Latest Odisha News

ଭୟଙ୍କର ବାତ୍ୟାରେ ଉପୁଡ଼ିଗଲା ରାଜଧାନୀର ମୂଲ୍ୟବାନ ବୋଧିବୃକ୍ଷ

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟାର ବିଭୀଷିକାକୁ ନିଜ ଆଖିରେ ନଦେଖିଲେ ପ୍ରକୃତରେ କେହି ହୃଦୟଙ୍ଗମ କରିପାରିବେ ନାହିଁ । ରାଜଧାନୀରେ ପ୍ରଳୟ ରଚିଥିବା ଏହି ଭୟାବହ ବାତ୍ୟାର ପଦଚିହ୍ନ ହୃଦୟ ବିଦାରକ । ଏବେବି ବିପର୍ଯ୍ୟସ୍ତ ଅବସ୍ଥାରେ ମାଟିରେ ପଡ଼ିରହିଛି ଶହ ଶହ ଗଛ । ଏହି ଫନି ବାତ୍ୟା ପ୍ରଭାବରେ ସାରା ଓଡ଼ିଶାରେ ପ୍ରାୟ ୧ କୋଟି ବୃକ୍ଷ ନଷ୍ଟ ହୋଇଥିବାର ସୂଚନା ମିଳିଛି ।

ଭୁବନେଶ୍ୱରରେ ଯେତେସବୁ ଗଛ ନଷ୍ଟ ହୋଇଛି ତାହାର ପରିମାଣ ପ୍ରାୟ ୨୦ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡ଼ିଛି । ତେବେ ଏହି ବାତ୍ୟାରେ ଭୁବନେଶ୍ୱରର ଏକ ମୂଲ୍ୟବାନ ଗଛ ଭାବେ ପରିଗଣିତ ହେଉଥିବା ବୋଧିବୃକ୍ଷ ମଧ୍ୟ ବାଦ ପଡ଼ିନି । ସହର ମଧ୍ୟଭାଗରେ ଥିବା ଏହି ବୃକ୍ଷଟି ସମ୍ପୂର୍ଣ୍ଣ ରୂପେ ଉପୁଡ଼ିଯାଇଛି । ମହାବୋଧି ସୋସାଇଟି ପରିସରରେ ରହିଥିବା ଏହି ୬୨ ବର୍ଷ ପୁରୁଣା ଗଛଟି ସହିତ ଅନେକ ଆଧ୍ୟାତ୍ମିକ, ସାମାଜିକ ତଥା ବୌଦ୍ଧିକ ସମ୍ପର୍କ ରହିଆସିଛି ।

ଗୟାରେ ଭଗବାନ ବୁଦ୍ଧ ଯେଉଁ ମହାବୋଧି ଗଛମୂଳରେ ଧ୍ୟାନ କରି ଜ୍ଞାନପ୍ରାପ୍ତ ହୋଇଥିଲେ ସେହି ବୃକ୍ଷର ବଂଶଜ ହେଉଛି ଏଠାରେ ଥିବା ବୋଧିବୃକ୍ଷ ।

ଏହି ମୂଲ୍ୟବାନ ବୋଧିବୃକ୍ଷ ମୂଳରେ ୨୮ଟି ମୂର୍ତ୍ତି ରହିଥିଲା, ସେଗୁଡ଼ିକ ମଧ୍ୟ ମେ ୩ ତାରିଖରେ ହୋଇଥିବା ବାତ୍ୟାର ପ୍ରକୋପରେ କ୍ଷତିଗ୍ରସ୍ତ ହୋଇଛି ।

ଏହି ଗଛମୂଳରେ ପର୍ଯ୍ୟଟକମାନେ ବସି ଧ୍ୟାନ କରିଥାଆନ୍ତି ତଥା ଅନେକ ପରିଦର୍ଶକମାନେ ଏହି ଗଛର ମହତ୍ୱ ଜାଣି ସେଠାରେ କିଛି ସମୟ ଅତିବାହିତ କରିଥାଆନ୍ତି । ଏହି ଗଛଟି ୬୨ ବର୍ଷ ପୂର୍ବରୁ ଶ୍ରୀଲଙ୍କାର ଅନୁରାଧାପୁରରୁ ଅଣାଯାଇ ଏଠାରେ ରୋପଣ କରାଯାଇଥିଲା । ସେତେବେଳେ ମିଆାଁମାର ପ୍ରଧାମନ୍ତ୍ରୀ ୟୁ ନୁ ଏହି ମୂଲ୍ୟବାନ ବୃକ୍ଷର ଚାରା ରୋପଣ କରିଥିଲେ । ଏହି ଗଛଟି ନିକଟରେ ଏକ ଛୋଟିଆ ମନ୍ଦିର ମଧ୍ୟ ନିର୍ମିତ ହୋଇଥିଲା । ଏହି ମନ୍ଦିରଟି ଇଡ଼କୋ ପଡ଼ିଆରୁ କିଛି ଦୂରରେ ଅବସ୍ଥ୍ିତ ଏବଂ ଗତ ୪ ବର୍ଷ ପୂର୍ବରୁ ମନ୍ଦିରଟିକୁ ବୃହତଆକାରରେ ନିର୍ମାଣ କରାଯାଇଥିଲା ।

Leave A Reply

Your email address will not be published.