା । ସଙ୍ଘ ପ୍ରତିଷ୍ଠା ହେବାର କିଛିଦିନ ପରେ ସେ ପାଶ୍ଚାତ୍ୟ ଦେଶ ଭ୍ରମଣ କରି ସମ୍ପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।

୧୮୯୩ ମସିହା ସେପ୍ଟେମ୍ବର ୧୧ ରେ ଆମେରିକାର ଚିକାଗୋ ସହରରେ ଆୟୋଜିତ ଧର୍ମମହାସଭାରେ ପୃଥିବୀର ପ୍ରାୟ ପ୍ରତ୍ୟେକ ଧର୍ମର ପ୍ରବୀଣ ପ୍ରତିନିଧିବୃନ୍ଦଙ୍କ ସମୀପରେ ହଜାର ହଜାର ଲୋକଙ୍କ ଗହଣରେ ଦେବୀ ସରସ୍ୱତୀଙ୍କୁ ପ୍ରଣାମ କରି ଦୀପ୍ତ କଣ୍ଠରେ ସଭାକୁ ସମ୍ବୋଧନ କରି ସେ “ପ୍ରିୟ ଆମେରିକାବାସୀ ଭାଇ ଓ ଭଉଣୀମାନେ” ସମ୍ବୋଧନରୁ ତାଙ୍କର ଓ଼ଜ୍ଵସ୍ୱିନୀ ବକୃତାର ଆରମ୍ଭ କରିଥଲେ ।ଏହି ସମ୍ବୋଧନ ଏବଂ ଭାରତୀୟ ସଂସ୍କୃତି ଉପରେ ତାଙ୍କର ପାଣ୍ଡିତ୍ୟ ପୂର୍ଣ୍ଣ ଭାଷଣ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେବାସହ ଭାରତୀୟ ମୂଲ୍ୟବୋଧକୁ ମଧ୍ୟ ବିଶ୍ୱ ଦରବାରରେ ପରିଚିତ କରାଇଲା । ଏହାପରେ ସେ ସ୍ୱାମୀ ବିବେକାନନ୍ଦ ଭାବରେ ପରିଚିତ ହେଲେ ।

ସ୍ୱାମୀଜୀ କେବଳ ଧର୍ମ ଓ ସଂସ୍କୃତିର କଥା କହୁନଥିଲେ ସମାଜର ଅବହେଳିତ ବର୍ଗ ପାଇଁ ମଧ୍ୟ ଅନେକ କାର୍ଯ୍ୟ କରୁଥିଲେ । ଏପରିକି ମହାମାରୀ ପ୍ଲେଗ ସମୟରେ କିଛି ଆଗ୍ରହୀ ଓ ସାହସୀ ଯୁବକଙ୍କ ସହାୟତାରେ ସେ କଲିକତାର ବିଭିନ୍ନ ଅଚଳ ବୁଲି ରୋଗୀମାନଙ୍କର ସେବା କରୁଥିଲେ

ଆମେରିକାରୁ ଫେରି ସ୍ୱାମୀଜୀ ସମଗ୍ର ଭାରତ ବର୍ଷ ତଥା ବିଶ୍ୱର ଅନେକ ଦେଶ ଭ୍ରମଣ କରି ସନାତନ ଧର୍ମର ପ୍ରଚାର ପ୍ରସାର କରିଥିଲେ । ବିଶ୍ୱର ସମସ୍ତ ଅଧିବାସୀଙ୍କୁ ସେ ଏକ ପରିବାର ମନେ କରି ବିଶ୍ୱ ଭାତୃତ୍ୱର ବାର୍ତ୍ତା ପ୍ରଦାନ କରୁଥିଲେ । ୧୯୦୨ ମସିହା ଜୁଲାଇ ୪ ତାରିଖରେ ମାତ୍ର ୩୯ ବର୍ଷ ବୟସରେ ସ୍ୱାମୀଜୀ ଇହଧ୍ୟାମ ତ୍ୟାଗ କରିଥିଲେ । ଜୀବନ କାଳ ମଧ୍ୟରେ ସେ ମାନବ ସମାଜର କଲ୍ୟାଣ ପାଇଁ ଯେଉଁ କାର୍ଯ୍ୟସବୁ କରିଯାଇଛନ୍ତି ତାହା ତାଙ୍କୁ ଯଥାର୍ଥରେ ଜଣେ ମହାପୁରଷ ଭାବରେ ପରିଚିତ କରାଇଛି ।

ଆଜି ପାଇଁ ଏତିକି । ଆରଥରକୁ ପୁଣି ଜାଣିବା ଆଉ ଜଣେ ମହାପୁଷଙ୍କ ବିଷୟରେ ।

Leave A Reply

Your email address will not be published.