Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୫୯ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସର୍ବବ୍ୟାପକତା ଯୋଗୁ ଆମେ ତାଙ୍କୁ ବିଷ୍ଣୁ ସ୍ୱରୂପ ଜ୍ଞାନ କରି, ବୈଷ୍ଣବ ତନ୍ତ୍ର ଓ କର୍ମକାଣ୍ଡ ଅନୁସାରେ ପୂଜା କରୁଛୁ। ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ପୂର୍ବରୁ ଶ୍ରୀନୀଳମାଧବଙ୍କୁ ମଧ୍ୟ ବିଷ୍ଣୁ ସ୍ୱରୂପରେ ପୂଜା କରାଯାଇଛି। କିନ୍ତୁ ବ୍ରହ୍ମ ପୁରାଣ, ନାରଦ ପୁରାଣ ଓ କପିଳ ସଂହିତା ପ୍ରଭୃତି ପ୍ରାଚୀନ ଗ୍ରନ୍ଥ, ଶବରରାଜ ବିଶ୍ୱାବସୁ ନୀଳମାଧବଙ୍କ ପୂଜା କରିବାର ପ୍ରମାଣ ଦିଏନାହିଁ । ସେହିଭଳି ନୀଳାଦ୍ରି ମହୋଦୟ ଅନୁସାରେ “ନୀଳମାଧବ” ସ୍ୱୟଂ ବିଷ୍ଣୁ ହୋଇଥିବାରୁ କେବଳ ଦେବତା ମାନେ ହିଁ ନୀଳମାଧବଙ୍କ ପୂଜା କରୁଥିଲେ ବୋଲି ପ୍ରମାଣ ଦେଇଛି। ଶବରରାଜା କେବଳ ଦର୍ଶନର ଆଜ୍ଞା ପାଇ ଦର୍ଶନ କରୁଥିଲେ ।

ସ୍କନ୍ଦ ପୁରାଣ ମଧ୍ୟ ନୀଳମାଧବ ଦେବତା ପୂଜିତ ବୋଲି ପ୍ରମାଣ ଦିଏ। ଏସବୁ ପ୍ରମାଣ ଏତିକି ସ୍ପଷ୍ଟ କରେ ଯେ ନୀଳମାଧବ ସ୍ୱୟଂ ପରମ ବ୍ରହ୍ମ ବିଷ୍ଣୁ ହିଁ ଥିଲେ। ତେଣୁ ସେ ବିଦ୍ୟାପତିଙ୍କୁ ଦର୍ଶନ ଦେବାପରେ ସ୍ଵେଛାରେ ନିଜ ସ୍ୱରୂପକୁ ତ୍ୟାଗ କରି ଦାରୁରୂପ ଗ୍ରହଣ କରିବାପାଇଁ “ବ୍ରହ୍ମ ଦାରୁ”ର ଆବିର୍ଭାବ ଘଟାଇଲେ । ବେଦ ବର୍ଣ୍ଣିତ ପୁରୁଷଦେବତା ଯେକି ସହସ୍ରଶୀର୍ଷା, ସହସ୍ରାକ୍ଷ, ସହସ୍ରପାତ, ଅଥବା ଗୀତା ବର୍ଣ୍ଣିତ କ୍ଷରଠାରୁ ଭିନ୍ନ, ଅକ୍ଷରଠାରୁ ଉତ୍ତମ, ଶ୍ରୀପୁରୁଷୋତ୍ତମ ସ୍ୱରୂପ ହିଁ ଶ୍ରୀଜଗନ୍ନାଥ ।

