Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୫୬      

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନ୍ୟ ଏକ ଅତ୍ୟନ୍ତ ଭାବପୂର୍ଣ ନାମ ହେଲା ପତିତପାବନ । କେବଳ ଭାବପୂର୍ଣ ନୁହେଁ ଏକ ଆକର୍ଷଣ ଓ ଆବେଗର ଚେତନାକୁ ଧାରଣ କରିଥିବା ନାମ “ପତିତପାବନ ପତିତଜନଙ୍କ ଉଦ୍ଧାର ପାଇଁ ଏହି ନାମ ହିଁ ଯଥେଷ୍ଟ । ସେଥିପାଇଁ ପ୍ରଭୁଙ୍କର ବଡ଼ଦେଉଲରେ ଉଡୁଥିବା ବାନା (ପତାକା )ମଧ୍ୟ ପତିତପାବନ ବାନା ନାମରେ ଖ୍ୟାତ । ସବୁଠାରୁ ବଡ଼ କଥା ପ୍ରଭୁଙ୍କର ମୁଖ୍ୟ ଦ୍ୱାର ସିଂହଦ୍ୱାର ଗୁମୁଟରେ ବିରାଜିତ ଠାକୁରଙ୍କ ନାମ ପତିତପାବନ। ଯଦି କେଉଁ ଭକ୍ତ ବା ଶ୍ରଦ୍ଧାଳୁ ମନ୍ଦିର ମଧ୍ୟକୁ ଯାଇ ନପାରି ବଡ଼ଦାଣ୍ଡରେ ରହି ଏହି ପତିତପାବନଙ୍କୁ ଦର୍ଶନ କରନ୍ତି । ତେବେ ପୂର୍ଣ୍ଣାଙ୍ଗ ଶ୍ରୀଜଗନ୍ନାଥ ଦର୍ଶନର ଫଳ ପ୍ରାପ୍ତି ହେବାର କଥିତ ଅଛି । କେବଳ ସେତିକି ନୁହେଁ ପୃଥିବୀ ବିଖ୍ୟାତ ରଥଯାତ୍ରାର ଅନ୍ୟ ଏକ ନାମ ହେଲା ପତିତପାବନ ଯାତ୍ରା ।

ଆସନ୍ତୁ ଏହି ପରମ ଆକାର୍ଷଣୀୟ ଓ ତତ୍ତ୍ୱମୟ ପତିତପାବନ ନାମର ସମ୍ପୂର୍ଣ ଅନୁଶୀଳନ କରିବା । ଶ୍ରୀଜଗନ୍ନାଥ ସଂସ୍କୃତିର ମୂଳ ଆଧାର ହେଲା ପତିତ ଉଦ୍ଧାର । କେବଳ ଗୋଟିଏ ସାଂସ୍କୃତିକ ଚିନ୍ତା ଚେତନା ମଧ୍ୟରେ ଏହି ପତିତ ଉଦ୍ଧାର ଶବ୍ଦକୁ ବୁଝି ହୁଏନି । ଏହାର ବ୍ୟାପକ ଅର୍ଥ ହେଲା ସାରା ସଂସାରର ଉଦ୍ଧାର ନିମିତ୍ତ ପ୍ରଭୁଙ୍କର ପତିତପାବନ ରୂପ । ଆମର ସାଂସ୍କୃତିକ ମୂଲ୍ୟବୋଧ “ନିଜ ସ୍ୱାର୍ଥ ପାଇଁ ଜାତ ନୁହେଁ ହିନ୍ଦୁ, ପର ହିତେ ତାର ପ୍ରତି ରକ୍ତ ବିନ୍ଦୁଠାରୁ ଆହୁରି ବ୍ୟାପକ ଏହି ପତିତପାବନ ସଂସ୍କୃତି।”

ଏଠାରେ ଜାତି ଧର୍ମ ବର୍ଣ ନିର୍ବିଶେଷରେ ପ୍ରତ୍ୟେକ ମଣିଷ ପତିତପାବନଙ୍କ କୃପା ଲାଭ କରନ୍ତି। ଇତିହାସ କହେ ଗଜପତି ମହାରାଜ ଦ୍ଵିତୀୟ ରାମଚନ୍ଦ୍ର ଦେବ, ଯେତେବେଳେ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଆକ୍ରମଣକାରୀ ତକିଖାଁର ଭଗିନୀକୁ ବିବାହ କଲେ ; ସେତେବେଳେ ବିଧର୍ମୀ ହିସାବରେ ତାଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା ହୋଇଗଲା, ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ସେ ତେଣୁ ଶୟନେ ସ୍ୱପନେ ଓ ଜାଗରଣେ ସେ ପ୍ରଭୁଙ୍କର ଦର୍ଶନ ପାଇଁ ବ୍ୟାକୁଳ ହୋଇଉଠିଲେ । ଠିକ ସେତିକିବେଳେ ପ୍ରଭୁଙ୍କର ପତିତପାବନ ରୂପ ସିଂହଦ୍ୱାର ଗୁମୁଟରେ ସ୍ଥାପିତ ହେଲା ।

ପ୍ରଭୁ ଶ୍ରୀଜଗନ୍ନାଥ ଗଜପତିଙ୍କ ଭଳି କୋଟି କୋଟିଭକ୍ତଙ୍କୁ ମନ୍ଦିର ପ୍ରବେଶ ବିନା ଦର୍ଶନ ଦେଲେ, ଉଦ୍ଧାର ବି କଲେ । ଓଡ଼ିଆ ଜାତିର ନମସ୍ୟ ଭକ୍ତ ସାଲବେଗ ମଧ୍ୟ ଏହି ପତିତପାବନଙ୍କ ଦର୍ଶନ କରି ନିଜକୁ କତାର୍ଥ ମନେ କଲେ । ସେଥିପାଇଁ ଏହି ପତିତପାବନ ସ୍ୱରୂପ ମୋକ୍ଷର ମୁଖ୍ୟ ଉପାସନା ହୋଇଗଲେ । ସର୍ବଧର୍ମ ସମନ୍ୱୟର ପ୍ରତୀକ ହେଲେ ପତିତପାବନ । ଜଗନ୍ନାଥ ଧର୍ମସଂସ୍କୃତିକୁ କାଳଜୟୀ କଲା ଏହି ପତିତପାବନ ପୂଜାର ବ୍ୟାପକତା । ଅନେକ ସ୍ଥାନରେ ତେଣୁ ପୂଜିତ ହେଲେ ପତିତପାବନ ମୂର୍ତ୍ତି । ଏହି ପତିତପାବନ ପୂଜା ଜଗନ୍ନାଥ ଦର୍ଶନ ଓ ଚିନ୍ତା ଚୈତନ୍ୟର ସବୁଠାରୁ ଆକର୍ଷଣୀୟ ଦିଗ ବା ସାର୍ବଜନୀନ ଦିଗ ତଥା ସମ୍ୱନ୍ୱିତ ଧର୍ମ ଧାରଣାର ପ୍ରସାର କଲା । ସେହି ପତିତପାବନଙ୍କୁ ଭୂମିଷ୍ଟ ପ୍ରଣାମ କରି ଜୟ ଜୟ ଜଗନ୍ନାଥ ନିର୍ଗୁଣ ସଗୁଣାତ୍ମକ, ନମଃ ପ୍ରଣବ ରୂପାୟ ଚତୃଦେବ ମୟବିଭୋ ।

ଜୟ ଜଗନ୍ନାଥ

Leave A Reply

Your email address will not be published.