ଅନ୍ୟ ଭାବରେ କହିଲେ ସେ ପୁରୁଷରୂପୀ ପୁରୁଷୋତ୍ତମ ଓ ଜଗତରୂପୀ ଜଗନ୍ନାଥ। ତେଣୁ ସମସ୍ତ ବୈଷ୍ଣବ ଆଚାର୍ଯ୍ୟମାନେ ଭଗବାନ ଶ୍ରୀବିଷ୍ଣୁଙ୍କୁ ହିଁ ଉପନିଷଦ ବା ବେଦାନ୍ତ ଦ୍ୱାରା ପ୍ରତିପାଦିତ ପରଂବ୍ରହ୍ମ ରୂପେ ଅଭିହିତ କରିଛନ୍ତି। ଆଉ ଆମେ ଜାଣିଲେ ଶ୍ରୀବିଷ୍ଣୁ ଓ ଶ୍ରୀଜଗନ୍ନାଥ ଏକ ଓ ଅଭିନ୍ନ ଅଟନ୍ତି। ଭାଗବତାମୃତରେ ଅଛି “ଦାରୁବ୍ରହ୍ମ ଜଗନ୍ନାଥୋ ଭଗବାନ ପୁରୁଷୋତ୍ତମ, କ୍ଷେତ୍ରେ ନୀଳାଚଳ କ୍ଷୀରାଣ୍ଣବ ତୀରେ ବିରାଜିତେ। “

ଯେହେତୁ କ୍ଷୀର ସାଗର ବିଷ୍ଣୁଙ୍କ ନିବାସ ଓ ତା’ ତୀରରେ ନୀଳାଚଳରେ ନିବାସ କରନ୍ତି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ, ତେଣୁ ସେ ଦୁହେଁ ଅଭିନ୍ନ। କିନ୍ତୁ ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ବିଶେଷତ୍ୱ ହେଉଛି ଏଠାରେ ସବୁ ଧର୍ମ ଓ ମାତବାଦର ବିଲୟ ଘଟି ଏକ ସମନ୍ୱୟର ଧାରା ସୃଷ୍ଟି ହୋଇଛି। ହିନ୍ଦୁମାନଙ୍କ ମଧ୍ୟରେ ପ୍ରଚଳିତ ତିନୋଟି ମୁଖ୍ୟ ଧାରା, ବୈଷ୍ଣବ, ଶୈବ୍ୟ ଓ ଶାକ୍ତ ଧାରାର ସମନ୍ୱୟରେ ଶ୍ରୀଜଗନ୍ନାଥ ସଂସ୍କୃତି ହୋଇଛି ମହନୀୟ । କେହି କେହି ମତ ଦିଅନ୍ତି ବୌଦ୍ଧ ଧର୍ମର ବିଭିନ୍ନ ମତ ଶ୍ରୀଜଗନ୍ନାଥଙ୍କ ମତରେ ବିଲୟ ଘଟିଛି। ସେ ଯାହା ହେଉ ଏକ ସାର୍ବଜନୀନ ମତ “ଶ୍ରୀଜଗନ୍ନାଥ ଧର୍ମ ବା ସଂସ୍କୃତି )ଆଜି ସାରା ପୃଥିବୀରେ ବିକଶିତ ଓ ଆଦୃତ ହୋଇଛି । ଆସନ୍ତୁ ସେହି ସର୍ବଜନ ପୂଜିତ ଶ୍ରୀଜଗନ୍ନାଥଙ୍କୁ ପ୍ରଣିପାତ କରି, ଉଚ୍ଚାରଣ କରିବା :

“ବାସୁଦେବ ନମସ୍ତେସ୍ଥୁ ନମସ୍ତେ ମୋକ୍ଷ କାରଣ, ଶଙ୍କର୍ଷଣ ନମସ୍ତେସ୍ଥୁ ତ୍ରିହିମାଂ ଧରଣୀଧର। ନମସ୍ତେ ହୋମ ଗର୍ଭାଭ ନମସ୍ତେ ମକରଧ୍ଵଜ, ଅନିରୁଦ୍ଧ ନମସ୍ତେସ୍ତୁ ତ୍ରାହିମାଂ ବରୋଦଭବ।”

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Comments are closed.